ଭାରତ ସଦାବେଳେ ଶାନ୍ତି ଓ ବନ୍ଧୁତା ଚାହେଁ, କିନ୍ତୁ ଆମର ସାର୍ବଭୌମତ୍ୱର ସୁରକ୍ଷା ସର୍ବପ୍ରଥମ : ପ୍ରଧାନମନ୍ତ୍ରୀ

Share this:
  • ଆମ ସୀମା ଭିତରେ କେହି ଜଣେ ହେଲେ ନାହାନ୍ତି : ପ୍ରଧାନମନ୍ତ୍ରୀ
  • ଆମ ମାତୃଭୂମି ଆଡ଼କୁ ଚାହିଁବାର ସାହସ କରିଛନ୍ତି ସେମାନଙ୍କୁ ଉଚିତ ଶିକ୍ଷା ଦିଆଯାଇଛି  : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସର୍ବଦଳୀୟ ବୈଠକରେ ଭାରତ-ଚୀନ ସୀମାନ୍ତ କ୍ଷେତ୍ରର ପରିସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ଅଧ୍ୟକ୍ଷମାନେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆମେ ସମସ୍ତେ ଏବେ ଏକମନରେ ଦେଶର ସୀମାକୁ ସୁରକ୍ଷା ପ୍ରଦାନ କରୁଥିବା ବୀର ଯବାନମାନଙ୍କ ସହ ଠିଆ ହୋଇଛୁ ଓ ସେମାନଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରୁଛୁ। ସେମାନଙ୍କର ସାହସ ଓ ବୀରତ୍ୱକୁ ଭୂୟସୀ ପ୍ରଶଂସା କରୁଛୁ। ଏହି ସର୍ବଦଳୀୟ ବୈଠକ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଲେ ଯେ ସମଗ୍ର ଦେଶ ଏବେ ସଶସ୍ତ୍ର ସେନାଙ୍କ ପଛରେ ଠିଆ ହୋଇଛି ।

ସର୍ବ ପ୍ରଥମେ,  ପ୍ରଧାନମନ୍ତ୍ରୀ ଏକଥା ସ୍ପଷ୍ଟ କରିଥିଲେ ଯେ କୌଣସି ଜଣେ ହେଲେ କେହି ଆମ ଦେଶ ସୀମା ଭିତରେ ନାହାନ୍ତି କିମ୍ବା ଆମର କୌଣସି ସୀମାନ୍ତ ପୋଷ୍ଟକୁ କେହି ଅକ୍ତିଆର କରିନାହାନ୍ତି। ସେ କହିଲେ ଯେ ଲଦାଖରେ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ଆମର କୋଡ଼ିଏ ଜଣ ବୀର ସୈନିକ ଚରମ ବଳିଦାନ ଦେଇଛନ୍ତି । କିନ୍ତୁ ଯେଉଁମାନେ ଆମ ମାତୃଭୂମି ଆଡ଼କୁ ଚାହିଁବାର ଅପଚେଷ୍ଟା କରିଛନ୍ତି ଆମ ସୈନିକମାନେ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି । ସେମାନଙ୍କ ସାହସ ଓ ବୀରତ୍ୱକୁ ରାଷ୍ଟ୍ର ସଦାବେଳେ ସ୍ମରଣ ରଖିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସମଗ୍ର ରାଷ୍ଟ୍ର ଏବେ ଚୀନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଗ୍ରହଣ କରିଥିବା କାର୍ଯ୍ୟରେ କ୍ଷୁବ୍ଧ ଏବଂ କ୍ରୋଧିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ନେତୃବର୍ଗଙ୍କୁ ଦୃଢ଼ ଆଶ୍ୱାସନା ପ୍ରଦାନ କରିଛନ୍ତି ଯେ ଆମର ସଶସ୍ତ୍ର ସେନା ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ରକ୍ଷା କରିବା ସକାଶେ କୌଣସି ପ୍ରୟାସ ଛାଡ଼ୁନାହାନ୍ତି। ତାହା ସେନା ମୁତୟନ ହେଉ, କାର୍ଯ୍ୟାନୁଷ୍ଠାନ କିମ୍ବା ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ; ଜଳ, ସ୍ଥଳ ଓ ଆକାଶ ସୀମାରେ ଆମର ସେନା ମାତୃଭୂମିର ସୁରକ୍ଷା ନିମନ୍ତେ ସକଳ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆଜି ଦେଶ ଏଭଳି କ୍ଷମତାର ଅଧିକାରୀ ହୋଇଛି ଯେ ଆମ ଦେଶର ଇଞ୍ଚେ ସୁଦ୍ଧା ଭୂମିକୁ ନେବା ଲାଗି କେହି କେବେ ସାହସ କରିପାରିବେ ନାହିଁ ।  ସେ କହିଲେ ଯେ ଆଜି, ଭାରତୀୟ ସେନା ସେକ୍ଟର ପରେ ସେକ୍ଟର ଅତୀକ୍ରମ କରିବାକୁ ସଂପୂର୍ଣ୍ଣ ସକ୍ଷମ । ଅନ୍ୟ ପକ୍ଷରେ, ସେନାଙ୍କୁ ଆବଶ୍ୟକ ସ୍ଥଳେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ଭାରତ ନିଜର ସ୍ଥିତି ସଂପର୍କରେ ଚୀନକୁ କୂଟନୈତିକ ମାର୍ଗରେ ସ୍ପଷ୍ଟ ଭାବେ ଅବଗତ କରାଇ ଦେଇଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଭାରତ ସଦାବେଳେ ଶାନ୍ତି ଏବଂ ବନ୍ଧୁତା ଚାହେଁ, କିନ୍ତୁ ଦେଶର ସାର୍ବଭୌମତ୍ୱ ରକ୍ଷା ସର୍ବାଗ୍ରେ। ସେ କହିଲେ ଯେ ସରକାର ସୀମାନ୍ତ କ୍ଷେତ୍ରର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି ଏବଂ ସୀମାକୁ ଅଧିକ ସୁରକ୍ଷିତ ରଖିବା ଲାଗି ପ୍ରୟାସ କରୁଛନ୍ତି। ଆମର ଯବାନମାନେ ତାହାକୁ ନିୟନ୍ତ୍ରଣ କରିପାରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଦେଶ ତଥା ପ୍ରତ୍ୟେକ ନାଗରିକଙ୍କ ସକଳ ପ୍ରକାର କଲ୍ୟାଣ ନିମନ୍ତେ ସଂକଳ୍ପବଦ୍ଧ। ତାହା ବାଣିଜ୍ୟ କ୍ଷେତ୍ରରେ ହୋଇଥାଉ ଅବା ସଂଯୋଗ ବା ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମ। କୌଣସି ପ୍ରକାର ବାହ୍ୟ ଚାପର ବଶବର୍ତ୍ତୀ ନହୋଇ ସରକାର ଦୃଢ଼ ଭାବେ ନିଜର କାର୍ଯ୍ୟପନ୍ଥା ଗ୍ରହଣ କରିଆସୁଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କୁ ଦୃଢ଼ତାର ସହ ପ୍ରତିଶ୍ରୁତି ପ୍ରଦାନ କରି ସେ କହିଛନ୍ତି ଯେ ଆମର ସୀମାନ୍ତକୁ ସୁରକ୍ଷିତ ରଖିବା ସକାଶେ ଆମର ସଶସ୍ତ୍ର ସେନା ସଂପୂର୍ଣ୍ଣ ଭାବେ ସକ୍ଷମ ଏବଂ ଉପଯୁକ୍ତ ସମୟରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି ।

ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଲେ ଯେ ଶହୀଦମାନଙ୍କ ବଳିଦାନକୁ ରାଷ୍ଟ୍ର କଦାପି ଭୁଲିବ ନାହିଁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏହି ବୈଠକରେ ସମସ୍ତଙ୍କୁ ଭାରତ ଚୀନ ସୀମାନ୍ତ ପରିଚାଳନା ସଂପର୍କରେ ସ୍ୱାକ୍ଷରିତ ରାଜିନାମା ବିଷୟରେ ଅବଗତ କରାଇଥିଲେ

Share this: