ଓଡ଼ିଶା ସମେତ ୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୫ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି

Share this:

୬ ଟି ରାଜ୍ୟ ହେଲା ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ

୬ ଟି ରାଜ୍ୟର ୧୧୬ ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନା କାର୍ଯ୍ୟକାରୀ ହେଉଛି

ନୂଆଦିଲ୍ଲୀ:ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୫ ଲକ୍ଷ ୫୦ ହଜାର  ଶ୍ରମ ଦିବସ ସୃଷ୍ଟି କରିଛି। ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ।

ଏସବୁ ୬ଟି ରାଜ୍ୟରେ ୨ ହଜାର ୯୮୮  କୋଟି ଟଙ୍କ ବ୍ୟୟରେ ପ୍ରାୟ ୧୬୫ ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୧,୨୯୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଠିକାଦାମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ଦିଆଯାଇଛି।  ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି। ରାଜ୍ୟ ସରକାରମାନଙ୍କ ସହ ନିବିଡ ସହଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଏହା କରାଯାଇଛି। ପ୍ରବାସୀ ଶ୍ରମିକମାନେ ଯେପରି ଏହିସବୁ ପ୍ରକଳ୍ପରେ କାମ ପାଆନ୍ତି ଏବଂ ସେମାନଙ୍କୁ ମଜୁରି ପ୍ରଦାନରେ ଯେପରି ଅନିୟମିତତା ନ ହୁଏ ତାହା ଦେଖିବା ପାଇଁ ରେଳବାଇ ମନ୍ତ୍ରୀ ଶ୍ରୀ ଗୋୟଲ  ଜୋନସ୍ତରୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯୋଜନାରେ ରେଳବାଇ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଚିହ୍ନଟ କରି କାର୍ଯ୍ୟକାରୀ କରୁଛି। ସେଥିମଧ୍ୟରେ ଲେବଲ କ୍ରସିଂ ପାଇଁ ଆପ୍ରୋଚ ରୋଡ଼ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳଧାରଣା ମଧ୍ୟରେ ଓ ପାଶ୍ୱର୍ରେ ଥିବା ଜଳପଥ, ଫୁକାର ଓ ନାଳଗୁଡିକର ମରାମତି ଓ ସଫେଇ, ରେଳ ଷ୍ଟେସନକୁ ସଂଯୋଗପଥ ନିର୍ମାଣ ଓ ତାହାର ମରାମତି ତଥା ରକ୍ଷଣାବେକ୍ଷଣ, 

ରେଳପଥର ଏମ୍ବାକ୍‌ମେଣ୍ଟକୁ ପ୍ରଶସ୍ତ କରିବା କାର୍ଯ୍ୟ, ରେଳବାଇ ଜମିରେ ଆବଶ୍ୟକସ୍ଥଳେ ବୃକ୍ଷରୋପଣ ଏବଂ ରେଳପଥର କଟିଂ ଓ ବ୍ରିଜର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ବ୍ୟାପକଭାବେ କର୍ମନିଯୁକ୍ତି ଦେବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ କାମ ଯୋଗାଇଦେବା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ଆଣିବା। କୋଭିଡ ମହାମାରୀ ଯୋଗୁଁ ବହୁ ସଂଖ୍ୟକ ଶ୍ରମିକ ବିଦେଶରୁ ଫେରିଆସି ନିଜର ଗାଁ ଗଣ୍ଡାରେ ରହିଥିବାବେଳେ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମ ନିର୍ମାଣ କରିବାକୁ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ଘେନି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।୧୨୫ ଦିନ ପାଇଁ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି। ଏଥିରେ ୨୫ପ୍ରକାର କାମ ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। 

ଓଡିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଥିବାରୁ ଏହି ୬ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ମୋଟ ୫୦ହଜାର କୋଟି ଟଙ୍କାର ସମ୍ବଳ ଯୋଗାଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତ।

କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିଚ୍ଛନ୍ନତା, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ନୂଆ ଓ ଅକ୍ଷୟ ଶକ୍ତି, ବର୍ଡର ରୋଡ୍‌ସ, ଟେଲିକମ୍‌ ଓ କୃଷି ଆଦି ମନ୍ତ୍ରଣାଳୟ ଓ ବିଭାଗ ଅନ୍ତର୍ଭୁକ୍ତ।

Share this: