ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ

Share this:

ଭୁବନେଶ୍ଵର:କୋଭିଡ୍‌(Covid-19 )ମହାମାରୀ ଯୋଗୁଁ ନିଜ ନିଜର ଭିଟାମାଟିକୁ ଫେରିଆସିଥିବା ଶ୍ରମିକ ଏବଂ ସ୍ଥାନୀୟ ଅଭାବୀ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ(Garib Kalyan RojgarAbhiyaan -GKRA) ଓଡିଶା ସମେତ ୬ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଅନ୍ୟ ରାଜ୍ୟଗୁଡିକ ହେଲେ ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ। ଏହି ୬ଟି ରାଜ୍ୟର ୧୧୬ଟି ଜିଲାରେ ଏହା କାର୍ଯ୍ୟକାରୀ ହେଉଛି। ଲୋକଙ୍କୁ ଜୀବିକା ଉପାର୍ଜନର ସୁଯୋଗ ଯୋଗାଇ ଦେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଓ ବିଭାଗ ସହିତ ସଂପୃକ୍ତ ରାଜ୍ୟ ସରକାର ମିଳିତଭାବେ କାମ କରୁଛନ୍ତି। ଏହାଦ୍ୱାରା ଗ୍ରାମକୁ ଫେରିଆସିଥିବା ପ୍ରବାସୀ ଶ୍ରମିକ ଓ ଗ୍ରାମାଞ୍ଚଳ ସମୁଦାୟ ବିଶେଷ ଉପକୃତ ହେଉଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଏକ ସଫଳ କାହାଣୀ ରହିଛି। ଏହି ଯୋଜନାରେ ଯେଉଁ ହିତାଧିକାରମାନଙ୍କ ଘର ତିଆରି ହୋଇଛି ସେମାନଙ୍କ ମଧ୍ୟରୁ ଓଡ଼ିଶାର ଶଶି ବାରିକ ଅନ୍ୟତମ। ବର୍ତ୍ତମାନ ସେ ଜାତୀୟଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଶଶୀ ବାରିକ, ଗ୍ରାମ-ତେଭାଡୁଙ୍ଗୁରି, ଗ୍ରାମପଞ୍ଚାୟତ- ହୀରାପୁର, ବ୍ଲକ- ଲୋହିସିଂହା, ଜିଲା- ବଲାଙ୍ଗୀର। କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ଦେଶ ସଂପୂର୍ଣ୍ଣ ଲକ୍‌ଡାଉନରେ ଥିଲା ଶଶୀ ବାରିକ ତାଙ୍କ ଘର ତିଆରି କରିବାକୁ ନିଷ୍ପତ୍ତି ନେଲେ। ଏହି ଘରଟି ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ( PMAY-G )ରେ ମଂଜୁର ହୋଇଥିଲା। ଅପ୍ରତ୍ୟାଶିତଭାବେ ଲକ୍‌ଡାଉନ ଘୋଷଣା ହେବାରୁ ଘର ତିଆରି କରିବା ପାଇଁ ଆବଶ୍ୟକ ଉପକରଣ ଏବଂ ଲୋକଶକ୍ତି ଯୋଗାଡ କରିବାକୁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ଫଳରେ ସରକାରୀ ସହାୟତା ଅର୍ଥର ପ୍ରଥମ କିସ୍ତି ପାଇବାର ଏକ ମାସ ମଧ୍ୟରେ ଶଶୀଙ୍କ ଘର ତିଆରି ସଂପୂର୍ଣ୍ଣ ହୋଇପାରିଥିଲା।

ଏ ସଂପର୍କରେ ୮୦ ବର୍ଷ ବୟସ୍କା ବିଧବା ଶଶୀ ବାରିକ କହନ୍ତି ‘ଆମେ ଆମର ନୂଆ ସିମେଣ୍ଟ କଂକ୍ରିଟ ଘରେ ଏବେ ଆନନ୍ଦରେ ରହୁଛୁ। ପକ୍କା ଘରଟିଏ ତିଆରି କରିବା ପାଇଁ ଆମଭଳି ଗରିବ ପରିବାରଙ୍କୁ ସରକାର ଯେଉଁ ସାହାଯ୍ୟ ସହଯୋଗ କଲେ ସେଥିପାଇଁ ତାଙ୍କୁ ଧନ୍ୟବାଦ। ଏବେ ମୁଁ ମୋ ଘରର ମାଲିକ।’ ପୂର୍ବରୁ ଶଶୀ ତାଙ୍କ ପରିବାର ସହ ବଲାଙ୍ଗୀର ଜିଲା ଲୋଇସିହାଁ ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମପଞ୍ଚାୟତର ତେଭାଟୁଙ୍ଗୁରି ଗ୍ରାମରେ ଏକ ଅର୍ଦ୍ଧଭଗ୍ନ ଘରେ ରହୁଥିଲେ।

ଶଶୀଙ୍କ ପୁଅ ଜଣେ ଦିନମଜୁରିଆ। ନିଜର ସ୍ୱଳ୍ପ ରୋଜଗାରରେ ୫ ପ୍ରାଣୀ କୁଟୁମ୍ବ ଦୈନିକ ବଡ କଷ୍ଟରେ ଚଳୁଥିଲେ। ଏହି ପରିବାର ପାଇଁ ଖଣ୍ଡିଏ ପକ୍କା ଘର ଏକ ସୁଦୂର ପରାହତ ସ୍ୱପ୍ନ ଥିଲା। ସେ ଯାହାହେଉ ସରକାର ଶଶୀଙ୍କୁ ସହାୟତାର ହାତ ବଢାଇଲେ। ଗ୍ରାମାଞ୍ଚଳ ଆବାସ ନିର୍ମାଣ ଯୋଜନାରେ ପକ୍କା ଘର ଖଣ୍ଡିଏ କରିବା ପାଇଁ ତାଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ସହାୟତା ମିଳିଲା। ନିର୍ଦ୍ଧାରିତ ସମୟ ଆଗରୁ ଘର ତିଆରି କରିବାରେ ସଫଳ ହୋଇଥିବାରୁ ଶଶୀଙ୍କୁ ସରକାର ଆଉ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ଯୋଗାଇଦେବେ।

Also Read:

ଭାରତରେ କେବଳ ଏହି ତିନୋଟି ରାଜ୍ୟରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ

ପତିଙ୍କ ଆୟକର ରିଟର୍ଣ୍ଣ ବିବରଣୀ ପତ୍ନୀ ଦେଖିପାରିବେ ନାହିଁ !

Share this: