Breaking Newsଓଡ଼ିଶା

ଗଞ୍ଜାମ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍,‌ ସମସ୍ତ ପ୍ରବେଶ ପଥ ସିଲ୍

Share this:

ଗଞ୍ଜାମ : ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅବଶ୍ୟ ପୂର୍ବ ଅପେକ୍ଷା ଗତ ଏକ ସପ୍ତାହ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଟିକେ ହ୍ରାସ ପାଇଛି।  ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପ୍ରେସ୍‌ମିଟ୍‌ରେ କହିଛନ୍ତି ଯେ ଗତ କିଛିଦିନ ଧରି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି, ଘରକୁ ଘର ସର୍ଭେ ଦ୍ଵାରା  ଆକ୍ରାନ୍ତଙ୍କ ସଂଖ୍ୟା କମିଛି ମାତ୍ର ଅନ୍ୟ ଜିଲା ଅପେକ୍ଷା ଗଞ୍ଜାମରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ରହୁଛି। ଏଣୁ ଗଞ୍ଜାମ ଜିଲାରେ ୩୧ ଅଗଷ୍ଟ ଯାଏଁ ଲକ୍ ଡାଉନ ଏବଂ ସପ୍ତାହକୁ  ଦୁଇ ଦିନ ସଟଡାଉନ ଜାରି ରହିବ।

ଗଞ୍ଜାମର ସବୁ ପ୍ରବେଶ ପଥ ସିଲ୍‌ ବଳବତ୍ତର ରହିବ ,ଗଞ୍ଜାମକୁ ଅନ୍ୟ ଜିଲା ଲୋକଙ୍କ ଯାତାୟାତ ଉପରେ କଟକଣା ରହିବ, ବ୍ରହ୍ମପୁରକୁ ମଧ୍ୟ ଅନ୍ୟ ଅଞ୍ଚଳ ଲୋକଙ୍କ ଯାତାୟାତ ଉପରେ କଟକଣାଜାରି ରହିବ। ଜିଲାରେ ସକାଳ ୫ଟାରୁ ଅପରାହ୍ଣ ୪ଟା ଯାଏ ଦୋକାନ ଖୋଲା ରହିବ, ପ୍ରତି ଶନିବାର ଓ ରବିବାର ଜିଲାରେ ସଟ୍‌ଡାଉନ୍‌ ରହିବ, ଅପରାହ୍ଣ ୪ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ।

ଗଞ୍ଜାମର ଦୋକାନୀମାନେ, ଦୋକାନରେ ସାମଜିକ ଦୂରତା ନିୟମ ପାଳନ ସହିତ ଦୋକାନ ଆଗରେ ବ୍ୟାରିକେଡ୍‌ ତିଆରି କରିବେ। ଗ୍ରାହକଙ୍କ ପାଇଁ ଦୋକାନ ଆଗରେ ସର୍କଲ ରହିବ, ସେହି ସର୍କଲ ଭିତରେ ଗ୍ରାହକ ଛିଡା ହେବେ। ନୋ ମାସ୍କ ନୋ ଗ୍ରୋସରି ନିୟମ ଲାଗୁ ହେବ। ଦୋକାନୀ ମାସ୍କ ପିନ୍ଧିବେ ଓ ଦୋକାନ ବାହାରେ ସାନିଟାଇଜର ରଖିବେ। ଯଦି କୌଣସି ଦୋକାନି ଏହି ନିୟମ ଅବମାନନା କରନ୍ତି ତେବେ ତାଙ୍କ ଦୋକାନ ସିଲ୍ ହେବା ସହ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ।

ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶକୁ ନେଇ କଟକଣା ରହିବ ବୋଲି ବି ସେ କହିଛନ୍ତି। କେବଳ ଜରୁରୀ କାଳୀନ ବ୍ୟବସ୍ଥା ଓ ପାସ ବ୍ୟବସ୍ଥାକୁ ହିଁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ଯେ  ଅମ୍ଳଜାନ ସ୍ତର କମିବା ଯୋଗୁଁ ମୃତ୍ୟୁ ବଢୁଛି। ନିହାତି ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବାକୁ, ରୋଗକୁ ନ ଲୁଚାଇବାକୁ ଏବଂ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ଗତ ଚାରି ମାସର ସହଯୋଗ ଲାଗି ସେ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Share this: