Farmers New Agricultural Law: ଏନ୍‍.ଡି.ଏ. ସରକାର କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Share this:

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଦେଶର କୃଷକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ନୂଆ କୃଷିନୀତି ସେମାନଙ୍କର ବିକାଶ ଲାଗି ପ୍ରଣୟନ କରାଯାଇଛି। ଗତକାଲି ନିଜ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର (Uttarpradesh) ବାରଣାସୀ (Varanasi) ଠାରେ ଉଦ୍‍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଚାଷୀଙ୍କ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବା କ୍ଷେତ୍ରରେ ସୁଯୋଗ ପ୍ରଦାନ ସହ ମଣ୍ଡି ବ୍ୟବସ୍ଥାର ସୁଦୃଢ଼ୀକରଣ ହୋଇପାରିବ।

କୃଷିକ୍ଷେତ୍ରରେ ନୂତନ ସଂସ୍କାର ମାଧ୍ୟମରେ କୃଷକମାନଙ୍କୁ ଆଇନଗତ ସୁରକ୍ଷା ମିଳିବା ସହ ସେମାନଙ୍କର ସୁବିଧା ନିମନ୍ତେ ନୂତନ ସୁଯୋଗ ମଧ୍ୟ ଉପଲବ୍ଧ କରାଯାଇପାରିଛି। ଯଦି କେହି ପୁରୁଣା ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେ ତାହା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ଉଦ୍ଦେଶ୍ୟରେ ଏନ୍‍.ଡି.ଏ. (NDA) ସରକାର କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ  କରୁଛନ୍ତି।

ପୂର୍ବରୁ କ୍ଷୁଦ୍ର ଚାଷୀମାନେ ନିଜର ଉତ୍ପାଦ ଦ୍ରବ୍ୟକୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସମର୍ଥ ହେଉ ନ ଥିଲେ; ମାତ୍ର ଏହି ନୂତନ ନୀତିଦ୍ୱାରା ସେମାନେ ନିଜ ଉତ୍ପାଦକୁ ଇଚ୍ଛା ଅନୁସାରେ ବଜାରରେ ବିକ୍ରି କରିପାରିବେ ଏବଂ ଏଦିଗରେ ଯେକୌଣସି ପ୍ରକାର ବେନିୟମ କାର୍ଯ୍ୟକୁ ରୋକାଯାଇପାରିବ। ନୂଆ କୃଷି ଆଇନ୍‍ ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରସାର କରାଯାଉଥିବା ଅଭିଯୋଗ କରି ସେ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ସରକାରଙ୍କ ପ୍ରତ୍ୟେକଟି ସଂସ୍କାର କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି। ଏଭଳିକି ଦେଶର ବିକାଶ ଲାଗି ସରକାରଙ୍କ ପ୍ରତ୍ୟେକଟି ପଦକ୍ଷେପକୁ ବିରୋଧ କରିବା ଏବଂ ଭ୍ରମାତ୍ମକ ତଥ୍ୟ ପ୍ରସାର କରିବା ଏଣିକି ବିରୋଧୀ ଦଳଗୁଡ଼ିକର ଅଭ୍ୟାସରେ ପରିଣତ ହେଲାଣି।

ସେ କହିଛନ୍ତି, ପୂର୍ବ ସରକାରଗୁଡ଼ିକ ଦ୍ୱାରା କୃଷକମାନଙ୍କୁ ଅବହେଳା କରାଯାଇଥିବାରୁ ସେମାନେ ନୂଆ କୃଷି ଆଇନ୍‍କୁ ବିଶ୍ୱାସକୁ ନେଇପାରୁ ନାହାନ୍ତି। ସେ ଅଭିଯୋଗ କରିଛନ୍ତି, ପୂର୍ବରୁ କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ୍‍ ଗୁଡ଼ିକର ଲାଭ କେବେବି ଗରିବ ଚାଷୀଙ୍କ ପାଖରେ ପହଞ୍ଚିପାରି ନାହିଁ। ଏନ୍‍.ଡି.ଏ. ସରକାର ସବୁବେଳେ ନିଜର ପ୍ରତିଶ୍ରୁତିରକ୍ଷା କରିବାରେ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକମାନଙ୍କୁ ଉନ୍ନତମାନର ବିହନ, ଜଳସେଚନ, ବିକ୍ରିବଟା ସହ ବୀମା ସୁବିଧା ଯୋଗାଇ ଦେଇ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିବାରେ ଏନ୍‍.ଡି.ଏ. ସରକାର ସବୁବେଳେ  ସାହାଯ୍ୟ କରିଆସୁଛି।

ଏନ୍‍.ଡି.ଏ. ସରକାର ଅନେକ ସମୟରେ ଚାଷୀମାନଙ୍କ ଉତ୍ପାଦକୁ ୟୁ.ପି.ଏ. ସରକାରଙ୍କ ସମୟରେ କିଣାଯାଇଥିବା ମୂଲ୍ୟରୁ ଯଥେଷ୍ଟ ଅଧିକ ଅର୍ଥ ଦେଇ ସଂଗ୍ରହ କରିଛନ୍ତି। ସେହିଭଳି ୟୁରିଆ ବଣ୍ଟନ କ୍ଷେତ୍ରରେ ହୋଇଥିବା କଳାବଜାରୀକୁ ସରକାର ବନ୍ଦ୍‍ କରିବା ଦିଗରେ ନିଜର ପ୍ରତିଶ୍ରୁତି ରକ୍ଷା କରିବା ସହ ଚାଷୀମାନଙ୍କ ନିକଟରେ ଯଥେଷ୍ଟ ପରିମାଣର ୟୁରିଆ ପହଞ୍ଚାଇବାରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

ସ୍ୱାମୀନାଥନ୍‍ କମିଶନ୍‍ଙ୍କ ସୁପାରିସ୍‍ ଅନୁସାରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତ। ଏପରିକି ଲକ୍‍ଡାଉନ୍‍ ସମୟରେ ମଧ୍ୟ ସରକାର ଚାଷୀମାନଙ୍କୁ ସାର ଯୋଗାଇ ଦେଇଛନ୍ତି । ମଣ୍ଡିଗୁଡ଼ିକର ଆଧୁନିକୀକରଣ ଦିଗରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।

[amazon_auto_links id=”9932″]

Share this: