Durga Puja : ରାଜ୍ୟରେ ପାଳିତ ହେଉଛି ଦୁର୍ଗାପୂଜା, ସବୁଆଡ଼େ ଖାଲି ଖାଁ ଖାଁ

Share this:

କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ପୂଜାମଣ୍ଡଗୁଡ଼ିକରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମା’ଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି। ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। କୋଭିଡ୍‍ କଟକଣା ଯୋଗୁଁ ମଣ୍ଡପ, ଦେବାଳୟ ଏବଂ ଦେବୀପୀଠଗୁଡ଼ିକରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳୁନାହିଁ। ସବୁଆଡ଼େ ଖାଲି ଖାଁ ଖାଁ ଲାଗୁଛି।

ତେବେ କୋବିଡ୍‍ କଟକଣା ମଧ୍ୟରେ ମାତ୍ର ୫ରୁ ୬ଜଣ କର୍ମକର୍ତ୍ତା ଏବଂ ପୂଜକଙ୍କ ଉପସ୍ଥିତିରେ ପୂଜା ଅନୁଷ୍ଠିତ ହେଉଛି। କଟକ (Cuttack) ଓ ଭୁବନେଶ୍ୱର (Bhubaneswar)ରେ ଏଥର ନିରାଡମ୍ବର ଭାବେ ପୂଜା କରାଯାଉଛି। କେତେକ ପୂଜା ମଣ୍ଡପ ପକ୍ଷରୁ ମା’ଙ୍କ ଦର୍ଶନ ପାଇଁ ଅନ୍‍ଲାଇନ୍‍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ ପୂଜା ମଣ୍ଡପରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କଟକ ସହରରେ ୧୧୦ ପୁଲିସ ଅଫିସର ଓ ୩୦ ପ୍ଲାଟୁନ ଫୋର୍ସକୁ ନିୟୋଜିତ କରାଯାଇଛି। ବିଶେଷକରି ପୂଜାରେ ଯେପରି ଆଇନ୍‍ଶୃଙ୍ଖଳା ଭଙ୍ଗ ନହୁଏ କିମ୍ବା କୌଣସି ଅପରାଧ ନଘଟେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେହିପରି ଭଦ୍ରକ (Bhadrak) ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ବହୁ ପୁରାତନ ଦେବୀ ଜୟଦୁର୍ଗାଙ୍କର ଆଜି ମହିଷା ମଦ୍ଦିନୀ ବେଶ ଅନୁଷ୍ଠିତ ହେବା ସହ ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ସମେତ ବିଭିନ୍ନ ଠାକୁରାଣୀ ପୂଜା ମଣ୍ଡପ ଏବଂ ମୃଣ୍ମୟୀ ଦୁର୍ଗାଙ୍କ ମେଢ଼ ନିକଟରେ କୋଭିଡ୍‍ ନିୟମ ଅନୁସାରେ ପୂଜାପାଠ, ନିତିକାନ୍ତୀରେ ହେଉଛି।

କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣୀକେଶ୍ୱରୀଙ୍କର ଛତର ଯାତ୍ରା ନିରାଡ଼ମ୍ବର ଭାବେ ଆଜି ଅନୁଷ୍ଠିତ ହେଉଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଯାତ୍ରା ପାଇଁ ସ୍ୱତନ୍ତ୍ର ଗାଇଡ୍‍ଲାଇନ୍‍ ଜାରି କରାଯାଇଛି। ଛତର ସହିତ ପୂଜାର୍ଚ୍ଚନା ଏବଂ ରୀତିନୀତି ପାଇଁ ମନ୍ଦିର ପକ୍ଷରୁ ୨୦ଜଣ, ଗୋଟିଏ ଘୁମୁରା ଦଳ ଏବଂ ମନ୍ଦିରର ବାଜା ସମେତ ସମୁଦାୟ ୩୨ ଜଣ ଛତର ଯାତ୍ରାରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଦର୍ଶକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ସମେତ ଜୁନାଗଡ଼ର ଦେବୀ ଲଙ୍କେଶ୍ୱରୀ, କାକଟପୁରର ମା’ ମଙ୍ଗଳା, ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରର ଉଗ୍ରତାରା, ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ବଡ଼ମ୍ବାର ଭଟ୍ଟାରିକା, ଝଙ୍କଡ଼ର ମା’ ସାରଳାଙ୍କର ଶାରଦୀୟ ଉତ୍ସବ ଓ ପୂଜାପାଠ ପାରମ୍ପରିକ ରୀତି ଅନୁଯାୟୀ ଚାଲିଛି।

Also Read | Weather Report: ଆଜି ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

Share this:

Leave a Reply

Your email address will not be published. Required fields are marked *