ଭାରତରେ ଦିନକୁ ପାଖାପାଖି ୯ଲକ୍ଷ ରେକର୍ଡ ପରୀକ୍ଷଣ, ଗୋଟିଏ ଦିନରେ ସର୍ବାଧିକ ୫୭,୯୩୭ ସୁସ୍ଥ,୧୦୯୨ ମୃତ
ଭାରତ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି। ୮ଲକ୍ଷ ୯୯ ହଜାର ୮୬୪ ଟି ନମୁନା ଗୋଟିଏ ଦିନରେ ପରୀକ୍ଷା କରାଯାଇଛି ଯାହାକି ଏପର୍ଯ୍ୟନ୍ତ ସର୍ବକାଳିନ ଦିନିକିଆ ରେକର୍ଡ। ଏପର୍ଯ୍ୟନ୍ତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩ କୋଟି ୯ ଲକ୍ଷ ୪୧ ହଜାର ୨୬୪ ରେ ପହଞ୍ଚିଛି।
ଏତେ ସଂଖ୍ୟକ ପରୀକ୍ଷା ସତ୍ଵେ ପଜିଟିଭ ହାର ୮.୮୧ପ୍ରତିଶତରେ ରହିଛି। ଗତ ସପ୍ତାହରେ ଜାତୀୟ ପଜିଟିଭ ହାର ୮.୮୪ ରହିଥିଲା ।
ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ରେକର୍ଡ ସଂଖ୍ୟକ ୫୭ ହଜାର ୯୩୭ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ଏହି ସଂଖ୍ୟା ଆକ୍ରାନ୍ତଙ୍କ ଠାରୁ ୫୫ ହଜାର ୭୯ ରୁ ଅଧିକ।ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ବାହାରୁଥିବା ଯୋଗୁଁ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ୩୭ ହଜାର ୮୭୧ ରେ ପହଞ୍ଚିଛି। ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଆଜି ୧୩ ଲକ୍ଷ ରୁ ଅଧିକ ହୋଇଛି।
ଦୈନିକ ହାରାହାରି ସୁସ୍ଥତା ହାର କ୍ରମାଗତ ଭାବେ ବଢୁଥିବାରୁ ଭାରତର ସୁସ୍ଥତା ହାର ଶତକଡା ୭୩.୧୮ ହୋଇଥିବା ବେଳେ ମୃତ୍ୟୁହାର ମଧ୍ୟ ୧.୯୨ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ଦକ୍ଷ ପରିଚାଳନା ଯୋଗୁଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ମଧ୍ୟ ଜାତୀୟ ହାରାହାରି ଠାରୁ ନିମ୍ନରେ ରହିଛି। ବ୍ୟାପକ ପରୀକ୍ଷା, ସଅଳ ଚିହ୍ନଟିକରଣ ଓ ପଜିଟିଭ ମାମଲାଗୁଡିକର ଏକାନ୍ତବାସ ଯୋଗୁଁ ଏହି ମୃତ୍ୟୁହାର ହ୍ରାସ ପାଇଛି। ଦେଶରେ ବର୍ତ୍ତମାନ ୬ ଲକ୍ଷ ୬୭ ହଜାର ୫୧୪ ଜଣ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୨୪.୯୧ ପ୍ରତିଶତ। ଏହା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ରୋଗ ନିରୂପଣ ପାଇଁ ଦେଶରେ ପରୀକ୍ଷାଗାର ନେଟୱାର୍କ ମଧ୍ୟ ବ୍ୟାପକ କରାଯାଇଛି। ୯୭୧ଟି ସରକାରୀ, ୫୦୫ଟି ଘରୋଇ ଏହିପରି ମୋଟ ୧୪୭୬ ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ୬୪ ହଜାର ୫୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୨ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା।