କରୋନା ଟୀକା ପାଇବା ପାଇଁ ଅନ୍ୟ କୌଣସି ମାର୍ଗ ଅବଲମ୍ବନ ନକରିବା ପାଇଁ ସମସ୍ତ ରାଜ୍ୟକୁ ପରାମର୍ଶ: କୋଭିଡ-୧୯ ଟୀକା ଜାତୀୟ ବିଶେଷଜ୍ଞ ଦଳ

Share this:

ନୂଆଦିଲ୍ଲୀ : କୋଭିଡ-୧୯(Covid-19) ସମ୍ଭାବ୍ୟ ଟୀକା ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳର ଏକ ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ନୀତି ଆୟୋଗ ସଦସ୍ୟ ଡଃ ଭି.କେ. ପଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଏଥିରେ ସହଅଧ୍ୟକ୍ଷତା କରିଥିଲେ।

ବିଶେଷଜ୍ଞ ଦଳର ଏହି ବୈଠକରେ କୋଭିଡ-୧୯ ଟୀକାର ପରିକଳ୍ପନାଠାରୁ ଆରମ୍ଭ କରି ଏହାର ଡିଜିଟାଲ ଭିତ୍ତିଭୂମି ପରିଚାଳନା ଓ ଟୀକାକରଣ ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଦେଶରେ କୋଭିଡ-୧୯ ଟୀକା ପରିଚାଳନା ନିମନ୍ତେ ସ୍ଵଚ୍ଛାସେବୀ ଚିହ୍ନଟ ପ୍ରକ୍ରିୟା ଓ ଟୀକାକରଣ ପାଇଁ ଗଠିତ ସ୍ଥାୟୀ ବୈଷୟିକ ପରାମର୍ଶଦାତା ସବକମିଟିର ମତାମତ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ଦେଶୀୟ ଓ ବିଦେଶୀ ଟୀକା ନିର୍ମାଣ ଏବଂ ଟୀକାକରଣ ପାଇଁ ଜନସଂଖ୍ୟାର ମାନକ ନିର୍ଦ୍ଧାରଣ ଭଳି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

ବିଶେଷଜ୍ଞ ଦଳ କୋଭିଡ-୧୯ଟୀକା ପାଇଁ ଆବଶ୍ୟକ ଅର୍ଥ ଓ ଏହାର ସମ୍ଭାବ୍ୟ ଉପଲବ୍ଧତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହାଛଡା ଏବାବଦ ବିସ୍ତୃତ ରଣନୀତି ଓ ସମ୍ଭାବ୍ୟ ଆବଶ୍ୟକତା ତଥା ବିତରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଟୀକାର ନିରାପତ୍ତା, ଯାଞ୍ଚ ଓ ଏ କ୍ଷେତ୍ରରେ ଜନସମାଜର ସହାୟତା, ସ୍ଵଚ୍ଛ ତଥ୍ୟ ଓ ଜନସଚେତନତା ସୃଷ୍ଟି ବିଷୟରେ ଆଲୋଚନା ହୋଇଥିଲା। ଟୀକା ସମ୍ପର୍କରେ ଭାରତର ମୁଖ୍ୟ ପଡୋଶୀମାନଙ୍କୁ ସାହାଯ୍ୟ ଓ ଟୀକା ପ୍ରସ୍ତୁତି ନେଇ ଅଂଶୀଦାର ଦେଶମାନଙ୍କ ଯୋଗଦାନ ସମ୍ପର୍କରେ ମଧ୍ୟ ସଦସ୍ୟଗଣ ଆଲୋଚନା କରିଥିଲେ। ଭାରତ ଦେଶୀୟ ଟୀକା ପ୍ରସ୍ତୁତିର ସାମର୍ଥ୍ୟର ସମ୍ଭାବନା ଓ ଏଥିରେ ଭାରତ ବାହାର ଦେଶମାନଙ୍କର ଯୋଗଦାନ ଓ ଟୀକାର ଶୀଘ୍ର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶର ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାଙ୍କୁ କିପରି ଉପଲବ୍ଧ ହୋଇପାରିବ ସେନେଇ ମଧ୍ୟ ସଦସ୍ୟମାନେ ଆଲୋଚନା କରିଥିଲେ।

ଟୀକା ପାଇବା ପାଇଁ ଅନ୍ୟ କୌଣସି ମାର୍ଗ ଅବଲମ୍ବନ ନକରିବା ପାଇଁ ସମିତି ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Share this: