‘ମିଶନ କର୍ମଯୋଗୀ’ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,ଦକ୍ଷ ହେବେ ସରକାରୀ କର୍ମଚାରୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ବା ( NPCSCB) ଅନୁମୋଦନ ଲାଭ କରିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ମନ୍ତ୍ରୀ ପରିଷଦ ସ୍ୱୀକୃତି ଦେଇଛି। ସିଭିଲ ସର୍ଭେଣ୍ଟମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏନ୍‌ପିସିଏସ୍‌ସିଭି ବେଶ୍‌ ସତର୍କତାର ସହିତ ତିଆରି କରାଯାଉଛି।

ସିଭିଲ ସେବା (Civil Service ) ବା ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ଉପରେ ଅନେକ ସେବା ଓ ଯୋଜନାର ଭବିଷ୍ୟତ ନିର୍ଭର କରେ। ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ପ୍ରମୁଖ ସରକାରୀ କାର୍ଯ୍ୟକ୍ରମର ରୂପାୟନରେ ଏହି କର୍ମଚାରୀମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସେମାନଙ୍କର ଦକ୍ଷତା ଓ ପ୍ରଦର୍ଶନର ମାନ ଉପରେ ସରକାରୀ କାର୍ଯ୍ୟକ୍ରମର ସଫଳତା ନିର୍ଭର କରିଥାଏ। ଏ କ୍ଷେତ୍ରରେ କିଛି ସଂସ୍କାର ଆଣିବା ପାଇଁ ସରକାର ପ୍ରୟାସ କରିଛନ୍ତି। କର୍ମସଂସ୍କୃତିରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ କର୍ମଚାରୀଙ୍କୁ ସଶକ୍ତ, ଦକ୍ଷ କରିବା ସହ ସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନଗୁଡିକୁ ମଜଭୁତ କରିବାକୁ ଆଧୁନିକ ଟେକ୍ନୋଲଜିର ଉପଯୋଗ କରାଯାଉଛି। ଏହାଦ୍ୱାରା ନାଗରିକଙ୍କୁ ଉତ୍ତମ ସରକାରୀ ସେବା ଅବିଳମ୍ବେ ଯୋଗାଇ ଦିଆଯିବ ବୋଲି ସରକାର ଆଶା ରଖିଛନ୍ତି।

ଏହି ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏପରି ତାଲିମ ଦିଆଯିବ ଯାହାଫଳରେ ସେମାନେ ଭାରତୀୟ ସଂସ୍କୃତି ଓ ଦାୟିତ୍ୱବୋଧ ସହିତ ଯୋଡି ହୋଇ ରହିବେ। ବିଦେଶର ଯେକୌଣସି ଶ୍ରେଷ୍ଠ ଅନୁଷ୍ଠାନ ଓ ବ୍ୟବସ୍ଥାରେ ପାଠ ପଢିଲେ ମଧ୍ୟ ସେମାନେ ମାନସିକଭାବେ ଭାରତୀୟ ବିଚାର ସହିତ ନିବିଡ଼ ରହିବେ। ଏହି କାର୍ଯ୍ୟକ୍ରମ ଏକ ସମନ୍ୱିତ ସରକାରୀ ଅନ୍‌ଲାଇନ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ। ସେଥିପାଇଁ ଆଇଗଟ୍‌ କର୍ମୟୋଗୀ ପ୍ଲାଟଫର୍ମ (Integrated Government Online Training) ଗଠନ କରାଯିବ।

ଆଇଗଟ୍‌-କର୍ମଯୋଗୀ ପ୍ଲାଟଫର୍ମ ( IGOT )ଅତ୍ୟାଧୁନିକ ଭିତ୍ତିଭୂମି ଓ ଜ୍ଞାନକୌଶଳରେ ସମୃଦ୍ଧ ହୋଇ ଦେଶର ଦୁଇକୋଟିରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଦକ୍ଷତା ବିକାଶର ମନ୍ତ୍ର ଦେବ। ବିଷୟବସ୍ତୁ ଦୃଷ୍ଟିରୁ ତାଲିମ କାର୍ଯ୍ୟକ୍ରମକୁ ବିଶ୍ୱର ସର୍ବଶ୍ରେଷ୍ଠ କରିବାକୁ ଉଦ୍ୟମ କରାଯାଉଛି। ଏଥିପାଇଁ ଯେଉଁସବୁ ଡିଜିଟାଲ ଇ-ଲର୍ଣ୍ଣିଂ ମେଟେରିଆଲ ଉପଲବ୍‌ଧ ହେଉଛି ସେଗୁଡିକ ବେଶ୍‌ ସତର୍କତାର ସହ ପ୍ରସ୍ତୁତ କରାଯାଇଛି। 

ମିଶନ କର୍ମଯୋଗୀ ଭାରତୀୟ ସିଭିଲ ସର୍ଭେଣ୍ଟମାନଙ୍କୁ ଅଧିକ ରଚନାତ୍ମକ, ଗଠନମୂଳକ, କଳ୍ପନାପ୍ରୟାସୀ, ଇନୋଭେଟିଭ୍‌ ଏବଂ ସକ୍ରିୟ ପ୍ରଗତିଶୀଳ, ସମର୍ଥ, ସ୍ୱଚ୍ଛ ଏବଂ ବୈଷୟିକ ବିଦ୍ୟାରେ ନିପୁଣକରି ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ଉଦ୍ଦିଷ୍ଟ। ସଂସ୍କାରିତ ବ୍ୟବସ୍ଥାରେ ସରକାରୀ କର୍ମଚାରୀମାନଙ୍କୁ ସୁଦକ୍ଷ ଓ ସମର୍ଥ କରି ଲୋକଙ୍କୁ ଶ୍ରେଷ୍ଠମାନର ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

Also Read:

ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟକ୍ଷେତ୍ରରେ ଅପରାଗମାନଙ୍କୁ ବିଦା କରିବେ କେନ୍ଦ୍ର ସରକାର

ସାବଧାନ! ଆଧାର କାର୍ଡରେ ପୁରା ଜୀବନ କାଳରେ ଥରେ ମାତ୍ର ଏହି ଅପଡେଟ୍ କରିପାରିବେ

Share this: