ଆଗ୍ରାରେ ବସ୍ ହାଇଜାକ୍:୩୪ ଯାତ୍ରୀ ଅଛନ୍ତି ବସରେ
ଆଗ୍ରା:ଉତ୍ତରପ୍ରଦେଶର ଆଗ୍ରା ସହରର କିଛି ଲୋକ ଏକ ଘରୋଇ ବସ୍ ଅପହରଣ କରି ଡ୍ରାଇଭର-କଣ୍ଡକ୍ଟରଙ୍କୁ ବନ୍ଧକ ରଖିଥିଲେ। ବସ୍ରେ ୩୪ ଜଣ ଯାତ୍ରୀ ଅଛନ୍ତି। ସେମାନେ ଯାତ୍ରୀମାନଙ୍କ ସହିତ ବସ୍ ନେଇଥିଲେ। ସକାଳେ ଡ୍ରାଇଭର ଓ ହେଲପର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।
ସୂଚନା ଅନୁସାରେ ,ମଙ୍ଗଳବାର ବିଳମ୍ବିତ ରାତିରେ ଗୁରୁଗ୍ରାମରୁ ବସ୍ କୁ ଫାଇନାନ୍ସ କର୍ମଚାରୀମାନେ ଯାତ୍ରୀଙ୍କ ସହିତ ହାଇଜାକ କରିନେଇଥିଲେ।ସେମାନଙ୍କ ସନ୍ଧାନରେ ସମଗ୍ର ଜିଲ୍ଲାକୁ ସତର୍କ କରାଯାଇଛି। ସୀମାରେ ଯାଞ୍ଚ କରାଯାଉଛି। ରାତି ସାଢେ ଦଶରେ ସେମାନେ ଦକ୍ଷିଣ ବାଇପାସ୍ ଟୋଲ୍ ପ୍ଲାଜାରେ ପହଞ୍ଚିଥିଲେ। ସେମାନେ ନିଜକୁ ଫାଇନାନ୍ସ କର୍ମଚାରୀ ବୋଲି କହି ବସ ଅଟକାଇଲେ। ଡ୍ରାଇଭରକୁ ବସରୁ ଓହ୍ଲାଇବାକୁ କହିଥିଲେ। କିନ୍ତୁ ଡ୍ରାଇଭର ଓହ୍ଲାଇ ନଥିଲେ ଓ ସେ ବସ୍ ନେଇ ସେଠାରୁ ଚାଲିଯାଇଥିଲେ। କାରରେ ଥିବା ଫାଇନାନ୍ସ ଲୋକମାନେ ବସ୍ ପଛରେ ଗୋଡ଼ାଇଥିଲେ।ବାଇପାସ୍ ଉପରେ ସେମାନେ ବସ୍ ଆଗକୁ ଯାଇ ତାଙ୍କ କାରକୁ ଆଗରେ ରଖିଥିଲେ। ଡ୍ରାଇଭର ଏବଂ ହେଲପରଙ୍କୁ ଜବରଦସ୍ତ ବସରୁ ଓହ୍ଲାଇ ଦେଇଥିଲେ। ବସ୍ରେ ବସିଥିବା ଯାତ୍ରୀମାନେ ଆତଙ୍କିତ ହୋଇଥିଲେ ଓ ଚିତ୍କାର କରିଥିଲେ। ଫାଇନାନ୍ସ କର୍ମଚାରୀମାନେ ଶାନ୍ତ ରହିବାକୁ କହିଥିଲେ। କାହା ପାଇଁ ବିପଦ ନାହିଁ। ଚାରିଜଣ ବସ ଭିତରେ ଓ ଜଣେ ବସ ଚଳେଇଲା। ସକାଳ ଚାରିରେ ଡ୍ରାଇଭର ଏବଂ ହେଲପର ପୋଲିସ ଷ୍ଟେସନରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ।
ଏକ ବିବୃତିରେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ, ଫାଇନାନ୍ସ୍ କମ୍ପାନି ବେଆଇନ୍ ଭାବେ ବସ୍ଟିକୁ ଜବତ କରିଛି। ବସ୍ କର୍ମଚାରୀ ଓ ଯାତ୍ରୀମାନେ ନିରାପଦ ଅଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଆଗ୍ରା ଏସ୍ଏସ୍ପି ବାବୁଲ କୁମାର କହିଛନ୍ତି ଯେ, ଅପହରଣକାରୀମାନେ ହେଉଛନ୍ତି ଫାଇନାନ୍ସ୍ କମ୍ପାନିର ଲୋକ। ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।