ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ପରଲୋକ

Share this:

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ଅଜିତ ଦାସ ଆଜି  ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୭୧ ବର୍ଷ ବୟସ୍କ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ ୭୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ପରଲୋକରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦେଶକ ଓ ଅନ୍ୟ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶ୍ରୀ ଅଜିତ୍‌ ଦାସ ମୟୂରଭଞ୍ଜର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୬ ମସିହାରେ ନିର୍ମିତ ‘ସିନ୍ଦୂର ବିନ୍ଦୁ’ କଥାଚିତ୍ରରେ ଖଳନାୟକ ଭୂମିକାରେ ପ୍ରଥମ ଅଭିନୟ କରିଥିଲେ। ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଅଭିମାନ, ଗୌରୀ, ବଳିଦାନ, ଗୋଲାମଗିରି, ଏ ନୁହେଁ କାହାଣୀ, ଫୁଲଚନ୍ଦନ, ହାକିମବାବୁ, ସହରୀବାଘ, ମମତାର ଡୋରି, ଏଇ ତ ଦୁନିଆ, ତୁଣ୍ଡବାଇଦ, ମୁଁ ତୁମେ ଓ ସେ, ପ୍ରେମଋତୁ ଆସିଲାରେ, ଆମ ଭିତରେ କିଛି ଅଛି ଏମିତି ପ୍ରାୟ ୭୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସିନେମା ସହିତ ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ ଥିଲେ। ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ତାଙ୍କର ଅଭିନୟକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା କରୁଥିଲେ।

ସେ‌ପ୍ଟେମ୍ବର ୧ ତାରିଖ ଦିନ ସେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିବା  ପରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁର କାରଣ ହସ୍ପିଟାଲ ଏବଂ ପରିବାର ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି।

Share this: