ରାଜ୍ୟରେ ପୁଣି ୧୪୬ କରୋନା ପଜିଟିଭ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାର
ସୋମବାର ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାର କରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୧୫ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। କନ୍ଧମାଳରେ ସର୍ବାଧିକ ୪୮ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଥିବା ୧୪୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳ ଜିଲାରୁ ସର୍ବାଧିକ ୪୮ ଜଣ ରହିଛନ୍ତି । ସେହିପରି ଭଦ୍ରକ ଜିଲାରୁ ୧୯ଜଣ, ଖୋର୍ଦ୍ଧା ଜିଲାରୁ ୭ ଜଣ, ନୟାଗଡ ଜିଲାରୁ ୪, ଝାରସୁଗୁଡା ଜିଲାରୁ ଜଣେ, ରାୟଗଡା ଜିଲାରୁ ୫ଜଣ, କଟକ ଜିଲାରୁ ୧୯ଜଣ, ଜଗତସିଂହପୁର ୪ଜଣ, ବାଲେଶ୍ୱର ଜିଲାରୁ ୮ଜଣ, ଢେଙ୍କାନାଳ ଜିଲାରୁ ୧ , ଅନୁଗୁଳ ଜିଲାରୁ ୬ଜଣ, ଗଞ୍ଜାମ ଜିଲାରୁ ୮ଜଣ, ସୋନପୁର ଜିଲାରୁ ୨ଜଣ, ସମ୍ବଲପୁର ଜିଲାରୁ ଜଣେ, ସୁନ୍ଦରଗଡ ଜିଲାରୁ ୪ଜଣ ରହିଛନ୍ତି । ସେହିଭଳି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୯ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍ର ସହାୟତା କାମ ସାରି ଫେରିଥିଲେ ।
ଖବର ଅନୁସାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ ଲକ୍ଷ ୨୫ ହଜାର ୧୩ ଟି ନମୂନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୪୦୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ରୋଗ କାରଣରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୩୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।