Odisha Assembly: ଆଜିଠାରୁ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ; ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

Share this:

ଭୁବନେଶ୍ଵର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କ ଅଭିଭାଷଣ ସହ ଆଜିଠାରୁ ଷୋଡ଼ଶ ବିଧାନସଭାର ବଜେଟ୍‍ ଅଧିବେଶନ (Budget Session) ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍‍ ଆଗତ ହେବ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ସରକାରଙ୍କ ବର୍ଷକର ଉପଲବ୍ôଧ ନେଇ ଗୃହରେ ଅଭିଭାଷଣ ରଖିଛନ୍ତି।

ଆଜି ଅଧିବେଶନ ଆରମ୍ଭରେ ପ୍ରଥମେ ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଦେଇଥିଲେ। ଏହି କ୍ରମରେ ଶହୀଦ୍‍ ଯବାନ ଏବଂ କୋଭିଡ୍‍ (Covid-19) ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ନିଜ ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଲାଲ୍‍ ଜନସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ସମସ୍ୟା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିବାବେଳେ ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣକରୁଥିବା କହିଛନ୍ତି।

ଅନ୍ୟପକ୍ଷରେ ୨୦୨୦ ବର୍ଷଟି ରାଜ୍ୟପାଇଁ ଶାନ୍ତିଶୃଙ୍ଖଳାର ବର୍ଷ ଥିଲା ବୋଲି ସେ କହିଛନ୍ତି। ପୁଲିସ୍‍ ପ୍ରଶାସନକୁ ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି, ତ୍ୱରିତ ପଦକ୍ଷେପ ଯୋଗୁଁ ରାଜ୍ୟରେ ଗତବର୍ଷ କୌଣସି ବଡ଼ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ରାଜ୍ୟରେ ଖେଳ ଏବଂ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‍ ନିର୍ମାଣ ରାଜ୍ୟ ସରକାରଙ୍କ ସଫଳତା ବୋଲି ରାଜ୍ୟପାଳ କହିଛନ୍ତି।

ରାଜ୍ୟର ଆର୍ଥିକ ଅବସ୍ଥା ସମ୍ପର୍କରେ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, ଚଳିତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ୩୮ ହଜାର ୭୬୦ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୭ ଦଶମିକ ୩ ପ୍ରତିଶତ ଅଧିକ। ସେ କହିଛନ୍ତି, ରାଜ୍ୟର ଆପତ୍ତକାଳୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଜଳ ସଂରକ୍ଷଣ ପାଇଁ ଆସନ୍ତା ୫ ବର୍ଷରେ ୧୧ ହଜାର ୭୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଯୋଜନା ରହିଛି।

ରାଜ୍ୟପାଳଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଚାଲିଥିବା ସମୟରେ ବିରୋଧି ବିଜେପି (BJP)ଏବଂ କଂଗ୍ରେସ ଦଳର ସଦସ୍ୟମାନେ ଚାଷୀଙ୍କ ସମସ୍ୟା, ତୈଳ ଦର ବୃଦ୍ଧି, କୋଟିଆ ପ୍ରସଙ୍ଗ, ମଣ୍ଡିରେ ଅବ୍ୟବସ୍ଥା ଆଦି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଥିଲେ।

ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଏହି ବଜେଟ୍‍ ଅଧିବେଶନ ଏପ୍ରିଲ୍‍ ୯ ତାରିଖଯାଏଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ମୋଟି ୩୧ଟି କାର୍ଯ୍ୟଦିବସ ନିର୍ଦ୍ଧାରିତ କରାଯାଇଛି। ରବିବାରକୁ ଛାଡ଼ି ଶନିବାର ଏବଂ ସମସ୍ତ ସରକାରୀ କାର୍ଯ୍ୟଦିବସରେ ଦୈନିକ ୫ ଘଣ୍ଟା ଓ ବିଶେଷ ଆଲୋଚନା କ୍ଷେତ୍ରରେ ୬ ଘଣ୍ଟା ବିଧାନସଭା ବସିବ। ଆସନ୍ତା ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ୍‍ ଆଗତ କରିବେ। ଅନ୍ୟପକ୍ଷରେ ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରି ବିଲ୍‍ ଗୃହରେ ପାରିତ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି।

[amazon_auto_links id=”9939″]

Share this: