ଓଡ଼ିଶାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ଵର: ଓଡିଶାରେ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (NDHM) ଏବଂ ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (Ayushman Bharat Pradhan Mantri Jan Arogya Yojana) ଲାଗୁ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଯୋଜନା ଗୁଡିକ ଓଡିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ଅପାର ସମ୍ଭାବନାର ସୁଯୋଗ ରଖିଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଚଳିତବର୍ଷ ଅଗଷ୍ଟ ୧୫ ତାରିଖ ତଥା ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କରିଥିଲେ। ଏହି ମିଶନ ଟେକ୍ନୋଲୋଜି ମାଧ୍ୟମରେ ଆମ ରାଜ୍ୟର ପ୍ରବାସୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାରେ ସହାୟକ ହେବ ବୋଲି ସେ କହିଥିଲେ। ସ୍ୱେଚ୍ଛାକୃତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ତିଆରି କରିବ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୂରଦୃଷ୍ଟିରେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି (UHID) ମାଧ୍ୟମରେ ଇ-ଗଭର୍ଣ୍ଣାସ (E-Governance) ରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନୂଆ ସ୍ତରକୁ ନେଇଯିବ। ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକମାନେ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଯଥା ମେଡିକାଲ ପରୀକ୍ଷା, ପୂର୍ବ ଔଷଧୀୟ ସୂଚି, ରୋଗ ନିରାକରଣ, ଚିକିତ୍ସା ଉପଚାର, ସବୁ ସ୍ୱାସ୍ଥ୍ୟସେବା ରେକର୍ଡର ସୁବିଧା ଇତ୍ୟାଦି ପାଇପାରିବେ।
ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ମାଧ୍ୟମରେ ଦେଶର ଲୋକମାନେ ଯେକୌଣସି ସ୍ଥାନରେ ଡାକ୍ତରଙ୍କୁ ଖୋଜି ପାଇପାରିବେ, ସେମାନଙ୍କ ଠାରୁ ସାକ୍ଷାତକାର୍ କରିବା ପାଇଁ ସମୟ ନେଇପାରିବେ, ପେମେଣ୍ଟ କରିପାରିବେ, ପ୍ରେସ୍କିପସନକୁ ନେଇ ଡାକ୍ତରଙ୍କ ପରାମର୍ଶ ନେବା ସହ ଦେଖା ମଧ୍ୟ କରିପାରିବେ। ଏହା ଦ୍ୱାରା ସମସ୍ତେ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତରୁ ଉନ୍ନତମାନର ସ୍ୱାସ୍ଥ୍ୟସେବାର ଲାଭ ପାଇପାରିବେ। ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ଓ ଏଥିରେ ସ୍ୱାସ୍ଥ୍ୟସେବା ପାଇବାରେ ସମସ୍ୟାର ସାମ୍ନା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାରେ ଟେକ୍ନୋଲୋଜି ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ କେବଳ ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଆର୍ଥିକ ସଂକଟରୁ ରକ୍ଷା କରିବ। ଏହାସହ ଜାତି ସଂଘର ସଷ୍ଟେନେବୁଲ୍ ଡେଭଲପମେଂଟ୍ ଗୋଲ ୩.୮ ରେ ସୂଚିତ ଥିବା ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ଦିଗରେ ମଧ୍ୟ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଅଗ୍ରସର ହେବ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ‘ସୁସ୍ଥ ଭାରତ’(Swachh Bharat) ଦ୍ୱାରା ଆତ୍ମନିର୍ଭର ଭାରତର ନିର୍ମାଣ ହେଉ; ବିଶେଷ ଭାବରେ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆମ ସମସ୍ତଙ୍କ କଳ୍ପନା ରହିଛି।
ରାଜ୍ୟରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଗଲେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟସେବା ଅଧକରୁ ଅଧିକ ଲୋକଙ୍କୁ ଲାଭ ଦେବ। ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତମ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଏବଂ ଗରିବଙ୍କ ପାଇଁ ସୁଯୋଗ ଓ ଗେମ୍ ଚେଞ୍ଜର ହେବ।ଏହି ଯୋଜନାରେ ଓଡିଶାର ୬୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କ ସମେତ ଦେଶର ୫୦ କୋଟି ହିତାଧିକାରୀଙ୍କୁ ଅନ୍ତର୍ଭୃକ୍ତ କରିବାର ଯୋଜନା ରହିଛି।
ଶ୍ରୀ ପ୍ରଧାନ ଏବଂ ଓଡିଶାର ଜନପ୍ରତିନିଧି ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପୂର୍ବରୁ ଅନୁରୋଧ କରିଥିଲେ। ତେଣୁ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବା ସହ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ ଲାଗୁ କରିବା ପାଇଁ ସମର୍ଥନ ଦେବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଏହି କାର୍ଯ୍ୟକ୍ରମ ଲାଗୁ ହେଲେ ଓଡିଶାର ଲୋକମାନେ ସଠିକ୍ ସମୟରେ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।
Also Read: