Breaking Newsଓଡ଼ିଶାଜାତୀୟ

ଆଜି ବିଶ୍ଵ ବ୍ୟାଘ୍ର ଦିବସ; ଭାରତରେ ଅଛନ୍ତି ପୃଥିବୀର ୭୦ ପ୍ରତିଶତ ବାଘ

Share this:

ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ନେତୃତ୍ଵ ନେଉଛି ଭାରତ: ଶ୍ରୀ ପ୍ରକାଶ ଜାଭଡ଼େକର

ନୂଆଦିଲ୍ଲୀ: ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଏହାର ବଂଶ ବୃଦ୍ଧି ବନାଞ୍ଚଳ ଭାରସାମ୍ୟ ରକ୍ଷାରେ  ସହାୟକ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ବିଶ୍ଵ ବ୍ୟାଘ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ବ୍ୟାଘ୍ର ଗଣନାର ବିସ୍ତୃତ ରିପୋର୍ଟ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଭାରତରେ ବାଘ ଓ ଅନ୍ୟାନ୍ୟ ହିଂସ୍ର ଜନ୍ତୁ ଆମର ଏକ ଅମୂଲ୍ୟ ସମ୍ପଦ। ଭୂଖଣ୍ଡ ଭଳି ଅନ୍ୟାନ୍ୟ ପ୍ରତିବନ୍ଧକ ସତ୍ଵେ ବୃକ୍ଷ ଲତା ଓ ବନ୍ୟାପ୍ରାଣୀ ସମ୍ବେଦନଶୀଳତା ଆମ ଦେଶ ସଂସ୍କୃତିର ଏକ ଅଂଶବିଶେଷ। ସେଦୃଷ୍ଟିରୁ ଦେଶରେ ଶତକଡା ୮ ଭାଗ ଜୈବବିବିଧତା ରହିଛି। ବନ୍ୟପ୍ରାଣୀ ଆମର ପ୍ରାକୃତିକ ସମ୍ପଦ ନହେଲେ ମଧ୍ୟ ପୃଥିବୀର ଶତକଡା ୭୦ ଭାଗ ବାଘ ଆମ ଦେଶରେ ରହିବା ଏକ ପ୍ରଶଂସନୀୟ ବିଷୟ। ପୃଥିବୀର ବାଘ ଜୈବମଣ୍ଡଳୀ ଥିବା ସମସ୍ତ ୧୩ଟି ଦେଶ ସହ ବାଘ ସଂଖ୍ୟା ବୃଦ୍ଧି ଦିଗରେ ଭାରତ ଅନବରତ ଉଦ୍ୟମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

ମଣିଷ ସହ ସଂଘର୍ଷ ଯୋଗୁଁ ବନ୍ୟପ୍ରାଣୀଙ୍କର ଜୀବନହାନି ରୋକିବା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେମାନଙ୍କୁ ଜଙ୍ଗଲ ମଧ୍ୟରେ ଆହାର ଓ ଜଳ ଯୋଗାଇବାକୁ ଏହି ଯୋଜନାରେ ବ୍ୟବସ୍ଥା କରାଯାଉଛି। ଦେଶରେ ପ୍ରଥମ ଥର ପାଇଁ ଏଥିପାଇଁ ଲିଡାର ଭିତ୍ତିକ ଜ୍ଞାନକୌଶଳର ସହଯୋଗ ନିଆଯିବ। ଲିଡାର ପଦ୍ଧତି ସର୍ବକ୍ଷେଣରେ ଲକ୍ଷ୍ୟ ସ୍ଥଳକୁ ଲେଜର ଲାଇଟ ଦ୍ଵାରା ଆଲୋକିତ କରି ଦୂରସମ୍ବେଦୀ ଯନ୍ତ୍ର ସାହାଯ୍ୟରେ ଏହାର ପ୍ରତିଫଳନ ମପାଯାଇଥାଏ।

ବାଘ ଗଣନା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ମହାବଳ ବାଘ ସହ ଅନ୍ୟାନ୍ୟ ପ୍ରଜାତିର ବାଘମାନଙ୍କର ମଧ୍ୟ ହିସାବ କରାଯାଇଛି। ଦେଶର ଶତକଡା ୩୦ଭାଗ ବାଘ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ଥିବାରୁ ବିଶ୍ଵର ବ୍ୟାଘ୍ର ସଂରକ୍ଷଣ ସୁନିଶ୍ଚିତ ମାନକ (ସିଏଟିଏସ) ଫ୍ରେମୱାର୍କର ସହାୟତା ଲୋଡାଯାଇଛି। ଏହାଫଳରେ ଅବଶିଷ୍ଟ ୩୦ ଭାଗ ଅଞ୍ଚଳ ମଧ୍ୟ ଦେଶର ୫୦ ଟି ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ। ଏହି ଅବସରରେ ଉଦବୋଧନ ଦେଇ ପରିବେଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ଦେଶରେ ବନ୍ୟପ୍ରାଣୀ ଓ ମଣିଷଙ୍କ ମଧ୍ୟରେ ହେଉଥିବା ସଂଘର୍ଷକୁ ଏଡାଇବା ସମ୍ଭବ, କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅସମ୍ଭବ। ବ୍ୟାଘ୍ର ସମ୍ପଦ ବୃଦ୍ଧି ଦିଗରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଅନବରତ ପ୍ରୟାସ ଯୋଗୁଁ ଯଥେଷ୍ଟ ସଫଳତା ମିଳିପାରିଛି। 

ବାଘ ଥିବା ଜୈବମଣ୍ଡଳ ଦେଶଗୁଡ଼ିକର ସରକାରଙ୍କ ସହ ରୁଷର ସେଣ୍ଟପିଟର୍ସବର୍ଗଠାରେ ଅନୁଷ୍ଠିତ ସମ୍ମିଳନୀରେ ଆଗାମୀ ୨୦୨୨ ସୁଦ୍ଧା ବାଘ ସଂଖ୍ୟା ଦ୍ଵିଗୁଣିତ କରିବାକୁ ସଂକଳ୍ପ ନିଆଯାଇଥିଲା। ଏହି ସମ୍ମିଳନୀରେ ଜୁଲାଇ ୨୯ କୁ ବିଶ୍ଵ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯିବା ପରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି।

ଭାରତ ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ବାଘ ସଂଖ୍ୟା ଦ୍ଵିଗୁଣିତ କରିଥିବା ଗତବର୍ଷ ବିଶ୍ଵ ବ୍ୟାଘ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଦେଶରେ ବାଘ ସଂଖ୍ୟା ବର୍ତ୍ତମାନ ୨୯୬୭  ଥିବା ବେଳେ ଏହା ବିଶ୍ଵର ମୋଟ ବାଘ ସଂଖ୍ୟାର ୭୦ ଭାଗ। ବାଘ ଗଣନା ପାଇଁ ଆମ ଦେଶରେ କରାଯାଇଥିବା କ୍ୟାମେରାଭିତ୍ତିକ ସର୍ଭେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।

Share this: