କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ରେଳ ମନ୍ତ୍ରଣାଳୟର ଓଡିଶାରୁ ୩ଟି ଟ୍ରେନ ଚଳାଚଳ ଘୋଷଣା;ଆସନ୍ତା ୧୨ରୁ ଚଳାଚଳ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ (Railway Minister) ପିୟୁଷ ଗୋଏଲଙ୍କୁ ଚିଠି ଲେଖି ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁରୋଧ କରିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରୁ ଅହମ୍ମଦବାଦ ଏବଂ ସୁରତ ସମେତ ୩ଟି ସ୍ଥାନକୁ ସ୍ପେଶାଲ ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରାଯାଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।
ଓଡିଶାର ଆବଶ୍ୟକତାକୁ ପ୍ରାଥମିକତା ଦେଉଥିବାରୁ ଏବଂ ପ୍ରବାସୀ ଓଡିଆଙ୍କ ପାଇଁ ଓଡିଶାରୁ ଅନ୍ୟ ରାଜ୍ୟକୁ ଟ୍ରେନ ଚଳାଚଳ ପାଇଁ ଅନୁରୋଧକୁ ରଖିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେପ୍ଟେମ୍ବର ୧୨ତାରିଖରୁ ଓଡିଶାରୁ ତିନି ଯୋଡା ସ୍ପେଶାଲ ଟ୍ରେନ (Special Train) ପୁରୀରୁ ଅହମ୍ମଦବାଦ, ପୁରୀରୁ ଗାନ୍ଧିଧାମ ଏବଂ ପୁରୀରୁ ଓଖାକୁ ରେଳସେବା ଆରମ୍ଭ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହି ସୁବିଧା ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡିଆଙ୍କୁ କର୍ମକ୍ଷେତ୍ରକୁ ପୁଣି ଥରେ ଫେରିବାରେ ସାହାଯ୍ୟ କରିବ ଏବଂ ନିରାପଦରେ ସେମାନେ ଯାତ୍ରା କରିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Also Read:ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ
ଉଲ୍ଲେଖନୀୟ ଯେ, ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଚିଠି ଲେଖି ଦେଶର ଅର୍ଥନୀତିର ପୁନଃରୁଦ୍ଧାର ଏବଂ ପ୍ରବାସୀଙ୍କ ତୁରନ୍ତ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣି ଥରେ ‘ଶ୍ରମିକ ସ୍ପେଶାଲ ଟ୍ରେନ୍’ ଚାଲୁ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡିଆମାନେ ଗୁଜୁରାଟ ଏବଂ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ।
ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଥିଲେ। ସାରା ଦେଶରେ ଲକ୍ ଡାଉନ (Lock Down)କୁ ପ୍ରତ୍ୟାହାର କରାଯାଉଥିବା ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ମୌସୁମି ପରିସ୍ଥିତିରେ ସଡକ ପଥ ମାଧ୍ୟମରେ ଦୂର ବାଟ ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଥିଲେ।
Also Read: