ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆମୋଡ। ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।
ପାଟନାରେ ଦାଖଲ ହୋଇଥିବା ମାମଲା ମୁମ୍ବାଇକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଆଜି ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଋଷିକେଶ ରାୟଙ୍କ ଏକ ବେଞ୍ଚ ଏହି ମାମଲା ସ୍ଥାନାନ୍ତର ଦାବିରେ ତିନି ଦିନ ମଧ୍ୟରେ ଜବାବ ଦେବାକୁ ସମସ୍ତ ପକ୍ଷଙ୍କୁ କହିଛନ୍ତି। ଗୋଟିଏ ସପ୍ତାହ ପରେ ପୁଣି ଏହି ମାମଲାର ଶୁଣାଣି ହେବ।
ଏହି ସମୟରେ ଅଭିନେତାଙ୍କ ମୃତ୍ୟୁ ମାମଲାରେ ସତ୍ୟ ପ୍ରକାଶ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ମୁମ୍ବାଇ ପୋଲିସର ଭଲ ବୃତ୍ତିଗତ ପ୍ରତିଷ୍ଠା ଥିବା ସତ୍ତ୍ୱେ ବିହାର ପୋଲିସ ଅଧିକାରୀଙ୍କୁ କ୍ୱାରାଣ୍ଟାଇନ୍ କରିବା ଏକ ଭୁଲ ବାର୍ତ୍ତା ପଠାଇଛି।
ମହାରାଷ୍ଟ୍ର ସରକାର କହିଛନ୍ତି ଯେ ଏଫଆଇଆର(FIR) ଦାଖଲ କିମ୍ବା ଏହି ଘଟଣାର ତଦନ୍ତ ବିହାର ପୋଲିସର ଅଧୀନରେ ନାହିଁ ଏବଂ ଏହାକୁ ଏକ ରାଜନୈତିକ ମାମଲା କରାଯାଇଛି। ତାପରେ ସୁଶାନ୍ତଙ୍କ ପିତାଙ୍କ ଓକିଲ କହିଛନ୍ତି ଯେ ମହାରାଷ୍ଟ୍ର ପୋଲିସ ଏହି ମାମଲାରେ ପ୍ରମାଣ ନଷ୍ଟ କରୁଛି।
ରିୟାଙ୍କ ଓକିଲ କହିଛନ୍ତି ଯେ ରିୟାଙ୍କୁ ମୁମ୍ବାଇ ପୋଲିସ ଦ୍ୱାରା ୧୮ ଜୁନରେ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଡକାଯାଇଥିଲା। ସେଠାରେ ତାଙ୍କର ବିବୃତ୍ତି ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ୧୭ ଜୁଲାଇରେ ସାଣ୍ଟା କ୍ରୁଜ ପୋଲିସ ଷ୍ଟେସନରେ ହାଜର ହେବାକୁ ଡକାଯାଇଥିଲା। ଯେଉଁଠାରେ ସେ ତାଙ୍କର ସପ୍ଲିମେଣ୍ଟାରୀ ଷ୍ଟେଟମେଣ୍ଟ ଦାଖଲ କରିଥିଲେ। ପରେ, ଯେତେବେଳେ ବିହାର ପୋଲିସ ମୁମ୍ବାଇକୁ ଆସି ପାଟନାରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ମାମଲାର ତଦନ୍ତ କରିବାକୁ ଆସିଥିଲା,ତାପରେ ରିୟା ଜୁଲାଇ ୩୦ରେ ସୁପ୍ରିମକୋର୍ଟରେ ଏକ ଟ୍ରାନ୍ସଫର ଆବେଦନ କରିଥିଲେ।
ସୂଚନାଯୋଗ୍ୟ,ଗତ ୧୪ ଜୁନ୍ ଦିନ ମୁମ୍ବାଇର ବାନ୍ଦ୍ରାସ୍ଥିତ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟର ଦେଖିବାକୁ ମିଳିଥିଲା। ଜୁଲାଇ ୨୫ରେ ସୁଶାନ୍ତଙ୍କ ପିତା କୃଷ୍ଣ କିଶୋର ସିଂ, ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟ ପୁଅକୁ ଆତ୍ମହତ୍ୟା କରିବା ଅଭିଯୋଗରେ ପାଟନା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସୁଶାନ୍ତଙ୍କ ପିତା ଅଭିଯୋଗ କରିଛନ୍ତି ଯେ ରିୟା, ଚଳଚ୍ଚିତ୍ର ଅଭିନେତ୍ରୀ ତାଙ୍କ କ୍ୟାରିୟର କରିବା ପାଇଁ ମେ ୨୦୧୯ରେ ତାଙ୍କ ପୁଅ ସହିତ ବନ୍ଧୁତା କରିଥିଲେ।