ଏଥର ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବ ରେଳବାଇ, ବର୍ଷକୁ କିଣିଥାଏ ୭୦ ହଜାର କୋଟି ଟଙ୍କାରୁ ଅଧିକ

Share this:

ରେଳବାଇ ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ ସାମଗ୍ରୀକୁ ଅଗ୍ରାଧିକାର ଦିଆଯିବ : ପୀୟୂଷ ଗୋଏଲ

ନୂଆଦିଲ୍ଲୀ : ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ ଉପାୟରେ ରେଳବାଇ ସେମାନଙ୍କଠାରୁ ସାମଗ୍ରୀ କିଣିବା ଉପରେ ଜୋର୍‌ ଦେଇଛନ୍ତି।

ଏହି ଅବସରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କେଉଁ କେଉଁ ସାମଗ୍ରୀ ରେଳବାଇ କିଣିପାରିବ ଏବଂ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ସେ ସମୀକ୍ଷା କରିଥିଲେ। ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ସ୍ଥାନୀୟ ଭେଣ୍ଡରମାନଙ୍କୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ସାମଗ୍ରୀ କ୍ରୟ ନିୟମରେ ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଏକ ଧାରା ରଖିବା ନିଷ୍ପତ୍ତି ନିଆଯାଇଛି। ଏଥିରେ ସ୍ଥାନୀୟ ଭେଣ୍ଡର ଓ ଯୋଗାଣକାରୀଙ୍କୁ ନିଲାମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଏହାଫଳରେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ କହିଛନ୍ତି। ନୀତି ନିୟମରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ଏହି ଅବସରରେ ମନ୍ତ୍ରୀ ଡିପିଆଇଆଇଟିର ସକ୍ରିୟ ସହଯୋଗ ଲୋଡିଛନ୍ତି।

ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ଅଧିକରୁ ଅଧିକ ଭାରତୀୟ ସେବା ପ୍ରଦାନକାରୀ ଓ ଦ୍ରବ୍ୟ ଉତ୍ପାଦକମାନଙ୍କୁ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏମାନଙ୍କୁ ସରକାରୀ ଇ-ମାର୍କେଟ ସହ ଯୋଡି ଅଭିନବ ଉପାୟରେ କିପରି ସେମାନଙ୍କଠାରୁ ସାମଗ୍ରୀ ଓ ସେବା ସହଜରେ କିଣିହେବ ତାହାର ଏକ ରଣନୀତି ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଥିଲା ।  ରେଳବାଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ରେଳ ମନ୍ତ୍ରଣାଳୟ ବର୍ଷକୁ ପ୍ରାୟ ୭୦ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା କିଣୁଥିବାରୁ ଏହାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ କରି ଦେଶର କୋଣଅନୁକୋଣରେ ଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରୁ ସାମଗ୍ରୀ କିଣିବାକୁ ରେଳବାଇ ନିଶ୍ଚିତ କରିବ।

ରେଳବାଇ ଭାରତ ସରକାରଙ୍କର ଅନ୍ୟତମ ସର୍ବବୃହତ୍‌ ସାମଗ୍ରୀ କ୍ରୟକାରୀ ସଂସ୍ଥା। ଏହା ନିଜର କ୍ରୟ ବ୍ୟବସ୍ଥାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ସହ ସଂଯୁକ୍ତ କରୁଛି। ଏହି ପ୍ଲାଟଫର୍ମର ସଂପୂର୍ଣ୍ଣ ଉପଯୋଗ କରି ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀ ଓ ସେବାକୁ ନିଜର ଆବଶ୍ୟକତା ଅନୁସାରେ କିଣିବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି। ଏହି ସାମଗ୍ରୀ କ୍ରୟ ବ୍ୟବସ୍ଥାକୁ  ତ୍ରୁଟିଶୂନ୍ୟ ଓ ନିରବଚ୍ଛିନ୍ନ କରିବା ପାଇଁ ଆଇଆରଇପିଏସ୍‌ ଓ ଇ-ମାର୍କେଟ ବ୍ୟବସ୍ଥାକୁ ଇ-ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି ସମୀକ୍ଷା ବୈଠକରେ ରେଳବାଇ ବୋର୍ଡର ସାମଗ୍ରୀ ପରିଚାଳନା ବିଭାଗର ସଦସ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସରକାରୀ ଇ-ମାର୍କେଟ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଭାରତୀୟ ସାମଗ୍ରୀ କ୍ରୟ କରିବାପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସେ ଅବଗତ କରିଥିଲେ। ଏହି ସମୀକ୍ଷା ବୈଠକରେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡ଼ି, ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଇଏମ୍‌, ଡିପିଆଇଆଇଟି ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

FromThe Web

Share this: