ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ

Share this:

ଭୁବନେଶ୍ଵର: ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ, ପଦ୍ମଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ (Rajya Sabha MP) ରଘୁନାଥ ମହାପାତ୍ର (Raghunath Mohapatra) ଙ୍କ କରୋନାରେ ପରଲୋକ ଘଟିଛି। ଆଜି ରବିବାର ଅପରାହ୍ନରେ ଭୁବନେଶ୍ଵର ଏମ୍ସ (AIIMS) ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।

ରଘୁନାଥ ମହାପାତ୍ର ପ୍ରସ୍ତର ସ୍ଥପତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

୧୯୪୩ ମସିହା ମାର୍ଚ୍ଚ ୨୩ ରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ପୁରୀ ଜିଲ୍ଲାର ଶାସନ ପଡିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଦ୍ଵିତୀୟ କୋଣାର୍କ ମନ୍ଦିରର ପରିକଳ୍ପନା କରିଥିବା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ସ୍ଥପତି କ୍ଷେତ୍ରରେ ଅତୂଳନୀୟ ଯୋଗଦାନ ହେତୁ କେନ୍ଦ୍ର ସରକାର କଳା କ୍ଷେତ୍ର ପାଇଁ ତାଙ୍କୁ ରାଜ୍ୟସଭାକୁ ୨୦୧୮ ଜୁଲାଇ ୧୪ରେ ମନୋନୀତ କରିଥିଲେ।

ସ୍ଥପତି ରଘୁନାଥ ମହାପାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟ୍ଵିଟକରି ଶୋକପ୍ରକାଶ କରିଛନ୍ତି।  ସେ କହିଛନ୍ତି  ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଟ୍ଵିଟକରି ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି ଜଣେ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭାବେ ପରିଚିତ ସ୍ୱର୍ଗତ ମହାପାତ୍ର ପଥରରେ ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ। ତାଙ୍କ ନିଧନରେ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହେଲା। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ।

Also Read | Talcher:ତାଳଚେରରେ ଚାକିରି ନାଁରେ ଠକେଇ, ବାପ ପୁଅ ଗିରଫ

Share this:

Leave a Reply

Your email address will not be published. Required fields are marked *