ଡିଜିଟାଲ ଶିକ୍ଷା ସଂକ୍ରାନ୍ତ ‘ପ୍ରଗ୍ୟାତ’ ନିର୍ଦେଶାବଳୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ; କ୍ଲାସ ଅବଧି ୩୦ ରୁ ୪୫ ମିନିଟ

Share this:

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଅନ୍‌ଲାଇନ ମାଧ୍ୟମରେ ଡିଜିଟାଲ ଶିକ୍ଷା ସଂକ୍ରାନ୍ତ ‘ପ୍ରଗ୍ୟାତ’ ନିର୍ଦେଶାବଳୀ ନୂଆଦିଲ୍ଲୀଠାରେ ଅନ୍‌ଲାଇନ ବ୍ୟବସ୍ଥାରେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଂଜୟ ଧୋତ୍ରେ ମଧ୍ୟ ଅନ୍‌ଲାଇନ ମାଧ୍ୟମରେ ଉପସ୍ଥିତ ଥିଲେ ।

ଶ୍ରୀ ନିଶଂକ କହିଛନ୍ତି ଯେ କରୋନା ମହାମାରୀ ଫଳରେ ସ୍କୁଲ ସବୁ ବନ୍ଦ ରହିଥିବାରୁ ସେଠାରେ ପାଠ ପଢୁଥିବା ୨୪ କୋଟି ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହୋଇଛି। ପରିବର୍ଦ୍ଧିତ ସ୍କୁଲ ପାଠ୍ୟକ୍ରମ ଦ୍ୱାରା ପିଲାମାନେ କ୍ଷତିଗ୍ରସ୍ତ ହୋଇପାରନ୍ତି। ତେଣୁ ଏହି ପରିସ୍ଥିତିର ମୁକାବିଲା ପାଇଁ ଶିକ୍ଷାଦାନ ବ୍ୟବସ୍ଥାକୁ ପୁନଃ ପରିକଳ୍ପିତ ଓ ନୂଆ ରୂପ ଦିଆଯାଇଛି। ଏହି ଶିକ୍ଷାଦାନ ବ୍ୟବସ୍ଥାକୁ ଏକ ଉପଯୁକ୍ତ ପ୍ରଣାଳୀରେ ପରିଣତ କରିବା ସହ ଉଚ୍ଚମାନର ଶିକ୍ଷା ପ୍ରଦାନ ପାଇଁ ଏକ ସୁସ୍ଥ ପରିବେଶ ତିଆରି କରିବାକୁ ଉଦ୍ୟମ କରାଯାଇଛି। ଏଥିରେ ସ୍କୁଲରେ ପାଠପଢା ସହିତ ଘରେ ରହି ପାଠପଢାକୁ ଅନ୍ତର୍ଭୁକ୍ତ କରାଯାଇଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ ଏବଂ ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ନେଇ ‘ପ୍ରଗ୍ୟାତ’ ନିର୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ସ୍କୁଲକୁ ଯାଇପାରୁନଥିବା ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ବିଶେଷ ଉପକୃତ ହେବେ। ଏଥିରେ ଅନ୍‌ଲାଇନ ଶିକ୍ଷାର ମହତ୍ୱ ଓ ମାନ ବୃଦ୍ଧିପାଇଁ ଉଦ୍ୟମ କରାଯାଇଛି। ଛାତ୍ରଛାତ୍ରୀଙ୍କ ବ୍ୟତୀତ ସ୍କୁଲର ମୁଖ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା, ଅଭିଭାବକ,  ଶିକ୍ଷକଙ୍କୁ ତାଲିମ ଦେଉଥିବା ଶିକ୍ଷକ ଏବଂ ଅନ୍ୟାନ୍ୟ ସମସ୍ତ ସଂପୃକ୍ତ ପକ୍ଷଙ୍କ ସୁବିଧାକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଇଛି। ଏହି ନିର୍ଦେଶାବଳୀରେ ଏନ୍‌ସିଇଆରଟିର ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ବ୍ୟବହାର ଅଗ୍ରାଧିକାର ପାଇଛି। ଯେଉଁ ବିଦ୍ୟାର୍ଥୀଙ୍କର ଡିଜିଟାଲ ସୁବିଧା ରହିଛି ଏବଂ ଯାହାର ଏହା ନାହିଁ କିମ୍ବା ଅଳ୍ପ ରହିଛି ସେମାନେ ମଧ୍ୟ ଏହି ବ୍ୟବସ୍ଥାରେ ଉପକୃତ ହୋଇପାରିବେ।

 ‘ପ୍ରଗ୍ୟାତ’ ନିର୍ଦେଶାବଳୀରେ ୮ ଟି ଅନ୍‌ଲାଇନ ସୋପାନ ବା ଷ୍ଟେପ୍‌ ରହିଛି। ସେଗୁଡିକ ହେଲା- ପ୍ଳାନ, ରିଭ୍ୟୁ, ଆରେଞ୍ଜ, ଗାଇଡ, ୟାକ (ଟକ୍‌) ଆଶାଇନ୍‌, ଟ୍ରାକ ଓ ଆପ୍ରିସିଏଟ। ପର୍ଯ୍ୟାୟକ୍ରମେ ଏହିସବୁ ସୋପାନ ଗୋଟିଏ ପରେ ଗୋଟିଏ ଅତିକ୍ରମ କରି ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ।

ମନ୍ତ୍ରୀ ଶ୍ରୀ ଧୋତ୍ରେ କହିଥିଲେ ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏହି ନିର୍ଦେଶାବଳୀ ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ନିରାପଦ ରଖିପାରିବ । ଡିଜିଟାଲ ଟେକ୍‌ନୋଲଜି ବ୍ୟବହାର କଲାବେଳେ ଛାତ୍ରଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଯଥାସମ୍ଭବ ବ୍ୟବସ୍ଥା କରାଯାଇଛି।

ନୂଆ ନିର୍ଦେଶାବଳୀ ଅନୁସାରେ ପ୍ରାକ୍‌ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କୁ ଦିଗ୍‌ଦର୍ଶନ ଦେବାକୁ ଗୋଟିଏ ଦିନରେ ପିତାମାତାଙ୍କ ସହ ଆଲୋଚନାର ସୁବିଧା ରହିବ। ଏହା ୩୦ ମିନିଟରୁ ଅଧିକ ହେବନାହିଁ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏନ୍‌ସିଇଆରଟିର ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଅନୁସରଣ କରିବାକୁ ହେବ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ସିନ୍‌କ୍ରୋନ୍‌ସ ଲର୍ଣ୍ଣିଂ ଦୁଇଟି ସେସ୍‌ନରୁ ଅଧିକ ହେବ ନାହିଁ ଏବଂ ଏହି ସେସ୍‌ନର ଅବଧି ୩୦  ରୁ ୪୫  ମିନିଟ ମଧ୍ୟରେ ସୀମିତ ରହିବ। ପ୍ରାଇମେରୀ ସେକ୍‌ସନ ପାଇଁ ରାଜ୍ୟ ସରକାରମାନେ ଅନ୍‌ଲାଇନର ସମୟ ନିର୍ଦ୍ଧାରଣ କରିବେ।

ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ ସିନ୍‌କ୍ରୋନ୍‌ସ ଲର୍ଣ୍ଣିଂ ୪ ଟି ସେସ୍‌ନରୁ ଅଧିକ ହେବନାହିଁ ଏବଂ ପ୍ରତ୍ୟେକ ସେସ୍‌ନର ଅବଧି ୩୦ରୁ ୪୫  ମିନିଟ ରହିବ।  ଏହି କାର୍ଯ୍ୟରେ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତୃପକ୍ଷ ସହଯୋଗ କରି ଆସେସମେଣ୍ଟ, ପ୍ଲାନିଂ, ସାଇବର ନିରାପତ୍ତା ଏବଂ ଏହାର କାର୍ଯ୍ୟକାରିତା ଆଦି ବ୍ୟବସ୍ଥା କରିବେ। ଉଭୟ ଅଫ୍‌ ଲାଇନ ଓ ଅନ୍‌ଲାଇନ୍‌ରେ ପିଲାମାନଙ୍କୁ ଶିକ୍ଷାଦାନର ସୁବିଧା ଯୋଗାଣ ବ୍ୟବସ୍ଥା କରାଯିବ। ଯେଉଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଅକ୍ଷମତା ରହିଛି ବା ଯେଉଁମାନେ ଡିଜିଟାଲ ଶିକ୍ଷା ପାଇଁ ଶାରୀରିକ ଦୃଷ୍ଟିରୁ ସକ୍ଷମ ନୁହନ୍ତି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବାକୁ ପଡିବ। ଏହି ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାରେ ଦୀକ୍ଷା, ସ୍ୱୟଂପ୍ରଭା, ସ୍ୱୟଂମକ୍ସ, ରେଡିଓବାହିନୀ,ଶିକ୍ଷାବାଣୀ ଆଦି ପୋର୍ଟାଲର ବିଷୟବସ୍ତୁ ବ୍ୟବହାର କରାଯାଇପାରିବ।

FROM THE WEB

Share this: