ଆସନ୍ତାକାଲି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ;୧୮ ଟି କାର୍ଯ୍ୟଦିବସ,୪୭ ପ୍ରସଙ୍ଗରେ ଆଲୋଚନା

Share this:

ନୂଆଦିଲ୍ଲୀ: ସୋମବାର ସେପ୍ଟେମ୍ବର ୧୪ ଠାରୁ ସଂସଦ (Parliament) ର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ। ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲା, ୨୦୨୦ ରେ ଶେଷ ହେବ। ଏହି ଅଧବେଶନର ମୋଟ ୧୮ ଦିନରେ ୧୮ ଟି କାର୍ଯ୍ୟ ଦିବସ ରହିଛି (ଶନିବାର ଏବଂ ରବିବାର ମିଶାଇ ସବୁଦିନ କାର୍ଯ୍ୟଦିବସ ହେବ) ଏବଂ ମୋଟ ୪୭ ପ୍ରସଙ୍ଗ ଏହି ଅଧିବେଶନରେ ଆଗତ କରାଯିବ। ଏଥିମଧ୍ୟରେ ୪୫ ଟି ବିଲ ଏବଂ ୨ ଟି ଆର୍ଥିକ ପ୍ରସଙ୍ଗ ରହିଛି।

ଅଧ୍ୟାଦେଶ ସ୍ଥାନରେ ମୋଟ ୧୧ ଟି ବିଲ ଆଗତ କରାଯିବ। ସେଗୁଡ଼ିକ ହେଲା : କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- ୨୦୨୦, ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-୨୦୨୦, ହୋମିଓପାଥି କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-୨୦୨୦, ଭାରତୀୟ ଔଷଧୀୟ କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ-୨୦୨୦, ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- ୨୦୨୦, ବ୍ୟାଙ୍କିଂ ନିୟାମକ (ସଂଶୋଧନ) ବିଲ-୨୦୨୦, କରାଧାନ ଓ ଅନ୍ୟାନ୍ୟ ଆଇନ (ନିର୍ଦ୍ଦିଷ୍ଟ ବ୍ୟବସ୍ଥାର ସରଳିକରଣ) ବିଲ-୨୦୨୦, ମହାମାରୀ ରୋଗ (ସଂଶୋଧନ) ବିଲ- ୨୦୨୦, ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-୨୦୨୦, ସାଂସଦମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-୨୦୨୦।

ଏହି ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଳମ୍ବିତ ଆଇନ ସଦନରେ ଉପସ୍ଥାପନ କରାଯିବା ସହିତ ସେଗୁଡ଼ିକ ଅନୁମୋଦନ ଲାଭ କରିବାର ପ୍ରସ୍ତାବ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି: କୀଟନାଶକ ପରିଚାଳନା ବିଲ-୨୦୨୦, ଭାରତୀୟ ଔଷଧ ବ୍ୟବସ୍ଥା ପାଇଁ ଜାତୀୟ ଆୟୋଗ (ଏନସିଆଇଏମ) ବିଲ-୨୦୧୯ ରାଜ୍ୟ ସଭାରେ ଅନୁମୋଦିତ, ଲୋକସଭାରେ ପାସ ହୋଇଥିବା ଆୟୁର୍ବେଦ ଶିକ୍ଷାଦାନ ଓ ଗବେଷଣା ପ୍ରତିଷ୍ଠାନ ବିଲ-୨୦୨୦, ବିମାନ (ସଂଶୋଧନ) ବିଲ-୨୦୨୦, କମ୍ପାନୀ (ସଂଶୋଧନ) ବିଲ-୨୦୨୦, ଚିକିତ୍ସା ଗର୍ଭପାତ (ସଂଶୋଧନ) ବିଲ-୨୦୨୦, ସରୋଗେସି (ନିୟାମକ) ବିଲ-୨୦୨୦ , ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ବିଲ-୨୦୨୦ , ଜାତୀୟ ଫୋରେନସିକ ସାଇନ୍ସ ବିଶ୍ୱବିଦ୍ୟାଳୟ ବିଲ୍-୨୦୨୦, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ-୨୦୨୦, ଆନ୍ତଃରାଜ୍ୟ ଜଳ ବିବାଦ (ସଂଶୋଧନ) ବିଲ-୨୦୨୦, ନଦୀବନ୍ଧ ସୁରକ୍ଷା ବିଲ-୨୦୧୯, ବୃହତ ବନ୍ଦର କର୍ତ୍ତୃପକ୍ଷ ବିଲ-୨୦୨୦, ସାମାଜିକ ସୁରକ୍ଷା ଓ କଲ୍ୟାଣ ସଂହିତା-୨୦୧୯, ପେସାଗତ ସୁରକ୍ଷା, ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ବିଲ-୨୦୧୯।

ପ୍ରତ୍ୟେକ ସଦନରେ ଦୈନିକ ୪ ଘଣ୍ଟା ଲେଖାଏଁ କାର୍ଯ୍ୟକାଳ ରହିବ। ରାଜ୍ୟସଭା ପାଇଁ ପୂର୍ବାହ୍ନ ୯ ଟାରୁ ଅପରାହ୍ଣ ୧ ଟା ଏବଂ ଲୋକସଭା ପାଇଁ ଅପରାହ୍ଣ ୩ ଟାରୁ ୭ ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ତେବେ ୧୪ ତାରିଖ ପ୍ରଥମ ଦିନ ଲୋକସଭା ଅଧିବେଶନ ସକାଳ ବେଳା ଅନୁଷ୍ଠିତ ହେବ। ଶାରୀରିକ ଦୂରତା ରକ୍ଷା ଉଦ୍ଦେଶ୍ୟରେ ସାଂସଦମାନଙ୍କ ବସିବା ସ୍ଥାନରେ ଯଥେଷ୍ଟ ବ୍ୟବଧାନ ରଖାଯିବ। ସାଂସଦମାନେ ଉଭୟ ସଦନର ଚାମ୍ବର ସହିତ ଗ୍ୟାଲେରିରେ ବସିବେ। ସାଂସଦମାନଙ୍କ ଉପସ୍ଥିତି ପଞ୍ଜୀକରଣ କରିବା ଲାଗି ମୋବାଇଲ ଆପର ପ୍ରଚଳନ କରାଯିବ। ସଦନରେ ପଲିକାର୍ବନ ଶିଟ ଜରିଆରେ ଆସନଗୁଡ଼ିକୁ ପୃଥକୀକରଣ କରାଯିବ।

ଏହି ଅଧିବେଶନରେ ଶୂନ୍ୟକାଳ ରହିବ ଏବଂ ଅଣତାରକା ପ୍ରଶ୍ନଗୁଡ଼ିକ ଟେବୁଲରେ ଉପସ୍ଥାପନ କରାଯିବ।

Also Read:

ରଘୁବଂଶ ପ୍ରସାଦ ସିଂଙ୍କ ଶେଷ ଚିଠିରେ ଥିବା ଭାବନାକୁ ପୂରଣ କରାଯିବ:ପ୍ରଧାନମନ୍ତ୍ରୀ ମୋଦୀ, ଚିଠିରେ ସେ ଲେଖିଥିଲେ କଣ…

ଯେପର୍ଯ୍ୟନ୍ତ କାରୋନା ଟୀକା ଆସିନାହିଁ, ସେପର୍ଯ୍ୟନ୍ତ କଟକଣାରେ କୋହଳ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

Share this: