‘ନିଯୁକ୍ତି’ ଭୋଟ ମିଳୁଥିବା ଯୋଜନା ନୁହେଁ! ତେଣୁ …

Share this:

ସବୁବେଳେ ରାଜ୍ୟବାସୀଙ୍କୁ କୁହାଯାଏ ଯେ ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼। ଦୀର୍ଘ ୨୦ ବର୍ଷ କ୍ଷମତା ରେ ରହିବା ପରେ ବି ରାଜ୍ୟ ରାଜକୋଷକୁ ସୁଦୃଢ଼ କରାଯାଇ ପାରିଲାନାହିଁ। କରୋନାଜନିତ ଲକଡାଉନ୍ ଓ ସଟଡାଉନର ସହିତ କୋଭିଡ୍-୧୯ ସୁପରିଚାଳନା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ଦର୍ଶାଇ ରାଜ୍ୟରେ ୨ବର୍ଷ ପର୍ଯ୍ୟନ୍ତ ଅଘୋଷିତ ଆର୍ଥିକ କଟକଣା ଲାଗୁ କରିଛନ୍ତି।

ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଆଜି ସମସ୍ତ ପ୍ରଶାସନିକ ବିଭାଗର ସଚିବଙ୍କୁ ଚିଠି ଲେଖି ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ କୋଭିଡ୍ ପରିଚାଳନା ପାଇଁ ଅଧିକ ଅର୍ଥ ଆବଶ୍ୟକତା ହେଉଥିବାରୁ ସରକାରୀ ବିଭାଗରେ ଖର୍ଚ୍ଚକାଟ କରିବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି।

ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁପ୍ରକାରର ନୂଆ ନିଯୁକ୍ତି, ନୂଆ ପ୍ରକଳ୍ପ ପାଇଁ ଟେଣ୍ଡର, ନୂଆ ଅଫିସ୍ , ଗେଷ୍ଟ ହାଉସ ଓ କର୍ମଚାରୀ ବାସଭବନ ନିର୍ମାଣ , ନୂଆ ଗାଡ଼ିକିଣା, ବିମାନ ଓ ଟ୍ରେନରେ ଯାତାୟତ, କର୍ମଚାରୀଙ୍କୁ ଏଲଟିସି ସୁବିଧା, ସରକାରୀ କାର୍ଯ୍ୟରେ ରାଜ୍ୟରେ ହୋଟେଲରେ ରହିବା, ହୋଟେଲରେ ସରକାରୀ ବୈଠକ ଓ ଭୋଜି ଆୟୋଜନ ଆଦି କରିବା ଉପରେ କଟକଣା ଜାରି ହୋଇଛି। କେବଳ ଗୃହ ବିଭାଗ ଯଦି ସେଠାରେ ସରକାରୀ ନିବାସ ଓ ଭବନର ସୁବିଧା ଯୋଗାଇବାରେ ବିଫଳ ହେବ ସେ କ୍ଷେତ୍ରରେ ସେମାନଙ୍କୁ ହୋଟେଲରେ ରହିବାର ଅନୁମତି ମିଳିବ।

ଅର୍ଥ ବିଭାଗର ନିର୍ଦ୍ଦେଶନାମା ଅନୁସାରେ,ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ଖାଲି ପଡ଼ିଥିବା ସମସ୍ତ ପଦବୀକୁ ଜୁଲାଇ  ୩୧ତାରିଖ ସୁଦ୍ଧା ପ୍ରଶାସନିକ ବିଭାଗଗୁଡ଼ିକ ଉଚ୍ଛେଦ କରିବେ ଓ କୌଣସି ନୂଆ ଯୋଜନା ପାଇଁ ଅର୍ଥ ବରାଦ ହେବ ନାହିଁ। ସରକାରୀ କର୍ମଚାରୀମାନେ ଗସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହି ଭିଡିଓ କନଫରେନ୍ସି ବା ଡିଜିଟାଲ ମାଧ୍ୟମରେ କାର୍ଯ୍ୟ କରିବାକୁ କୁହାଯାଇଛି। ସେହିପରି ସରକାରୀ କର୍ମଚାରୀମାନେ ଲମ୍ବା ଅବଧି ପାଇଁ ମୋଟର କାର ଆଡଭାନ୍ସ, କମ୍ପ୍ୟୁଟର କିଣା ଆଡଭାନ୍ସ ଓ ଏଚବିଏ ଆଦି ସମସ୍ତ ପ୍ରକାରର ଅଗ୍ରୀମ ଅର୍ଥ ନେବା ଉପରେ କଟକଣା ଜାରି ହୋଇଛି।

ମେଡିକାଲ ଉପକରଣ ଓ ଆଭ୍ୟନ୍ତରୀଣ ସୁରକ୍ଷା ଉପକରଣକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପ୍ରକାରର ନୂଆ ଉପକରଣ କିଣିବା ଉପରେ କଟକଣା ଜାରି ହୋଇଛି। ତେବେ ଅର୍ଥ ବିଭାଗର ଅନୁମତିରେ ଡିଜିଟାଲ ଯୋଗାଯୋଗ ନିମନ୍ତେ ଆବଶ୍ୟକ ଉପକରଣ କ୍ରୟ କରାଯାଇ ପାରିବ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗରେ ନୂଆ ପଦବୀ ସୃଷ୍ଟି ହୋଇପାରିବ ନାହିଁ।

ଆଉଟସୋର୍ସିଂ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଠିକାରେ ନିଯୁକ୍ତି ଆଦି ସମସ୍ତ ପ୍ରକାରର ନୂଆ ନିଯୁକ୍ତି ଉପରେ କଟକଣା ହୋଇଛି। ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ କୌଣସି ନୂଆ ଯୋଜନା ଓ ପ୍ରକଳ୍ପ ହୋଇପାରିବ ନାହିଁ। ଯଦି ଅତ୍ୟନ୍ତ ଜରୁରୀ ଥିବ ତା’ହେଲେ ଅର୍ଥ ବିଭାଗର ଅନୁମତି ନେବା ଜରୁରୀ ହେବ। ଯଦି ସର୍ବସାଧାରଣ ପାଇଁ କିଛି ଜରୁରୀ ସେବା ଆବଶ୍ୟକ ପଡ଼େ ତା’ହେଲେ ଏହା ଅର୍ଥ ବିଭାଗର ଅନୁମତିରେ ଏସଏଫସି ଦ୍ୱାରା ଅନୁମୋଦନ ପରେ କରାଯାଇପାରିବ। ସରକାରୀ ବାସଭବନ ଓ କୋଠାଗୁଡ଼ିକର ନବୀକରଣ ଖର୍ଚ୍ଚକୁ ସର୍ବାଧିକ ୫ଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ। ୨୦୨୨ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ନୂଆ ସରକାରୀ କୋଠା, ଗେଷ୍ଟହାଉସ୍ ଓ ଆବାସିକ କୋଠା ନିର୍ମାଣ ବନ୍ଦ ରହିବ। ସମସ୍ତ ପ୍ରକାରର ନୂଆ କାମ, ଉପକରଣ ଓ ସେବା ପାଇଁ ଅର୍ଥ ଖର୍ଚ୍ଚ ହୋଇପାରିବ ନାହିଁ। ଯଦି ଜରୁରୀ ଥିବ ତା’ହେଲେ ନୂଆ ଟେଣ୍ଡରର ପରିମାଣ ସର୍ବାଧିକ ୫କୋଟି ଟଙ୍କାରୁ ଅଧିକ ହେବ ନାହିଁ। ଉପକରଣ ଖର୍ଚ୍ଚ ମଧ୍ୟ ୨୫ଲକ୍ଷ ଟଙ୍କାରୁ ଅଧିକ ହେବନି।

ଓଡ଼ିଶାରେ ସରକାରୀ ନିଯୁକ୍ତି ସତେଯେମିତି ଆଗରୁ ହଜାର ହଜାର ପୋଷ୍ଟ  ବର୍ଷ କୁ ବର୍ଷ ଦିଆଯାଉଥିଲା। ଷ୍ଟାଫ ସିଲେକ୍ସନ କମିଶନ ଯଦି ଚାକିରି ବାହାର କରେ ନିଯୁକ୍ତି ଦେଲାବେଳକୁ ୫ ବର୍ଷ ରୁ ଅଧିକ  ବିତିଯାଇଥାଏ। ମଜା କଥା ନିଯୁକ୍ତି ବିଜ୍ଞାପନ ରେ ଏମିତି ଭୁଲ ରଖାଯାଇ ଥାଏ ଯେ ଯେମିତି ମାମଲା କୋର୍ଟ କୁ ଯିବ। ଆଉ କୋର୍ଟ କୁ ମାମଲା ଗଲେ ନିଯୁକ୍ତି ପରୀକ୍ଷାରେ ରୋକ ଲାଗିଯାଏ। ପୋଷ୍ଟ ସଂଖ୍ୟା ହାତ ଗଣତି। ପୋଷ୍ଟ ସଂଖ୍ୟା ଅନୁସାରେ ଚାକିରି ଆଶାୟୀ ଶହଶହ  ଗୁଣରୁ ଅଧିକ। ଆଉଟସୋର୍ସିଂ ରେ ନିଯୁକ୍ତି କେବଳ ସେଇମାନ ଙ୍କୁ ମିଳେ ଯାର ଲମ୍ବା ହାତ ଥାଏ। ହଁ କେବଳ ଗୋଟିଏ ନୂଆ ଯାହା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଉ ମିଳିବନି। ଯାହାକି ବହୁତ ଦିନରୁ ଦାବି ହୋଇଆସୁଥିଲା

ଯେତେ ବିଭାଗରେ  ଆର୍ଥିକ କଟକଣା ଲାଗୁହୋଇଛି କୌଣସି ଟି ନୂଆ ନୁହେଁ। ଗତ ବର୍ଷ ବର୍ଷ ଧରି ଆମେ ଦେଖି ଆସୁଛୁ। ଭୋଟ ମିଳୁଥିବା ଯୋଜନା କୁ ଆର୍ଥିକ କଟକଣା ହୋଇଛିକି ? ବୋଧେ ନା।

Share this: