ଓଡ଼ିଶା, ତେଲଙ୍ଗାନା, ମାଡ୍ରାସ ଓ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ୪ ଜଣ ବିଚାରପତି ଉନ୍ନୀତ

Share this:

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି, ଭାରତୀୟ ସମ୍ବିଧାନର ଧାରା ୨୧୭ ଉପଧାରା ୧ ଅନୁସାରେ ନିମ୍ନଲିଖିତ ୪ ଜଣ ବିଚାରପତିଙ୍କୁ ହାଇକୋର୍ଟର ବିଚାପତିଭାବେ ଉନ୍ନୀତ କରିଛନ୍ତି।

ଡ. ଜଷ୍ଟିସ ଏସ୍‍. ମୁରଲୀଧର, ବିଏସ୍‍ସି, ଏଲଏଲଏମ୍‍, ପିଏଚଡିଙ୍କ ଜନ୍ମ ୧୯୬୧ ଅଗଷ୍ଟ ୮ ତାରିଖରେ। ସେ ୧୯୪୮ ସେପ୍‍ଟେମ୍ବର ୧୨ରେ ଜଣେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ ଏବଂ ଚେନ୍ନଇ ସିଭିଲ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଦେୱାନି, ଫୌଜଦାରୀ, ସାମ୍ବିଧାନିକ, ଶ୍ରମ, ନିର୍ବାଚନ, ଆର୍ବିଟ୍ରେସନ, ସାଧାରଣ ସ୍ୱାର୍ଥଜଡିତ ବିବାଦ, ମାନବ ଅଧିକାର, କଂପାନୀ ବ୍ୟାପାର, ଟିକସ ଓ ସର୍ଭିସ ମାମଲା ଆଦି ପରିଚାଳନା କରିଥିଲେ । ସାମ୍ବିଧାନିକ, ନିର୍ବାଚନ, ପିଆଇଏଲ୍‍, ଫୌଜଦାରୀ ଓ ମାନବାଧିକାର ମାମଲାଗୁଡିକ ପରିଚାଳନାରେ ତାଙ୍କର ସ୍ୱତନ୍ତ୍ର ବ୍ୟୁତ୍ପତ୍ତି ଥିଲା। ଭାରତୀୟ ନିର୍ବାଚନ ଆୟୋଗ, ଭାରତୀୟ ମାନବାଧିକାର କମିସନ, କେନ୍ଦ୍ରୀୟ ଭିଜିଲାନ୍‍ସ କମିସନ ଏବଂ ୟୁଜିସି  ଆଦିର ସେ ଓକିଲଭାବେ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟ ଆଇନଗତ ସେବା କମିଟିର ସଦସ୍ୟଭାବେ ୨୦୦୦-୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ରହିଛି। ୨୦୦୬ ମେ ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ଏହା ପରେ ୨୦୦୭ ଅଗଷ୍ଟ ୨୯ରେ ସେ ସ୍ଥାୟୀ ବିଚାରପତିଭାବେ ଅବସ୍ଥାପିତ ହୋଇଥିଲେ। ୨୦୨୦ ମାର୍ଚ୍ଚ ୬ ରେ ସେ ହରିଆନା ହାଇକୋର୍ଟକୁ ବଦଳି ହୋଇଥିଲେ।

ସେହିପରି ବିଚାରପତି କୁମାରୀ ହିମା କୋହଲିଙ୍କ ଶିକ୍ଷାଗତ ଯୋଗ୍ୟତା ଏମଏ ଏଲଏଲବି। ୧୯୫୯ ସେପ୍‍ଟେମ୍ବର ୨ରେ ତାଙ୍କର ଜନ୍ମ। ୧୯୮୪ ସେପ୍‍ଟେମ୍ବର ୨୦ରେ ସେ ଜଣେ ଆଡଭୋକେଟଭାବେ ପଞ୍ଜୀକୃତ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରେ ସେ ଦେୱାନି,  ସାମ୍ବିଧାନିକ, ଶ୍ରମ, କଂପାନୀ ଓ ସର୍ଭିସ ବ୍ୟାପାରରେ ବିଭିନ୍ନ ମାମଲା ପରିଚାଳନା କରୁଥିଲେ। ତାଙ୍କର ଦେୱାନି ମାମଲା ପରିଚାଳନାରେ ସ୍ୱତନ୍ତ୍ରତା ରହିଛି। ୨୦୦୬  ମେ ୨୯ ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୦୭ ଅଗଷ୍ଟ ୨୯ ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ।

ଜଷ୍ଟିସ ପଙ୍କଜ ମିତ୍ତଲ ବି.କମ୍‍ ପରେ ଆଇନରେ ଡିଗ୍ରୀ ହାସଲ କରିଥିଲେ। ୧୯୬୧ ଜୁନ୍‍ ୧୭ ରେ ତାଙ୍କର ଜନ୍ମ। ୧୯୮୫ ସେପ୍‍ଟେମ୍ବର ୨୨ ରେ ଆଡଭୋକେଟଭାବେ ପଞ୍ଜୀକୃତ ହେବା ପରେ ସେ ଆହ୍ଲାବାଦ ହାଇକୋର୍ଟରେ ଦେୱାନି, ସାମ୍ବିଧାନିକ, ଶ୍ରମ ଓ ସର୍ଭିସ ମାମଲାଗୁଡିକ ଦୀର୍ଘ ୨୦ ବର୍ଷ ପରିଚାଳନା କରିଥିଲେ। ଭୂମି ଅଧିଗ୍ରହଣ, ରେଣ୍ଟ କଣ୍ଟ୍ରୋଲ ଏବଂ ଶିକ୍ଷା ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଅଭିଜ୍ଞତା ଓ ଦକ୍ଷତା ରହିଛି। ୨୦୦୬ ଜୁଲାଇ ୭ ରେ ସେ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତିଭାବେ ନିଯୁକ୍ତି ପାଇଥିଲେ ଏବଂ ୨୦୦୮ ଜୁଲାଇ ୨ ରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା।

ବିଚାରପତି ଶ୍ରୀ ସଞ୍ଜୀବ ବାନାର୍ଜୀ ସମ୍ମାନ ସହ ବିଏସ୍‍ସିରେ ଡିଗ୍ରୀ ହାସଲ କରିବା ପରେ ଏଲଏଲବି କରିଥିଲେ। ୧୯୬୧ ନଭେମ୍ବର ୨ ରେ ତାଙ୍କର ଜନ୍ମ। ୧୯୯୦ ନଭେମ୍ବର ୨୧ ରେ ଜଣେ ଆଡଭୋକେଟଭାବେ ସେ ପଞ୍ଜୀକୃତ ହୋଇଥିଲେ ଏବଂ ତା ପରେ ସୁପ୍ରିମକୋର୍ଟ ଓ କଲକାତା ହାଇକୋର୍ଟରେ ମାମଲା ପରିଚାଳନା କରିଥିଲେ। ଦେୱାନି, କଂପାନୀ, ଆର୍ବିଟ୍ରେସନ ଏବଂ ସାମ୍ବିଧାନିକ ମାମଲାଗୁଡିକ ସେ ପରିଚାଳନା କରୁଥଲେ ହେଁ କଂପାନୀ ବ୍ୟାପାର, ବୌଦ୍ଧିକ ସ୍ୱତ୍ୱାଧିକାର ଏବଂ ଆର୍ବିଟ୍ରେସନ ଆଇନରେ ତାଙ୍କର ବିଶେଷତ୍ୱ ଥିଲା।  କଲକାତା ହାଇକୋର୍ଟର ଜଣେ ସ୍ଥାୟୀ ବିଚାରପତିଭାବେ ୨୦୦୬ ଜୁନ୍‍ ୨୨ରେ ସେ ନିଯୁକ୍ତି ପାଇଥିଲେ।

[amazon_auto_links id=”9939″]

Share this: