ମେକ୍‌ ଇନ୍‌ ଇଣ୍ଡିଆ ସହିତ ମେକ୍‌ ଫର୍‌ ୱାର୍ଲ୍ଡ ଆମର ମନ୍ତ୍ର ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ:ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସକ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ଼-୧୯ପରିଚାଳନା ସଂପର୍କୀତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗର ଅବତାରଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-୧୯ ପରିଚାଳନାର ଅଂଶବିଶେଷ ସ୍ୱରୂପ ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ଘରୋଇ ଭାବେ ଉତ୍ପାଦନ କରାଯାଉଛି। ଏହା ଦେଶର ଅର୍ଥନୀତିର ପୁନରୁତ୍ଥାନ କରିବାରେ ସହାୟକ ହୋଇଛି ଏବଂ ଏଥିରେ ଦେଶର ମଧ୍ୟବିତ୍ତ ବର୍ଗଙ୍କ ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆତ୍ମ ନିର୍ଭର ଭାରତର ବିଶେଷ ମହତ୍ତ୍ୱ ରହିଛି ଏବଂ ଦେଶର ଏଭଳି ଦୁର୍ଦ୍ଦିନରେ ସମସ୍ତ ଭାରତୀୟ ଏଥିପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛନ୍ତି। ୧୩୦ କୋଟିରୁ ଅଧିକ ଭାରତୀୟ ଏବେ “ଆତ୍ମନିର୍ଭର” ହେବାକୁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ଯାହାକି ଏଭଳି କରୋନା ମହାମାରୀ ସମୟରେ ସେମାନଙ୍କର ବଜ୍ର ନିଷ୍ପତ୍ତି ବୋଲି କୁହାଯାଇପାରେ। “ଆତ୍ମ ନିର୍ଭର ହେବା ବାଧ୍ୟତାମୂଳକ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ। ମୋର ସେମାନଙ୍କର ସାମର୍ଥ୍ୟ ଉପରେ ଦୃଢ ବିଶ୍ୱାସ ରହିଛି, ଆସ୍ଥା ଅଛି ଏବଂ ମୋର ସହ ଭାରତୀୟଙ୍କ ସାମର୍ଥ୍ୟରେ ମୁଁ ବିଶ୍ୱାସୀ। ଥରେ ଆମେ କିଛି କରିବୁ ବୋଲି ସିଦ୍ଧାନ୍ତ ଗ୍ରହଣ କଲେ, ଆମେ ସେତେବେଳ ପର୍ଯ୍ୟନ୍ତ ବିଶ୍ରାମ ନେଇ ନଥାଉ ଯେତେ ପର୍ଯ୍ୟନ୍ତ ସେହି ଲକ୍ଷ୍ୟ ହାସଲ କରାଯାଇ ନପାରିଛି” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସେ କହିଲେ ଯେ ଜାତୀୟ ଭିତ୍ତିଭୂମି ପାଇପଲାଇନ୍‌ (ଏନଆଇପି) ପ୍ରକଳ୍ପ ଜରିଆରେ ଦେଶର ସାମଗ୍ରିକ ଭିତ୍ତିଭୂମିକୁ କିଭଳି ଭାବେ ତ୍ୱରିତ ବିକାଶ ଜରିଆରେ ଆଗକୁ ଆଗେଇ ନିଆଯାଇପାରିବ ତାହା ଉପରେ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି।  ସେଥିପାଇଁ ଏନଆଇପିରେ ୧୧୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିପାଇଁ ୭ ହଜାର ଟି ପ୍ରକଳ୍ପକୁ ଏଯାବତ୍‌ ଚିହ୍ନଟ କରାଯାଇ ସାରିଛି ଏବଂ ସେସବୁ ବିଭିନ୍ନ ସେକ୍ଟରର ବୋଲି ସେ ସୂଚନା ଦେଇଥିଲେ। ଜାତୀୟ ଭିତ୍ତିଭୂମି ପାଇପଲାଇନ୍‌ ପ୍ରକଳ୍ପ ଦେଶକୁ କୋଭିଡ଼-୧୯ ପ୍ରଭାବରୁ ମୁକୁଳାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏନଆଇପି ଏଭଳି ଏକ ପ୍ରକଳ୍ପ ଯାହା ଭାରତର ଭିତ୍ତିଭୂମି ସୃଷ୍ଟି ପ୍ରୟାସରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବ। ଏହାଦ୍ୱାର ଅନେକ ନୂଆ ନୂଆ ପ୍ରକଳ୍ପମାନ ସୃଷ୍ଟି ହେବ ଯେଉଁଥିରୁ ଆମର କୃଷକମାନେ, ଯୁବକ ଯୁବତୀମାନେ, ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ବର୍ତ୍ତମାନ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ଆମକୁ ଆଉ ଏକ ମନ୍ତ୍ର- ‘ମେକ୍‌ ଫର୍‌ ୱାର୍ଲ୍ଡ’କୁ ଆଗକୁ ଆଗେଇ ନେବାକୁ ପଡ଼ିବ।

ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ ଯେଉଁ ଯେଉଁସବୁ ସଂସ୍କାର କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି ତାହା ଉପରେ ସମଗ୍ର ବିଶ୍ୱ ତୀକ୍ଷ୍ଣ ନଜର ରଖିଛନ୍ତି। ଫଳ ସ୍ୱରୂପ, ଦେଶକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ପ୍ରବାହ ସବୁ ରେକର୍ଡ଼କୁ ଭଙ୍ଗ କରିଛି । ଏଭଳି ଏଫଡ଼ିଆଇରେ ୧୮ ପ୍ରତିଶତ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି ଏବଂ ତାହା ପୁଣି କୋଭିଡ଼-୧୯ ଭଳି ବୈଶ୍ୱିକ ମହାମାରୀ କାଳରେ ବୋଲି ସେ ସୂଚାଇଥିଲେ।

Share this: