Maha Shivratri Live: ଆଜି ହେଉଛି ମହାଶିବରାତ୍ରୀ, କୋଭିଡ କଟକଣା ମଧ୍ୟରେ ଜାଗର ହେବ ପାଳିତ
ଢେଙ୍କାନାଳ: Maha Shivratri Live ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ମହାଶିବରାତ୍ରୀ ତଥା ଜାଗର ଉତ୍ସବ ପାଳିତ ହେଉଛି। ବିଭିନ୍ନ ଶୈବପୀଠଗୁଡିକ ପୁଷ୍ପରେ ସୁସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଆଜି ବଡିଭୋରୁ ଧାଡିରେ ଯାଇ ଶିବ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ବିଳମ୍ବିତରାତିରେ ଉଠିବାକୁ ଥିବା ମହାଦୀପ ଦର୍ଶନ କରିବା ପାଇଁ ର ସହ ଭକ୍ତମାନେ ଅପେକ୍ଷା କରି ରହିଛନ୍ତି।
ସୂଚନା ଅନୁସାରେ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ଜାଗର ଉତ୍ସବ ପାଇଁ ମୁଖରିତ ହୋଇପଡିଛି। ଭୁବନେଶ୍ୱର ମହାନଗର ନିଗମର ମାର୍ଗଦର୍ଶିକା ଅନୁଯାୟୀ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗରଯାତ୍ରା ଅନୁଷ୍ଠିତ ହେଉଛି। ଆଜି ଭୋର ୩ଟାରୁ ଦ୍ୱାରା ଫିଟାଯାଇ ମଙ୍ଗଳଆରତୀ, ଅବକାଶ ନୀତି ପରେ ସାହାଣମେଳା ଦର୍ଶନ ଆରମ୍ଭ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଭଦ୍ରକ ଜିଲ୍ଳା ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା ଉପଲକ୍ଷେ ଷୋଡଶ ଉପଚାର ପୂଜା ତଥା ସୁନାବେଶ ଅନୁଷ୍ଠିତ ହେଉଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ କୋଭିଡ କଟକଣା ମାର୍ଗଦର୍ଶିକା ଯୋଗୁଁ କେବଳ ଆରଡିର ଚାରୋଟି ପଞ୍ଚାୟତର ଅଧିବାସୀଙ୍କ ଦର୍ଶନପାଇଁ ଅନୁମତି ଦିଆଯାଇଛି। ଆଜି ମହାଶିବରାତ୍ରୀ ନୀତି ନିମନ୍ତେ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ସହ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି।
କୋଭିଡ କଟକଣା ମଧ୍ୟରେ ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ମହାଶିବରାତ୍ରୀ ପାଳିତ ହେଉଛି। ଶ୍ରୀ ଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ବାହାରି ରାତି ପ୍ରାୟ ସାଢେ ୧୧ଟାରେ ଲୋକନାଥ ମନ୍ଦିରରେ ପହଞ୍ଚିବ। ପାରମ୍ପରିକ ରୀତିମତେ ସେଠାରେ ହରିହର ଭେଟି ଅନୁଷ୍ଠିତ ହେବ।
ସେହିପରି କଟକ ଜିଲ୍ଲାରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଜାଗର ଯାତ୍ରା ଉପଲକ୍ଷେ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ଆଜି ସକାଳ ୫ଟାରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବାଲେଶ୍ୱରର ବିଭିନ୍ନ ଶୈବପୀଠରେ ମଧ୍ୟ ମହାଶିବରାତ୍ରୀ ଓ ଜାଗରଯାତ୍ରା ଅନୁଷ୍ଠିତ ହେଉଛି।