Covid-19 Vaccine:୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୀଘ୍ର ପ୍ରତିଷେଧକ ଟିକା ଦେବାରେ ଭାରତ ପ୍ରଥମ ରାଷ୍ଟ୍ର : ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ

Share this:

ନୂଆଦିଲ୍ଲୀ:ଭାରତରେ ଗତକାଲିସୁଦ୍ଧା ୧୦ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା (Covid-19 Vaccine) ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୀଘ୍ର ପ୍ରତିଷେଧକ ଟିକା ଦେବାରେ ଭାରତ ପ୍ରଥମ ରାଷ୍ଟ୍ର ହୋଇଛି।

ସୂଚନାଅନୁସାରେ ଗତକାଲି ୨ ଲକ୍ଷ ୩୩ ହଜାର ସ୍ୱାସ୍ଥ୍ୟକର୍ମୀ ପ୍ରତିଷେଧକ ଟିକା ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟ୍ୱିଟ୍‍ କରି କହିଛି, ଦେଶରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୪୦ ହଜାର ୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି।

ସେହିପରି ଓଡ଼ିଶାରେ ଗତକାଲି ସୁଦ୍ଧା ୧ଲକ୍ଷ ୧୩ହଜାର ୬୨୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ୨୦ଟି ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଗତ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ୨୫ ତାରିଖ ସୁଦ୍ଧା ୩ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଟିକାକରଣ ରାଜ୍ୟରେ ଷଷ୍ଠ ଦିନରେ ମଧ୍ୟ କୋଭିଡ୍‍ ଟିକାରଣ ଅଭିଯାନ ଜାରି ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଟିକାକରଣର ଏପର୍ଯ୍ୟନ୍ତ ବିଶେଷ କିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। ସେ ସମସ୍ତଙ୍କୁ ଆଗେଇ ଆସି ଟିକା ନେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ସରକାରୀ ଓ ଘରୋଇ ମେଡ଼ିକାଲ କଲେଜରେ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ ଦିନ ଟିକାକରଣ ଜାରି ରହିବ।

ସେହିପରି ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ଟିକାକରଣ ହେବ। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଆସନ୍ତା ସପ୍ତାହ ଭିତରେ ରାଜ୍ୟକୁ ଆଉ ୧ଲକ୍ଷ ୪୯ହଜାର ୭୬୦ଟି କୋଭାକ୍ସିନ୍‍ ଡୋଜ୍‍ ଆସିବ। ଆଜି ୧୫୦ଟି ସେସନରେ ୧୩ହଜାର ୧୫୫ଜଣଙ୍କୁ ଟିକା ପ୍ରଦାନ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

Best_Budget_Smartphones

Share this: