ହେଲିକପ୍ଟର ଯୋଗେ ପଙ୍ଗପାଳ ଦମନ ଅଭିଯାନ ଆରମ୍ଭ

Share this:

ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ପଙ୍ଗପାଳ ଦମନ  ପାଇଁ  : ଶ୍ରୀ ତୋମର

ହେଲିକୋପ୍ଟରରୁ କୀଟନାଶକ ସିଞ୍ଚନ କରାଯିବ;ପ୍ରଥମେ ରାଜସ୍ଥାନର ବାଡ଼ମେର, ଜୟସଲମେର, ବିକାନିର, ଯୋଧପୁର ଓ ନାଗଉରର ମରୁଭୂମି

କେନ୍ଦ୍ର ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ପଙ୍ଗପାଳ ଦମନ ପାଇଁ ହେଲିକୋପ୍ଟରରୁ କୀଟନାଶକ ସିଞ୍ଚନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ସିଞ୍ଚନ ଯନ୍ତ୍ର ସୁବିଧା ଥିବା ଏକ ବେଲ୍‌ ହେଲିକୋପ୍ଟର ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଅନ୍ତର୍ଗତ ନୋଏଡ଼ାର ଏକ ହେଲିପ୍ୟାଡରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ହେଲିକୋପ୍ଟର ରାଜସ୍ଥାନର ବାଡ଼ମେର ସ୍ଥିତ ଉତ୍ତରଲାଇ ବାୟୁସେନା ଘାଟିରେ ରହିବ ଏବଂ ସେଠାରୁ ପଙ୍ଗପାଳ ଦମନ କାର୍ଯ୍ୟରେ ନିୟୋଜିତ ହେବ। ରାଜସ୍ଥାନର ବାଡ଼ମେର, ଜୟସଲମେର, ବିକାନିର, ଯୋଧପୁର ଓ ନାଗଉର ଆଦି ମରୁଭୂମି ଅଞ୍ଚଳରେ ଏବେ ପଙ୍ଗପାଳ ଉପଦ୍ରବ ଦେଖାଦେଇଛି । ତାହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ହେଲିକୋପ୍ଟରରୁ ଔଷଧ ସିଞ୍ଚନ କରାଯିବ। ୨୦୬ -ବି ୩  ଶ୍ରେୀଣୀର ଏହି ହେଲିକୋପ୍ଟରରେ ଏକକ ଚାଳକ ସୁବିଧା ଅଛି । ଏଥିରେ ଥରକେ ୨୫୦  ଲିଟର କୀଟନାଶକ ରଖି ସିଞ୍ଚନ କରିବାର ସୁବିଧା ଉପଲବ୍ଧ। ଥରକେ ଏହା ୨୫ ରୁ ୫୦ ହେକ୍ଟର ଅଞ୍ଚଳରେ କୀଟନାଶକ ସିଞ୍ଚନ କରିପାରିବ । ଏହି ଅଭିଯାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମହାନିର୍ଦେଶାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

ପରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଶ୍ରୀ ତୋମର କହିଛନ୍ତି ଯେ ଦୀର୍ଘ ୨୬  ବର୍ଷର ବ୍ୟବଧାନ ପରେ ଗତବର୍ଷ ଭାରତରେ ପଙ୍ଗପାଳ ଆକ୍ରମଣ ଦେଖାଦେଇଥିଲା। ଏହାକୁ ଭଲଭାବେ ନିୟନ୍ତ୍ରିତ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏଥର ପଙ୍ଗପାଳ ଆକ୍ରମଣ ଗତବର୍ଷଠାରୁ ଅଧିକ କ୍ଷତିକାରକ ହେବ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତ ରହିବା ସହ ଅଧିକରୁ ଅଧିକ ମେସିନ, ଯାନବାହନ ଓ ଲୋକବଳକୁ ନିୟୋଜିତ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଡିଲେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଥମ ଥର ପାଇଁ ପଙ୍ଗପାଳ ଦମନ ଅଭିଯାନରେ ଡ୍ରୋନ ବ୍ୟବହାର କରାଯାଇଛି । ଆଜି ମଧ୍ୟ ଆକାଶମାର୍ଗରୁ ହେଲିକୋପ୍ଟର ସାହାଯ୍ୟରେ କୀଟନାଶକ ସିଞ୍ଚନ କାର୍ଯ୍ୟ ଆରମ୍ଭ ହୋଇଛି। ଡ୍ରୋନ ଓ ହେଲିକୋପ୍ଟର ମୁତୟନ ପାଇଁ ଅନୁମତି ଦେଇଥିବାରୁ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ତୋମର କହିଛନ୍ତି ଯେ ଆକାଶମାର୍ଗରୁ କୀଟନାଶକ ସିଞ୍ଚନ ପାଇଁ ବ୍ରିଟେନର ଏକ କମ୍ପାନୀଠାରୁ ୫ ଟି ସ୍ପ୍ରେୟର ମେସିନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମେସିନ ଆସିଗଲେ ସେଗୁଡିକୁ ଭାରତୀୟ ବାୟୁସେନାର ହେଲିକୋପ୍ଟରରେ ଖଞ୍ଜାଯାଇ ପଙ୍ଗପାଳ ଦମନ କାର୍ଯ୍ୟକୁ ବ୍ୟାପକ କରାଯିବ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ମହେଶ ଶର୍ମା, କୃଷି ସଚିବ ସଂଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ପଙ୍ଗପାଳ ଆକ୍ରମଣର ମୁକାବିଲା ପାଇଁ ଗତ ମେ ୨୭  ତାରିଖରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଡ୍ରୋନ ଓ ହେଲିକୋପ୍ଟର ମୁତୟନ କରିବାକୁ ନିଷ୍ପତ୍ତି ନିଆଯିବା ସହ ଏହି କାମରେ କୃଷି ମନ୍ତ୍ରଣାଳୟକୁ ସାହାଯ୍ୟ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଛଡା ଆବଶ୍ୟକ ଉପକରଣ ଓ ସାଜସରଞ୍ଜାମ ବ୍ୟବସ୍ଥ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଥିଲା। ଏହାପରେ ଏକ ଆନ୍ତଃ ମନ୍ତ୍ରଣାଳୟ କ୍ଷମତାପ୍ରାପ୍ତ କମିଟି ଅତିରିକ୍ତ କୃଷି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇ ଆବଶ୍ୟକ ସାମଗ୍ରୀ ଯୋଗାଡ଼ ଏବଂ ହେଲିକୋପ୍ଟରରୁ ଔଷଧ ସିଞ୍ଚନ ପ୍ରକ୍ରିୟା କାର୍ଯ୍ୟର ତଦାରଖ ବ୍ୟବସ୍ଥା କରିବାକୁ ଦାୟିତ୍ୱ ନେଇଥିଲା। ଏହି କମିଟିରେ ବେସାମରିକ ବିମାନ ଚଳଚଳ ମନ୍ତ୍ରଣାଳୟ, ପବନହଂସ, ଡିସିଜିଏ, ଏୟାର ଇଣ୍ଡିଆ ଏବଂ ଡିଏସ୍‌ସିର ପ୍ରତିନିଧିମାନେ ସଦସ୍ୟ ଅଛନ୍ତି।

ଏବେ ପଙ୍ଗପାଳ ଦମନ କାର୍ଯ୍ୟରେ ୬୦ ଟି ଦଳକୁ ନିୟୋଜିତ କରାଯାଇଛି। ସେମାନଙ୍କ ପାଖରେ ଆବଶ୍ୟକ ଉପକରଣ ଯାନବାହନ ଆଦି ରହିଛି। ଏଥିରେ ଦୁଇ ଶହ ରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ କାମ କରୁଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ହରିଆନା, ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ସଂପୃକ୍ତ  ନିୟନ୍ତ୍ରକ ଦପ୍ତର ସତର୍କ କରାଇ ଦେଇଛି। କେନ୍ଦ୍ର ସରକାରଙ୍କ ଦଶଜଣ ସର୍କଲ ଅଧିକାରୀ ଏବେ ରାଜସ୍ଥାନର ଜୟସଲମେର, ବିକାନିର, ଫଲୋଡି, ବାଡ଼ମେର, ଜାଲୋର, ଚୁରୁ, ନାଗଉର ତଥା ଗୁଜରାଟର ସୁରତଗଡ଼, ପାଲନପୁର ଓ ଭୁଜରେ ମୁତୟନ ହୋଇଛନ୍ତି। ଏହି ଅଧିକାରୀମାନେ ପ୍ରାୟ ୨ ଲକ୍ଷ ବର୍ଗ କିଲୋମିଟର ମରୁଭୂମି ଅଞ୍ଚଳରେ ପଙ୍ଗପାଳଙ୍କ ଗତିବିଧି ଏବଂ ସେମାନଙ୍କ ଦମନ କାର୍ଯ୍ୟ ତଦାରଖ କରୁଛନ୍ତି।

ଏଥିପାଇଁ ଜୟପୁର, ଆଜମେର, ଶିବପୁର, ଫଜିଲିକା ଏବଂ ଝାନ୍‌ସୀରେ ଅସ୍ଥାୟୀ ପଙ୍ଗପାଳ ଦମନ ଶିବିରମାନ ଖୋଲାଯାଇଛି।

Share this: