ଓଡ଼ିଶାଜାତୀୟ କୋଭିଡ ମୃତ୍ୟୁହାର ହ୍ରାସ ପାଉଥିବା ଦୃଷ୍ଟିରୁ ,ବିଦେଶକୁ ଭେଣ୍ଟିଲେଟର ରପ୍ତାନୀ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି August 2, 2020 MahimaLive Share this: ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁହାର କ୍ରମଶଃ ହ୍ରାସ ପାଉଥିବାରୁ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ଭେଣ୍ଟିଲେଟର ବିଦେଶକୁ ରପ୍ତାନୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ପାଇଁ ଗଠିତ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ବା ଜିଓଏମ୍(GOM) ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ବିଚାର କରି ଭାରତରେ ତିଆରି ଭେଣ୍ଟିଲେଟର୍ସ ବିଦେଶକୁ ରପ୍ତାନୀ ପାଇଁ ଅନୁମତି ଦେଇଛି। ଏ ସଂକ୍ରାନ୍ତ ନିଷ୍ପତ୍ତି ବିଷୟରେ ବୈଦେଶିକ ବାଣିଜ୍ୟ ବିଭାଗର ମହାନିର୍ଦେଶକ (DGFT)ଙ୍କୁ ଅବଗତ କରାଯାଇଛି। ଡିଜିଏଫ୍ଟି ଏବେ ଏହି ଭାରତ ତିଆରି ଭେଣ୍ଟିଲେଟର ରପ୍ତାନୀ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବ। ଭାରତରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁହାର ଉଲ୍ଲେଖନୀୟଭାବେ ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ ଭାରତରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁହାର ୨.୧୫ଶତାଂଶ ରହିଛି। ଏହାର ଅର୍ଥ, ଗୁରୁତର ସଂକ୍ରମିତଙ୍କ ମଧ୍ୟରୁ ଖୁବ୍ କମ୍ ଏବେ ଭେଣ୍ଟିଲେଟରରେ ଅଛନ୍ତି। ଜୁଲାଇ ୩୧ ସୁଦ୍ଧା ସକ୍ରିୟ କରୋନା ସଂକ୍ରମିତଙ୍କ ମଧ୍ୟରେ ମାତ୍ର ୦.୨୨ଶତାଂଶ ଭେଣ୍ଟିଲେଟରରେ ଥିଲେ। ଆହୁରି ମଧ୍ୟ ଦେଶରେ ଭେଣ୍ଟିଲେଟର ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି। ଜାନୁୟାରୀ ତୁଳନାରେ ଏବେ ୨୦ ରୁ ଅଧିକ ସଂସ୍ଥା ଏହି ଭେଣ୍ଟିଲେଟର ଉତ୍ପାଦନ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ଦେଖାଦେବା ପରେ ମାର୍ଚ୍ଚ ରେ କେନ୍ଦ୍ରସରକାର ଭେଣ୍ଟିଲେଟର ରପ୍ତାନୀକୁ ନିଷିଦ୍ଧ କରିଥିଲେ। ଘରୋଇ ରୋଗୀଙ୍କ ପାଇଁ ଭେଣ୍ଟିଲେଟରର ଯେପରି ଅଭାବ ନ ପଡେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସରକାରଙ୍କ ନିଷ୍ପତ୍ତିକ୍ରମେ ଏହାର ରପ୍ତାନୀକୁ ନିଷିଦ୍ଧ କରି ଚଳିତବର୍ଷ ମାର୍ଚ୍ଚ ୨୪ ତାରିଖରେ ଡିଜିଏଫ୍ଟି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏବେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିବାରୁ ବିଦେଶକୁ ଭାରତୀୟ ଭେଣ୍ଟିଲେଟର ରପ୍ତାନୀ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହି ଭାରତୀୟ ଉତ୍ପାଦ ମଧ୍ୟ ବିଦେଶୀ ବଜାର ହାସଲ କରିବା ପାଇଁ ସୁଯୋଗ ପାଇଛି। From The Web Share this: