ଗଞ୍ଜାମରୁ ସୁରତ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ;୭ ମୃତ ଏବଂ ୭ ଆହତ
ରାୟପୁର: ଗଞ୍ଜାମରୁ ଗୁଜରାଟର ସୁରତକୁ ଶ୍ରମିକ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତିଶଗଡ଼ର ରାଇପୁର (Raipur) ନିକଟ ଚେରିଖେଡି ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୭ଜଣ ମଧ୍ୟ ଆହତ ହୋଇଛନ୍ତି।
ସୂଚନାଅନୁସାରେ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଅଞ୍ଚଳକୁ ଯାଉଥିବା ବସ୍ଟି ଛତିଶଗଡ଼ ରାଜଧାନୀ ରାୟପୁର ନିକଟରେ ଚେରିଖେଡି ଠାରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଆଜି ଭୋର ସମୟରେ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି ଏବଂମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF) ରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।