Fit India Movement:ଫିଟନେସ୍ ସଂପର୍କରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ

Share this:

ନୂଆଦିଲ୍ଲୀ : ଏକ ଅଭିନବ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ସେପ୍ଟେମ୍ବର ଦିନ ଫିଟ୍ ଇଣ୍ଡିଆ ଆନ୍ଦୋଳନର (Fit India Movement) ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ଭାବ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଟନେସ୍ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସକାଶେ ଏବଂ ସାଧାରଣ ନାଗରିକମାନଙ୍କ ସହିତ ବାର୍ତ୍ତାଳାପ କରିବେ।

ଏହି ଅନଲାଇନ ଭାବ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଫିଟନେସ୍ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମାର୍ଗଦର୍ଶନ କରିବା ସହିତ ନିଜ ଫିଟନେସ୍ ଯାତ୍ରାର ଅନୁଭବ ଓ ନିଜସ୍ୱ ମତ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ବିରାଟ କୋହଲି (Virat Kohli) ଙ୍କ ଠାରୁ ମିଲିନ୍ଦ୍ ସୋମନ (Milind Soman) ଓ ରୁଜୁତା ଦିବାକର (Rujuta Diwekar ) ଙ୍କ ସମେତ ଅନେକ ପ୍ରଭାବୀ ବ୍ୟକ୍ତିବିଶେଷ ସାମିଲ ହେବେ।

କୋଭିଡ଼-୧୯ (Covid -19) ଭଳି ବୈଶ୍ୱିକ ମହାମାରୀ ସମୟରେ ଘରେ ରହି ନିଜକୁ ସୁସ୍ଥ ଏବଂ ସକ୍ରିୟ ରଖିବା ଜୀବନର ଏକ ଜରୁରି ଆବଶ୍ୟକତା ହୋଇପଡ଼ିଛି। ଏହି ଭାବ ବିନିମୟ କାର୍ଯ୍ୟକ୍ରମକୁ ପୋଷଣ, ନିରାମୟତା ଏବଂ ଫିଟନେସର ଅନ୍ୟାନ୍ୟ ବିଭିନ୍ନ ଦିଗରୁ ସମୟୋଚିତ ଏବଂ ସାର୍ଥକ ଭାବେ ବିବେଚନା କରାଯାଉଛି।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରୁ ସମ୍ଭୂତ ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନର ରୂପ ପ୍ରଦାନ ପାଇଁ ପ୍ରୟାସ କରାଯାଉଛି। ଫିଟ୍ ଇଣ୍ଡିଆ ଭାବ ବିନିମୟ ଏ ଦିଗରେ ଏକ ସଫଳ ପ୍ରୟାସ ବୋଲି ଦର୍ଶାଯାଇଛି। ଏଥିରେ ଦେଶର ଅଧିକରୁ ଅଧିକ ନାଗରିକମାନଙ୍କୁ ସାମିଲ ହେବା ନିମନ୍ତେ ଆହ୍ୱାନ ଜଣାଯାଇଛି। ଭାରତକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏକ ସୁସ୍ଥ ଓ ସକ୍ରିୟ ରାଷ୍ଟ୍ରରେ ପରିଣତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଯେଉଁ ମୌଳିକ ଉଦ୍ଦେଶ୍ୟ ପାଇଁ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପରିକଳ୍ପନା କରାଯାଇଥିଲା, ସେଥିରେ ନାଗରିକମାନଙ୍କୁ ହସଖୁସି, ସରଳ ଓ ସହଜ ଭାବେ ଜୀବନ ବଞ୍ଚିବା ଏବଂ ଆର୍ଥିକ ଦୃଷ୍ଟରୁ କୌଣସି ପ୍ରକାର ଖର୍ଚ୍ଚାନ୍ତ ନହୋଇ କିଭଳି ଭାବେ ନିଜକୁ ସୁସ୍ଥ ଓ ସକ୍ରିୟ ରଖାଯାଇ ପାରିବ ତଥା ଏଥିପାଇଁ କି ପ୍ରକାର ଆଚରଣଗତ ପରିବର୍ତ୍ତନ ଆବଶ୍ୟକ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସମସ୍ତ ଭାରତୀୟଙ୍କ ଜୀବନରେ ଏଭଳି ଫିଟନେସ ପାଇଁ ଚିନ୍ତାଧାରା ଉଦ୍ରେକ କରିବା ମଧ୍ୟ ଏହାର ଲକ୍ଷ୍ୟ। ଏହି ଭାବ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇବେ।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ, ଗତ ଏକ ବର୍ଷ ମଧ୍ୟରେ, ବିଭିନ୍ନ ସ୍ଥାନରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆନୁକୂଲ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି ଏବଂ ସେଥିରେ ସାରା ଦେଶରୁ ଓ ସମାଜର ବିଭିନ୍ନ ବର୍ଗରୁ ବିପୁଳ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଛନ୍ତି। ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍, ପ୍ଲଗ୍ ରନ୍, ସାଇକ୍ଲୋଥନ୍, ଫିଟ୍ ଇଣ୍ଡିଆ ସପ୍ତାହ, ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୩.୫ କୋଟି ଲୋକ ସାମିଲ ହୋଇଛନ୍ତି ଏବଂ ବାସ୍ତବତା ଦୃଷ୍ଟିରୁ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି।

ଫିଟ୍ ଇଣ୍ଡିଆ ଭାବ ବିନିମୟ, ଯେଉଁଥିରେ ଦେଶବ୍ୟାପୀ ଫିଟନେସକୁ ନେଇ ଉତ୍ସାହୀ ଲୋକମାନେ ଅଂଶଗ୍ରହଣ କରିବେ ଏବଂ ଏହାଦ୍ୱାରା ଏହି ପରିକଳ୍ପନା ଅଧିକ ବଳିଷ୍ଠ ହେବ ଯେ ଏହାକୁ ଦେଶବ୍ୟାପୀ ଏକ ଆନ୍ଦୋଳନର ରୂପ ପ୍ରଦାନ କରିବାରେ ବିପୁଳ ଜନସମର୍ଥନ ରହିଛି।

ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ଦିନ ପୂର୍ବାହ୍ନ ୧୧ ଟା ୩୦ ବେଳେ ଏନଆଇସି ଲିଙ୍କ୍  https://pmindiawebcast.nic.in ମାଧ୍ୟମରେ ଯେକୌଣସି ବ୍ୟକ୍ତି ଫିଟ୍ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।

Also Read:

Angul Covid19 Updates: ଅନୁଗୋଳ ଜିଲ୍ଲାରେ ବଢିଚାଲିଛି କରୋନା, ଆଜି ପୁଣି ୧୬୪ ଜଣ ଚିହ୍ନଟ

Share this: