Breaking Newsଜାତୀୟମନୋରଞ୍ଜନ

ମୁମ୍ବାଇ ପୋଲିସ କମିଶନର ସୁଶାନ୍ତ ସିଂ ମାମଲାରେ କ’ଣ କହିଛନ୍ତି…

Share this:

ମୁମ୍ବାଇ : ଅଭିଯୋଗ ହେଉଛି ଯେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରୁନାହିଁ। ମୁମ୍ବାଇରେ ତଦନ୍ତ କରୁଥିବା ପାଟନା ପୋଲିସ ଦଳର ନେତୃତ୍ୱ ନେଉଥିବା ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ ସେଠାରେ କ୍ୱାରାଣ୍ଟାଇନରେ  ‌ ରଖା ଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଏହା ଠିକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରସଙ୍ଗରେ ବିହାର ଏବଂ ମହାରାଷ୍ଟ୍ର ସରକାର ମୁହାଁମୁହିଁ ହୋଇଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇର ପୋଲିସ କମିଶନର ମଧ୍ୟ ନିଜର ମତ ରଖିଛନ୍ତି। ଏହି ଅଭିଯୋଗ ମଧ୍ୟରେ ବର୍ତ୍ତମାନ ମୁମ୍ବାଇ ପୋଲିସର ମୁଖ୍ୟ କମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସୁଶାନ୍ତ ସିଂ ରାଜପୁତ ମାମଲାରେ ରାଜନୈତିକ ନେତା ସାମିଲ  ହେବାର ସମ୍ଭାବନାକୁ ମୁମ୍ବାଇ ପୋଲିସ କମିଶନର ଅସ୍ୱୀକାର କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ବିହାର ପୋଲିସର ଅଧିକାରକୁ ଆଇନଗତ ଭାବେ ଯାଞ୍ଚ କରାଯାଉଛି।

ପାଟନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରୁଥିବାବେଳେ ସୁଶାନ୍ତଙ୍କ ପିତା କେ.କେ ସିଂ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ମାମଲାରେ ୫୬ ଜଣଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା, ଆର୍ଥିକ କାରବାର କିମ୍ବା ସ୍ୱାସ୍ଥ୍ୟ ହେଉ କି ସବୁ ଦିଗରୁ ଅନୁସନ୍ଧାନ କରାଯାଉଛି।

ଟଙ୍କା ସ୍ଥାନାନ୍ତର ପ୍ରସଙ୍ଗରେ ମୁମ୍ବାଇ ପୋଲିସ କମିଶନର କହିଛନ୍ତି, ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାର କୌଣସି  ପ୍ରମାଣ ନାହିଁ। ତେବେ ପୋଲିସର ତଦନ୍ତ ଜାରି ରହିଛି। ତଥାପି, ଆମ ଦଳ ଏ ବିଷୟରେ ଅଧିକ ଅନୁସନ୍ଧାନ କରୁଛନ୍ତି। ଯାହା ସୂଚନା ଦିଆଯିବ ତାହା ଶୀଘ୍ର ଦିଆଯିବ।  ମୁମ୍ବାଇ ପୋଲିସ କମିଶନର ଆହୁରି କହିଛନ୍ତି, ଆମେ ଆର୍ଥିକ କାରବାର ବିଷୟରେ ଅନୁସନ୍ଧାନ କରୁଛୁ। ତାଙ୍କ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସୁଶାନ୍ତ ବ୍ୟାଙ୍କ ଖାତାକୁ କୁ ଆସିଥିବା ମୋଟ ୧୮ କୋଟି ଟଙ୍କା ମଧ୍ୟରୁ ସାଢେ ଚାରି କୋଟି ଟଙ୍କା ବ୍ୟାଙ୍କରେ ଅଛି।

ସେ କହିଛନ୍ତି, ସୁଶାନ୍ତ ମାମଲାରେ ମୁମ୍ବାଇ ପୋଲିସ ବିସ୍ତୃତ ଭାବେ  ଯାଞ୍ଚ କରିଛି। ପୋଲିସର ତଦନ୍ତ ଜାରି ରହିଛି। ଆମେ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହୁଁ। ଦିଶା ସାଲିଆନଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କହିଛି ଯେ ଜୁନ୍ ୯ ରାତିରେ ପୋଲିସ ଷ୍ଟେସନରେ ଦିଶା ସାଲିଆନ୍ ଆତ୍ମହତ୍ୟା କରିଥିବା ଖବର ଆସିଛି। ଏହା ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ କମିଶନର କହିଛନ୍ତି, ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେଳେ ସୁଶାନ୍ତଙ୍କ ନାମ ଦିଶା ସାଲିଆନଙ୍କ ସହ ଯୋଡି ହୋଇଥିଲା ସେତେବେଳେ ସେ ଅତ୍ୟନ୍ତ ବିବ୍ରତ ହୋଇଥିଲେ। ଆମର ଅନୁସନ୍ଧାନ ଅନୁଯାୟୀ ସେ ଦିଶା ସାଲିଆନଙ୍କ ସହ କେବଳ ଥରେ ସାକ୍ଷାତ କରିଥିଲେ। ସୋସିଆଲ ମିଡିଆରେ ଦିଶା ସାଲିଆନଙ୍କ ସହ ତାଙ୍କର ସମ୍ପର୍କ ଥିବାରୁ ସେ ଭାବପ୍ରବଣ ହୋଇ ବିବ୍ରତ ହୋଇଥିଲେ।

ସେ କହିଛନ୍ତି ଯେ ଆମର ତଦନ୍ତ ସମ୍ପର୍କରେ କେହି ଅଭିଯୋଗ କରିନାହାଁନ୍ତି। ଯଦି କାହାର ଅଭିଯୋଗ ଅଛି, ତେବେ ସେହି ଅଭିଯୋଗ ଆମକୁ ପଠାଯିବା ଉଚିତ୍।  ଆମେ ସବୁ ଦିଗରେ ଅନୁସନ୍ଧାନ କରୁଛୁ ଏବଂ ତଦନ୍ତ ସଠିକ୍ ଦିଗରେ ଗତି କରୁଛି

ସୂଚନାଯୋଗ୍ୟ, ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ୧୪  ଜୁନ୍ ଦିନ ମୁମ୍ବାଇର ଏକ ଫ୍ଲାଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେବେ ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନାରେ ଏଫ୍ଆଇଆର୍ ଦାଖଲ କରିବା ପରେ ବିହାର ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି। ଏଥି ସହ ମୁମ୍ବାଇ ପୋଲିସ ବିହାର ପୋଲିସ ସହ ସହଯୋଗ ନକରିବାର ଅଭିଯୋଗର ସମ୍ମୁଖୀନ ହୋଇଛି।

From The Web

Share this: