ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଏକ ନୂଆ ମାନସିକତା ଜନ୍ମ ନେଇଛି: ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ:ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଉପରେ ଆୟୋଜିତ ସେମିନାରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଭିଭାଷଣ ଦେଇଛନ୍ତି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଚିଫ ଅଫ ଡିଫେନ୍ସ ଷ୍ଟାଫ ( CDS )ଜେନେରାଲ ବିପିନ ରାୱତ , ତିନି ସେନା ମୁଖ୍ୟ, ଭାରତ ସରକାରଙ୍କ ସମସ୍ତ ଉପସ୍ଥିତ ଉଚ୍ଚାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଅନେକ ବର୍ଷ ଧରି ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ସାମଗ୍ରୀ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇ ରହିଆସିଛି, ଏକଥା ସମସ୍ତେ ଜାଣନ୍ତି। ଦେଶ ସ୍ୱାଧୀନ ହେବା ସମୟରେ ପ୍ରତିରକ୍ଷା ଉତ୍ପାଦନ ଲାଗି ଭାରତରେ ଅନେକ ସାମର୍ଥ୍ୟ ରହିଥିଲା। ସେତେବେଳେ ଭାରତରେ ଶହେ ବର୍ଷରୁ ଅଧିକ ସମୟ ଧରି ପ୍ରତିଷ୍ଠିତ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ (Ecosystem) ରହିଥିଲା। ଭାରତ ଭଳି ସାମର୍ଥ୍ୟ ଏବଂ ସମ୍ଭାବନା ଖୁବ କମ ଦେଶ ପାଖରେ ରହିଥିଲା। କିନ୍ତୁ ଭାରତର ଦୁର୍ଭାଗ୍ୟ ହେଉଛି ବହୁ ଦଶନ୍ଧି ପର୍ଯ୍ୟନ୍ତ ଏ ବିଷୟ ପ୍ରତି ଯେତିକି ଧ୍ୟାନ ଦିଆଯିବା ଆବଶ୍ୟକ ସେତିକି ଦିଆଗଲା ନାହିଁ। ଏହା ଏକ ପ୍ରକାର ଚିରାଚରିତ କାର୍ଯ୍ୟ ପାଲଟିଗଲା, ଗମ୍ଭୀରତାର ସହିତ କୌଣସି ପ୍ରୟାସ କରାଗଲା ନାହିଁ। ଆମ ପରେ ଆରମ୍ଭ କରିଥିବା ଅନେକ ଦେଶ ବିଗତ ୫୦ ବର୍ଷ ମଧ୍ୟରେ ଆମ ଠାରୁ ଅନେକ ବାଟ ଆଗେଇ ଗଲେ। କିନ୍ତୁ ଏବେ ପରିସ୍ଥିତି ବଦଳିବାରେ ଲାଗିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ,ବିଗତ କିଛି ବର୍ଷ ମଧ୍ୟରେ ଆପଣମାନେ ଅନୁଭବ କରିଥିବେ ଯେ ଏହି କ୍ଷେତ୍ର ସହିତ ବାଧାଗୁଡ଼ିକୁ ଦୂର କରିବା ଲାଗି ଆମେ ନିରନ୍ତର ପ୍ରୟାସ କରିଚାଲିଛୁ। ଆମର ଉଦ୍ଦେଶ୍ୟ ହେଉଛି, ଭାରତରେ ଉତ୍ପାଦନ ବଢ଼ୁ, ନୂଆ ପ୍ରଯୁକ୍ତି ଆମ ଦେଶରେ ହିଁ ବିକଶିତ ହେଉ ଏବଂ ଏହି ବିଶେଷ କ୍ଷେତ୍ରରେ ଘରୋଇ ଉଦ୍ୟୋଗଗୁଡ଼ିକର ସମ୍ପୃକ୍ତି ବୃଦ୍ଧି ପାଉ। ଏଥିପାଇଁ ଲାଇସେନ୍ସିଂ ପ୍ରକ୍ରିୟାରେ ସୁଧାର, ଲେବଲ ପ୍ଲେଇଂ ଫିଲ୍ଡରେ ପ୍ରସ୍ତୁତି, ରପ୍ତାନି ପ୍ରକ୍ରିୟାର ସରଳୀକରଣ, ଅଫସେଟ ବ୍ୟବସ୍ଥାରେ ସୁଧାର ଏପରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତିଯେ ,ମୋର ବିଶ୍ୱାସ ଏସବୁ ପଦକ୍ଷେପ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଏକ ନୂଆ ମାନସିକତା ଜନ୍ମ ନେଇଛି, ଆମେ ସମସ୍ତେ ଏହାକୁ ଅନୁଭବ କରିପାରୁଛୁ। ଆଧୁନିକ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ୱାସ ଭାବନା ରହିବା ଜରୁରି। ଦୀର୍ଘ ସମୟ ଧରି ଦେଶରେ ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତି ପ୍ରସଙ୍ଗରେ ବିଚାର କରାଯାଉଥିଲା, କିନ୍ତୁ ନିଷ୍ପତ୍ତି ନିଆଯାଇପାରୁନଥିଲା। ଏହି ନିଷ୍ପତ୍ତି ନୂତନ ଭାରତର ଆତ୍ମବିଶ୍ୱାସର ପ୍ରତୀକ।ଦୀର୍ଘ ସମୟ ଧରି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବିଦେଶୀ ନିବେଶକୁ ଅନୁମତି ମିଳୁନଥିଲା। ଶ୍ରଦ୍ଧେୟ ଅଟଳ ମହାଶୟଙ୍କ ସରକାର ସମୟରେ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଥିଲା। ଆମ ସରକାର ଆସିବା ପରେ ଏଥିରେ ଆହୁରି ସୁଧାର ଅଣାଗଲା ଏବଂ ଏବେ ପ୍ରଥମ ଥର ଏହି କ୍ଷେତ୍ରରେ ୭୪  ପ୍ରତିଶତ ପର୍ଯ୍ୟନ୍ତ ଏଫଡିଆଇ ( Foreign Direct Investment ) ଅଟୋମେଟିକ ମାର୍ଗରେ ଆସିବାର ରାସ୍ତା ପ୍ରଶସ୍ତ କରାଯାଉଛି। ଏହା ନୂଆ ଭାରତର ଆତ୍ମବିଶ୍ୱାସର ପରିଣାମ ଅଟେ।

ବହୁ ଦଶନ୍ଧି ଧରି ଗୋଳାବାରୁଦ କାରଖାନାଗୁଡ଼ିକୁ ସରକାରୀ ବିଭାଗ ଭଳି ପରିଚାଳନା କରାଯାଉଥିଲା। ସୀମିତ ଦୂରଦୃଷ୍ଟି ରହିବା କାରଣରୁ ଦେଶ କ୍ଷତିଗ୍ରସ୍ତ ହେଉଥିଲା। ଏଥିସହିତ ସେଠାରେ କାମ କରୁଥିବା ପରିଶ୍ରମୀ ଶ୍ରମିକବର୍ଗ ପ୍ରତିଭା, ସମର୍ପଣ, ଅଭିଜ୍ଞତା ଥାଇ ସୁଦ୍ଧା ଅନେକ କ୍ଷତି ସହିଥିଲେ। ଯେଉଁ କ୍ଷେତ୍ରରେ କୋଟି କୋଟି ଲୋକମାନଙ୍କୁ ନିଯୁକ୍ତିର ଅବସର ମିଳିପାରିଥାନ୍ତା, ସେହି କ୍ଷେତ୍ରର ଇକୋସିଷ୍ଟମ ଅତି ସୀମିତ ହୋଇ ରହିଗଲା। ଏବେ ଗୋଳାବାରୁଦ କାରଖାନାଗୁଡ଼ିକର ନିଗମୀକରଣ କରାଯିବା ଦିଗରେ ଆମେ ଆଗକୁ ବଢ଼ୁଅଛୁ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଶ୍ରମିକ ଓ ସେନା ଉଭୟଙ୍କୁ ସହାୟତା ମିଳିପାରିବ। ଏହା ନୂତନ ଭାରତର ଆତ୍ମବିଶ୍ୱାସର ପ୍ରମାଣ ଅଟେ।

ସେ ପୁଣି କହିଛନ୍ତି ଯେ,ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରତାକୁ ନେଇ ଆମର ପ୍ରତିବଦ୍ଧତା କେବଳ ଆଲୋଚନା କିମ୍ବା କାଗଜପତ୍ରରେ ସୀମିତ ହୋଇ ରହିନାହିଁ। ଏହାର କାର୍ଯ୍ୟାନ୍ୱୟନ ଲାଗି ଗୋଟିଏ ପରେ ଗୋଟିଏ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସିଡିଏସ ଗଠନ ପରେ ତିନି ସେନା ପାଇଁ କ୍ରୟ କ୍ଷେତ୍ରରେ ବ୍ୟାପକ ସମନ୍ୱୟ ଆସିପାରିଛି। ଏହାଫଳରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ବୃଦ୍ଧି କରିବାରେ ସହାୟତା ମିଳିପାରୁଛି। ଆଗାମୀ ଦିନରେ ଦେଶୀୟ ଉଦ୍ୟୋଗଗୁଡ଼ିକ ପାଇଁ ଅର୍ଡର ପରିମାଣ ମଧ୍ୟ ବୃଦ୍ଧି ପାଇବ। ଏହାକୁ ସୁନିଶ୍ଚିତ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟର କ୍ୟାପିଟାଲ ବଜେଟର ଗୋଟିଏ ଭାଗ ଏବେ ଭାରତରେ ନିର୍ମିତ ଉପକରଣ ପାଇଁ ପୃଥକ ଭାବେ ରଖି ଦିଆଯାଇଛି।

ନିକଟରେ ଆପଣମାନେ ଦେଖିଥିବେ ଯେ ୧୦୧ ପ୍ରତିରକ୍ଷା ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ କ୍ରୟ ନିମନ୍ତେ ସୁରକ୍ଷିତ କରି ଦିଆଯାଇଛି। ଆଗାମୀ ଦିନରେ ଏହି ତାଲିକା ଆହୁରି ବଢ଼ାଯିବ ଏବଂ ଏଥିରେ ଆହୁରି ଅଧିକ ସାମଗ୍ରୀ ସାମିଲ କରାଯିବ। ଏହି ତାଲିକାର ଉଦ୍ଦେଶ୍ୟ କେବଳ ଆମଦାନୀ ହ୍ରାସ କରିବା ନୁହେଁ, ବରଂ ଭାରତରେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା। ଏହା ଦ୍ୱାରା ଘରୋଇ, ରାଷ୍ଟ୍ରାୟତ୍ତ, ଏମଏସଏମଇ ( MSME ), ଷ୍ଟାର୍ଟଅପ( Start Up) ଆଦି ସମସ୍ତ କ୍ଷେତ୍ରକୁ ଲାଭ ମିଳିପାରିବ। ଏ ଦିଗରେ ସରକାରଙ୍କ ଭାବନା ଓ ଭବିଷ୍ୟତର ସମ୍ଭାବନା ଆପଣମାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ କଳା ଓ ଧଳା ଭଳି ସ୍ପଷ୍ଟ ହୋଇଯାଇଛି। ଭାରତରେ ବଜାର ଆକାରକୁ ଦେଖି ଆମ ବିଦେଶୀ ସହଯୋଗୀଙ୍କ ନିମନ୍ତେ ଏବେ ଭାରତରେ ହିଁ ଉତ୍ପାଦନ କରିବା ସବୁଠୁ ଉତ୍ତମ ବିକଳ୍ପ।

Share this: