Deba Snana Purnima 2022: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସମଗ୍ର ପୁରୀ ଚଳଚଞ୍ଚଳ

Share this:

ପୁରୀ: Deba Snana Purnima 2022 Puri ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଲାଗି ସମଗ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି। ଏହି ଯାତ୍ରା ଦେଖିବା ପାଇଁ ପୁରୀରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କୋଭିଡ୍‍ କଟକଣା ଯୋଗୁ ବିଗତ ୨ ବର୍ଷ ଧରି ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରାରେ ଅଂଶ ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ।

ସୂଚନା ଅନୁସାରେ ମଙ୍ଗଳବାର ରାତି ସାଢେ ୩ଟାରେ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳୀ ଓ ଡୋରଲାଗି ହୋଇ ଭୋର ପ୍ରାୟ ସାଢେ ୪ଟା ବେଳକୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନ ଏବଂ ପରେ ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା। ସକାଳ ପ୍ରାୟ ସାଢେ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସେବାୟତମାନେ ଆଣି ସ୍ନାନମଣ୍ଡପ ଉପରେ ବିଜେ କରାଇଛନ୍ତି। ପାରିମାଣିକ ଟିକେଟ୍‍ କାଟିଥିବା ଭକ୍ତମାନେ ଶ୍ରୀମନ୍ଦିର ବେଢାରେ ଉପସ୍ଥିତ ରହି ଏହି ପହଣ୍ଡିବିଜେ ଦେଖିଥିଲେ। ଠାକୁରମାନଙ୍କର ଦିବ୍ୟ ସ୍ନାନ ଓ ଆକର୍ଷଣୀୟ ହାତୀବେଶ ଦେଖିବା ପାଇଁ ଉପସ୍ଥିତ ଦର୍ଶକମାନେ ବେଶ୍‍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ମାର୍କେଟ୍‍ ଛକ ଠାରୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‍ ଦେଇ ସିଂହଦ୍ୱାର ନିକଟକୁ ଆସି ବଡଦାଣ୍ଡରେ ଠିଆହୋଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି।

ସେହିପରି ଆଜି ସଂଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ହେବାକୁ ଥିବା ସାହାଣମେଳାରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନମଣ୍ଡପ ଉପରକୁ ଯାଇ ହାତୀବେଶ ଦର୍ଶନ କରିପାରିବେ। ମାତ୍ର କେହିହେଲେ ଶ୍ରୀଜୀଉଙ୍କୁ ସ୍ପର୍ଶ କରି ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି। ୧୦ଟାରୁ ରାତି ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ସରିବା ପରେ ୧ଟା ୩୦ରେ ସୁନାଚିତା ଓ ରାହୁରେଖା ମଇଲମ କରାଯିବ। ସ୍ନାନମଣ୍ଡପକୁ ରଙ୍ଗୀନ ଚାନ୍ଦୁଆରେ ସୁସଜ୍ଜିତ କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ.ବି.ସିଂହ ଶ୍ରୀମନ୍ଦିରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ଯାତ୍ରାକୁ ଶୃଙ୍ଖଳିତ କରିବା ସହିତ ଦର୍ଶନାର୍ଥୀମାନଙ୍କ ନିରାପତ୍ତା ଲାଗି ପୁରୀରେ ୫୦ ପ୍ଲାଟୁନ୍‍ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ଗାଇଡ୍‍ ଲାଇନ୍‍ ଜାରୀ କରାଯାଇଛି।

Read Also | Corona Cases Odisha: ଦେଶରେ କରୋନାର ଚତୁର୍ଥ ଲହର ଆଶଙ୍କା, ଆଜି ଓଡିଶାରୁ ୨୩ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *