କୋଭିଡ-୧୯ ବିରୋଧରେ ଓଡ଼ିଶାର ‘ଆଶା’

Share this:

୪୬ ହଜାରରୁ ଅଧିକ ଆଶାକର୍ମୀ କରୋନା ମୁକାବିଲା ପାଇଁ କାମ କରୁଛନ୍ତି

ଓଡ଼ିଶାରେ ଆଶାକର୍ମୀ ମାନେ କୋଭିଡ଼ ୧୯ କୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି।ଏମିତି ଜଣେ ହେଲେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର କନ୍ଦଳେଇ ଗାଁର ଆଶାକର୍ମୀ ମଞ୍ଜୁ ଜେନା କୋଭିଡ-୧୯ ର ମୁକାବିଲା ପାଇଁ ଅବିଶ୍ରାନ୍ତଭାବେ କାମ କରୁଛନ୍ତି। ତାଙ୍କ ଗୋଷ୍ଠୀ ଓ ସମୁଦାୟ ଯେପରି ଏହି ସଂକ୍ରମଣ କାଳରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଏ ସେଥିପାଇଁ ସେ ନିରନ୍ତର ଉଦ୍ୟମ ଚଳାଇଛନ୍ତି। ଗୋଷ୍ଠୀ ସେବା କ୍ଷେତ୍ରରେ ତାଙ୍କର ବର୍ଷ ବର୍ଷର ଉତ୍ସର୍ଗୀକୃତ ସେବା ଓ ଅଭିଜ୍ଞତା ତାଙ୍କ ପାଇଁ ସାମାଜିକ ପୁଞ୍ଜି ପାଲଟିଛି। ତାହାକୁ କାର୍ଯ୍ୟରେ ଲଗାଇ ସେ କୋଭିଡ ସଂପର୍କରେ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଓ ବିଚାରକୁ ଦୂର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କେତେକଙ୍କ ମନରେ କୋଭିଡ-୧୯ କୁ ନେଇ ବିଭିନ୍ନ ପ୍ରକାର ଧାରଣା ରହିଛି। ସଂକ୍ରମିତଙ୍କ ପ୍ରତି ଲୋକଙ୍କର ଏକ ପାତରଅନ୍ତର ଭାବ ଥିବାରୁ ସେମାନେ ଆକ୍ରାନ୍ତଙ୍କୁ ଏକ କଳଙ୍କ ବୋଲି ବିଚାର କରୁଛନ୍ତି। ଜଣେ ପ୍ରବାସୀ ଯୁବକ ଗାଁକୁ ଫେରିବା ପରେ ଲୋକେ ତାକୁ ଏହି ଧାରଣାର ବଶବର୍ତ୍ତୀ ହୋଇ ଗ୍ରାମରେ ପୂରାଇ ଦେଇନଥିଲେ। ତେଣୁ ସେ ଘରକୁ ଯାଇପାରି ନଥିଲେ। ଲୋକଙ୍କର ଏହି କଳଙ୍କିତ ବ୍ୟବହାରର ପରିବର୍ତ୍ତନ ପାଇଁ ସଂପୃକ୍ତ ଗୋଷ୍ଠୀ ସହ ମଞ୍ଜୁଙ୍କୁ ମୁହାଁମୁହିଁ ହେବାକୁ ପଡିଥିଲା। ଲୋକଙ୍କୁ ସେ ବହୁ ଉଦ୍ୟମ କରି ବୁଝାସୁଝା କରାଇବା ପରେ ସଂପୃକ୍ତ ଯୁବକ ନିଜ ଘରେ କ୍ଵାରେଣ୍ଟାଇନରେ ରହିବାର ସୁଯୋଗ ପାଇଥିଲେ। କ୍ୱାରେଣ୍ଟାଇନ ସମୟରେ ମଞ୍ଜୁ ସଂପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ଅନୁଧ୍ୟାନ କରି ତାଙ୍କୁ ଆବଶ୍ୟକସ୍ଥଳେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ।

ଲକଡାଉନ ସମୟରେ ସେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ସେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି। ସେ ଏକାଧିକ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ଯାଇ ଆନୁଷ୍ଠାନିକ ପ୍ରସବ କରାଇବାକୁ ଉତ୍ସାହିତ କରିବା ସହିତ ଏଥିରେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି। ନିଜ ଦାୟିତ୍ୱ ସଂପାଦନ ସହ ମଞ୍ଜୁ ମଧ୍ୟ ନିଜ ଘରେ ମାସ୍କ ତିଆରି କରି ତାହାକୁ ଗ୍ରାମର ଗରିବମାନଙ୍କୁ ବାଣ୍ଟୁଛନ୍ତି।

କରୋନା ବିରୋଧୀ ଲଢେଇ ସମୟରେ ଓଡ଼ିଶାର ସହର ଓ ଗ୍ରାମାଞ୍ଚଳରେ ପ୍ରାୟ ୪୬,୬୨୭ ଆଶାକର୍ମୀ ଚମ୍ପିଅନଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ସ୍ଥାନୀୟ ଲୋକଙ୍କର ସମସ୍ତ ପ୍ରକାର ପ୍ରାଥମିକ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରୁଛନ୍ତି । ଗାଁ କଲ୍ୟାଣ ସମିତି ସହିତ ସେମାନେ ମିଶି ନିବିଡଭାବେ କାର୍ଯ୍ୟ କରୁଛନ୍ତି। ସହରାଂଳରେ ମଧ୍ୟ ମହିଳା ଆରୋଗ୍ୟ ସମିତିଗୁଡିକ ସହିତ ମିଶି ଏହି ଆଶାକର୍ମୀମାନେ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଆସୁଛନ୍ତି। ସେମାନେ ଏସବୁ ମଞ୍ଚକୁ ଅଧିକ କ୍ରିୟାଶୀଳ କରାଇ କରୋନା ମୁକାବିଲା କାର୍ଯ୍ୟକୁ ଜୋରଦାର କରିଛନ୍ତି। ବାହାରକୁ ଗଲାବେଳେ ମାସ୍କ ଓ ଫେସ କଭର ବ୍ୟବହାର, ନିୟମିତ ହାତ ଧୋଇବା, ଶାରୀରିକ ଦୂରତ୍ୱ ରକ୍ଷା ଆଦି ସଂପର୍କରେ ସେମାନେ ଜନସଚେତନତାକୁ ଜୋରଦାର କରୁଛନ୍ତି। ଗ୍ରାମସ୍ତରରେ ସେମାନେ ଲିଫଲେଟ ବଂଟନ ଏବଂ ସ୍ୱାସ୍ଥ୍ୟକାନ୍ଥରେ ପୋଷ୍ଟର ଲଗାଇବା ଭଳି କାର୍ଯ୍ୟକରି ଲୋକଙ୍କୁ କରୋନା ସଂପର୍କରେ ସଚେତନ କରୁଛନ୍ତି।

Share this: