Breaking Newsଓଡ଼ିଶା

ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇପାରିବେ, ନେବାକୁ ପଡିବ ଜିଲ୍ଲାପାଳ ଓ ପୌର କମିଶନର ଙ୍କ ଠାରୁ ଅନୁମତି

Share this:

ଭୁବନେଶ୍ଵର : ପୌର ପରିଷଦ, ଏୟାରପୋର୍ଟ, ବନ୍ଦର, ରେଳପଥ, ପୋଲିସ, ସାଧାରଣ ଉଦ୍ୟୋଗ, କେନ୍ଦ୍ରୀୟ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା ଓ   ସେଚ୍ଛାସେବୀ ଅନୁଷ୍ଠାନ ପ୍ରଭୃତି ନିଜ ନିଜ କର୍ମଚାରୀଙ୍କପାଇଁ କୋଭିଡ କେୟାର ହୋମ ଓ  ସେଣ୍ଟର ପ୍ରତିଷ୍ଠା କରିପାରିବେ। ଉପରୋକ୍ତ କୋଭିଡ କେୟାର ହୋମକୁ ଜିଲ୍ଲାପାଳ କିମ୍ବା ପୌର କମିଶନର ସ୍ୱୀକୃତି ଦେବେ।

ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଣିକି ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ହୋମ ଆଇସୋଲେସନ୍ ବା ଘରେ ସଙ୍ଗରୋଧରେ ରହିପାରିବେ। ଏହି ସୁବିଧା କେବଳ  ସହରାଞ୍ଚଳ, ଜିଲ୍ଲା ସଦର ମହକୁମା, ବ୍ଲକ୍‌ ସଦର ମହକୁମାରେ ରହୁଥିବା ବ୍ୟକ୍ତିମାନେ ପାଇପାରିବେ। ସର୍ତ୍ତମୂଳକ ଭାବେ ଘରେ ରହି ଚିକିତ୍ସା ହେବାକୁ ସେମାନଙ୍କୁ ଅନୁମତି ମିଳିବ। ହୋମ୍ ଆଇସୋଲେସନରେ ଯେଉଁ ବ୍ୟକ୍ତି ରହିବେ, ତାଙ୍କର ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍, ଔଷଧ ଓ ଖାଦ୍ୟ ଭତ୍ତା ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର ପ୍ରଦାନ କରିବେ।

କିନ୍ତୁ ଏଚ୍‌ଆଇଭି ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ୍ ଅନୁମତି ମିଳିବନାହିଁ। ସେହିପରି କର୍କଟରୋଗୀ, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତ ସରକାରଙ୍କ ଏହି ସୁବିଧାରୁ ବଞ୍ଚିତ ହେବେ। ମୁଖ୍ୟଶାସନ ସଚିବ ଙ୍କ ଅନୁସାରେ  ପାଖାପାଖି ୮୦ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ଆଦୌ ଲକ୍ଷଣ ନାହିଁ ବା ସାମାନ୍ୟ ଲକ୍ଷଣ ରହିଛି। ସେମାନଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ରଖିବା ଦ୍ଵାରା ଦୁଇଟି ସମସ୍ୟା ଉପୁଜୁଛି। ପ୍ରଥମେ ସଂପୃକ୍ତ ବ୍ୟକ୍ତି ମାନସିକ ଚାପ ଭିତରେ ରହୁଛନ୍ତି ଓ  ୨ୟ ରେ  ଏଭଳି ପରିସ୍ଥିତିକୁ ଡରି ଅନେକ ସ୍ଵାବ  ପରୀକ୍ଷା କରିବାକୁ ଚାହୁଁନାହାନ୍ତି। ତେବେ ଯେଉଁ ସନ୍ଦିଗ୍ଧ ଏବଂ କୋଭିଡ୍‌ ପଜିଟିଭ୍‌ ବ୍ୟକ୍ତିମାନଙ୍କର ହୋମ୍‌ ଆଇସୋଲେସନ୍‌ କିମ୍ବା ଉପରୋକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଆଇସୋଲୋସନ୍‌ ସୁବିଧା ନାହିଁ, ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପୃଥକବାସ କେନ୍ଦ୍ରରେ ରହିବେ। ଏଥିସହିତ , ଯଦି ଆଇସୋଲେସନ୍‌ରେ ଥିବା ବ୍ୟକ୍ତିମାନଙ୍କର ଗୁରୁତର ଲକ୍ଷଣ ପ୍ରକାଶ ପାଇଲା ବା ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଲା ସେମାନେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁପାଳନ କରିବେ ଓ କୋଭିଡ୍ ହସ୍ପିଟାଲ ଆସିବେ।

Image courtesy :Life in Norway

ଶ୍ରୀ ତ୍ରିପାଠୀ କହିଲେ ଯେ ଇତିମଧ୍ୟରେ ଅନେକ ସଂସ୍ଥା, ଅନୁଷ୍ଠାନ ଏବଂ କର୍ପୋରେଟ୍‌ ହାଉସ୍‌ମାନେ ସେମାନଙ୍କ ସଦସ୍ୟମାନଙ୍କ ଆନୁଷ୍ଠାନିକ ସଂଗରୋଧ ଏବଂ ଲକ୍ଷଣବିହୀନ କେସ୍‌ର ସୁପରିଚାଳନା ପାଇଁ ଅନୁରୋଧ କରିଛନ୍ତି ଓ ସରକାର ସେମାନଙ୍କ ଅନୁରୋଧକୁ ବିଚାରକୁ ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର କେତେକ ସର୍ତ୍ତାବଳୀ ସହିତ ସେମାନଙ୍କୁ ଅନୁମତି ଦିଆଯାଇଛି।

Share this: