ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ପତ୍ନୀ ବର୍ଷା,ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ

Share this:

କଟକ: ଓଡିଆ ସିନେଜଗତର ଲୋକପ୍ରିୟ ଯୋଡି ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ମାନ୍ୟବର ଏସ୍‌ଡିଜେଏମ୍ କଟକ ସଦରଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି ଓଲିଉଡ୍‌ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ସାଂସଦ ଅନୁଭବଙ୍କ ପତ୍ନୀ।

ସୂଚନାଅନୁଯାୟୀ,ସିଆରଏଏସି ନଂ, ୯୪/୨୦୨୦ରେ ପ୍ରୋଟେସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮,୧୯,୨୦ ଓ ୨୨ରେ ମକଦ୍ଦମାଟିକୁ ଦାୟର କରିଛନ୍ତି। ମକଦ୍ଦମାରେ ସେ ନିଜ ସ୍ଵାମୀଙ୍କୁ ମଦ୍ୟପ ଏବଂ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି।

ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଉପସ୍ଥିତି ରେ ଅନୁଭବ ନିଜର ମଦ୍ୟପ ବନ୍ଧୁ ମାନଙ୍କ ସହ ମିଶି ନିଜ ଶୟନ କକ୍ଷରେ ମଦ୍ୟପାନ କରନ୍ତି ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥାନ୍ତି। ସେ ଏହାର ବିରୋଧ କରିବାରୁ ଅନେକ ଥର ତାଙ୍କୁ ଧକ୍କା ମାରି ମଧ୍ୟ ନିଜ ଘରୁ ବାହାର କରି ଦେଇଛନ୍ତି। ବର୍ଷା ଅଭିଯୋଗ କରିଛନ୍ତି ଯେ, ଓଡିଆ ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି। ନିର୍ଯାତନା ଅସହ୍ୟ ହେବାରୁ ସେ ତାଙ୍କ ବିରୋଧରେ ମାନ୍ୟବର କୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘର ଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା, କ୍ଷତି ପୂରଣ ବାବଦକୁ ୧୩କୋଟି ଟଙ୍କ। ଏବଂ ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତି ପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି। ମକଦ୍ଦମାଟି ସେପ୍ଟେମ୍ବର ୭ ରେ ଶୁଣାଣି କରାଯିବବୋଲି କୋର୍ଟ ୱେବସାଇଟରୁ ସୂଚନା ମିଳିଛି।  ସେପଟେ ଅନୁଭବ ନିଜ ପ୍ରତିକ୍ରିୟାରେ ଓକିଲ ନୋଟିସ ମିଳିନାହିଁ ବୋଲି କହିଛନ୍ତି।   

  

Also Read:

ମାଗଣାରେ ସ୍କୁଟି ଦେବାକୁ କହି ଅନ୍‌ଲାଇନ ଲୁଟେରା ଗିରଫ

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲା,ବଲାଙ୍ଗୀର ଉପ-ଜିଲ୍ଲାପାଳ ନିଲମ୍ବିତ

Share this: