Breaking Newsଓଡ଼ିଶା

ପୁରୀ ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟଙ୍କ ଅନୁମତି କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସ୍ୱାଗତ

Share this:

ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ଜୟ ଜଗନ୍ନାଥ:ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଶ୍ରୀ ଅମିତ ଶାହ ମାନ୍ୟବର ସୁପ୍ରିମ କୋର୍ଟ ପୁରୀ ରଥ ଯାତ୍ରା ସଂପର୍କରେ ଦେଇଥିବା ରାୟକୁ ସ୍ୱାଗତ କରିଛନ୍ତି। ନିଜର ପ୍ରତିକ୍ରିୟାରେ ଶ୍ରୀ ଶାହ ଟ୍ୱିଟ ଜରିଆରେ କହିଛନ୍ତି,“ ଆଜି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ, ବିଶେଷ କରି ଓଡ଼ିଆ ଭଉଣୀ ଓ ଭାଇମାନଙ୍କ ପାଇଁ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀଙ୍କ ଭକ୍ତଗଣଙ୍କ ସକାଶେ ଏହା ଅତି ମହତ୍ତ୍ୱପୂର୍ଣ୍ଣ ଦିବସ। ସମଗ୍ର ଦେଶ ମାନ୍ୟବର ସୁପ୍ରିମକୋର୍ଟ ରଥ ଯାତ୍ରା ଅନୁଷ୍ଠିତ ହେବା ପାଇଁ ଦେଇଥିବା ନିଷ୍ପତ୍ତିରେ ଉଲ୍ଲସିତ।”

ଶ୍ରୀ ଅମିତ ଶାହ କହିଛନ୍ତି, “ଏହା ମୋତେ ତଥା ଭାରତର କୋଟି କୋଟି ଭକ୍ତଙ୍କୁ ଖୁସି କରିଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଭକ୍ତମାନଙ୍କ ଭାବାବେଗକୁ ହୃଦୟଙ୍ଗମ କରି ନାହାନ୍ତି ଅପରନ୍ତୁ ଏହି ମହାନ ପରମ୍ପରା ସହ ଜଡ଼ିତ ଆମର ଦେଶରେ କିଭଳି ଭାବେ ରଥ ଯାତ୍ରା ସଂପାଦିତ ହେବ ସେ ସଂପର୍କରେ ମଧ୍ୟ ଆଲୋଚନାକୁ ସୁନିଶ୍ଚିତ କରିଥିଲେ” ।

ଶ୍ରୀ ଶାହ କହିଛନ୍ତି ଯେ, ସଂପୃକ୍ତ ଅଧିକାରୀମାନଙ୍କ ସହ ଏହି ସଂକଟର ସମାଧାନ ସକାଶେ ତୁରନ୍ତ ଆଲୋଚନା କରାଯାଇଥିଲା। “ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ମୁଁ ପୁରୀର ଗଜପତି ମହାରାଜ ଜୀ (ପୁରୀର ଠାକୁର ରାଜା) ଓ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ଜୀଙ୍କ ସହ ଆଲୋଚନା କରିଥିଲି ଓ ରଥ ଯାତ୍ରା ସଂପର୍କରେ ସେମାନଙ୍କର ମତାମତ ଲୋଡ଼ିଥିଲି । ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ମୁଁ ସଲିସିଟର୍‌ ଜେନେରାଲଙ୍କ ସହ ମଧ୍ୟ ଏ ସଂପର୍କରେ କଥାବାର୍ତ୍ତା କରିଥିଲି ।“ଏହି ପ୍ରସଙ୍ଗର ଗୁରୁତ୍ୱ ତଥା ଜରୁରି ଆବଶ୍ୟକତା ଦୃଷ୍ଟିରୁ, ଏହାକୁ ସୁପ୍ରିମ କୋର୍ଟଙ୍କ ଭ୍ୟାକେସନ୍‌ ଜଜ୍‌ଙ୍କ ଖଣ୍ଡପୀଠ ନିକଟରେ ଉପସ୍ଥାପନ କରାଯାଇଥିଲା ଏବଂ ଆଜି ଅପରାହ୍ନରେ ହିଁ ଶୁଣାଣି ହୋଇଥିଲା ଯାହା ଫଳରେ ସୁପ୍ରିମ୍‌ କୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସକାଶେ ପଥ ପରିଷ୍କାର ହୋଇପାରିଥିଲା” ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

“ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ । ଜୟ ଜଗନ୍ନାଥ!” ବୋଲି ଶ୍ରୀ ଅମିତ ଶାହ କହିଛନ୍ତି।

Share this: