ସମ୍ବଲପୁର ୧୦ ଦିନିଆ ସଟଡାଉନ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାଏବଂ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜିଲାପାଳ ଶୁଭମ ସାକ୍ସେନା ଆଜିଠାରୁ ଦୁଇଟି ପର୍ଯ୍ୟାୟରେ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ସଟ୍ଡାଉନ ଘୋଷଣା କରିଛନ୍ତି। ଏନେଇ ଗତକାଲି ବିଜ୍ଞପ୍ତି ଜାରି ହୋଇଥିଲା।
ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୨ ତାରିଖରୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ୪ଦିନ ପାଇଁ ପ୍ରଥମ ପର୍ଯ୍ୟାୟ ସଟ୍ଡାଉନ ଜାରୀ ହୋଇଛି। ଏହିସମୟରେ ଜରୁରୀ ଓ ଅତ୍ୟାବଶ୍ୟକ ସେବା ଯାହାକି ଆଗରୁ ଓଡ଼ିଶା ସରକାର ସଟ୍ ଡାଉନ ପାଇଁ ନିୟମ ଜାରି କରିଛନ୍ତି ତାହା ଲାଗୁ ହେବ। ସଟ୍ ଡାଉନ ସମୟରେ କେବଳ ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ଔଷଧ ଦୋକାନ ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ପୁଲିସ, ପୌର ସେବା, କ୍ଷୀର ବୁଥ୍,ଟେଲିକମ ସେବା, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ଏଟିଏମ, ବିଦ୍ୟୁତ ଓ ଜଳଯୋଗାଣ, ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, କୃଷି ସମ୍ପର୍କିତ କାର୍ଯ୍ୟ, ଗଣମାଧ୍ୟମ, ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚଳାଚଳ କରିପାରିବ। କିନ୍ତୁ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାଇଛନ୍ତି। ଏଥିସହିତ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତେଷ୍ଟିକ୍ରିୟାକର୍ମ କରାଯାଇ ପାରିବ।
ଦ୍ୱିତୀୟ ପର୍ଯ୍ୟାୟ ସଟ୍ ଡାଉନ ଜୁଲାଇ ୨୬ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁହେବ। ଏହିସମୟରେ ପୂର୍ବ କଟକଣା ଲାଗୁହେବ। ପନପରିବା, ରାସନ ଆଦି ଆବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ସଟ୍ଡାଉନ କଟକଣା ଉଲ୍ଲଂଘନ କଲେ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲାପାଳ ଶ୍ରୀ ସାକ୍ସେନା ଜିଲାବାସୀଙ୍କୁ ଏହି ଦୁଇ ପର୍ଯ୍ୟାୟ ସଟ୍ଡାଉନର ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି।