Mega Food Park: ରାୟଗଡ଼ାରେ ୨୧୨୪ ଜଣଙ୍କୁ ମିଳିବ ନିଯୁକ୍ତି
ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହା ଠାରୁ ଦେଶରେ ମେଗା ଖାଦ୍ୟ ପାର୍କ ଯୋଜନା (MFPS) କାର୍ଯ୍ୟକାରୀ କରାଯାଇ ଆସୁଛି। ଏହାଦ୍ୱାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରୁଛି। ଏହି ଯୋଜନା ଅଧୁନା କେନ୍ଦ୍ରୀୟ କ୍ଷେତ୍ରରେ ଅମ୍ବ୍ରେଲା ଯୋଜନା ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (Pradhan Mantri Kisan SAMPADA Yojana) ର ଅଂଶବିଶେଷ ଭାବେ ପ୍ରବର୍ତ୍ତନ କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏଭଳି ମେଗା ଫୁଡ଼ ପାର୍କ ଯୋଜନା (Mega Food Park ) ଦେଶରେ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା କରିବା ସହିତ କୃଷିକ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସବୁ ସ୍ତରରେ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିବାରେ ସହାୟକ ହେଉଛି। ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ସୂଚନା ପ୍ରଦାନ କରିଛନ୍ତି।
ମନ୍ତ୍ରୀ ଶ୍ରୀ ତେଲି ତାଙ୍କର ଉତ୍ତରରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ୨୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ସେଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା ମିଟସ ମେଗା ଫୁଡ ପାର୍କ ଲିମିଟେଡ (MITS Mega Food Park Ltd) ସାମିଲ। ସେହିସବୁ ଏମଏଫପିଗୁଡ଼ିକ ଏବେ ପ୍ରବର୍ତ୍ତନର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ସେଥି ମଧ୍ୟରୁ ୧୯ଟି ମେଗା ଫୁଡ଼ ପାର୍କ ଏବେସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି। ସରକାରଙ୍କ ଦ୍ୱାରା ମୋଟ ୪୨ ଟି ମେଗା ଫୁଡ଼ ପାର୍କର ପରିକଳ୍ପନା କରାଯାଇଥିଲା।
ଏହି ଯୋଜନାର ନିୟମାବଳୀ ଅନୁସାରେ ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବାପରେ ପ୍ରାୟ ୫ ହଜାର ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ। ଏଭଳି ମେଗା ଫୁଡ଼ ପାର୍କ ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତକୁ ଅତ୍ୟାଧୁନିକ ସଂସାଧନ ଯୋଗାଇବା ତଥା କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିଚାଲିବା। ସେହିଭଳି ପରିବହନ, ଲଜିଷ୍ଟିକ୍ସ, ଏବଂ କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା କୃଷକମାନେ ସେମାନଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଉତ୍ତମ ରୂପେ ଅନୁଭବ କରିପାରିବେ ଏବଂ ଖାଦ୍ୟଶସ୍ୟ ହାନି ମଧ୍ୟ ହ୍ରାସ ପାଇବ। ଏହା ଏକ ସୁଦୃଢ଼ ଓ ସକ୍ରିୟ ଯୋଗାଣ ଚେନ୍ ସୃଷ୍ଟି କରିବ ଯାହା ପଛରେ ସଂଗ୍ରହକେନ୍ଦ୍ର, ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଲଜିଷ୍ଟିକ ସଂସାଧନ ରହିବ।
ଏହି ଯୋଜନା ପାଇଁ କ୍ୟାପିଟାଲ ଗ୍ରାଣ୍ଟ ଭାବେ ସାଧାରଣ କ୍ଷେତ୍ରରେପ୍ରକଳ୍ପ ମୂଲ୍ୟର (ଭୂମି ମୂଲ୍ୟକୁ ଛାଡ଼ି) ୫୦ ପ୍ରତିଶତ ହାରରେ ଗ୍ରାଣ୍ଟ ଏବଂ ଜଟିଳ ତଥା ପାର୍ବତ୍ୟ କ୍ଷେତ୍ର ଯଥା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ସେଥି ମଧ୍ୟରେ ସିକିମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜ୍ୟର ଆଇଟିଡ଼ିପି ବିଜ୍ଞପିତ କ୍ଷେତ୍ର ସାମିଲ) ପାଇଁ ୭୫ ପ୍ରତିଶତ ଗ୍ରାଣ୍ଟ ପ୍ରଦାନ କରାଯାଇଥାଏ। ତେବେ ଏହାର ସର୍ବାଧିକ ପରିମାଣ ପ୍ରକଳ୍ପ ପିଛା ୫୦ କୋଟିରୁ ଅଧିକ ହେବନାହିଁ।
Also Read: