Breaking Newsଓଡ଼ିଶାବ୍ୟବସାୟ

ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

Share this:

ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ଯ୍ୟକ୍ରମ ବାବଦରେ ୭୫୦ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ। ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ ୧୯ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ ପଡିବ।

ସୂଚନାଯୋଗ୍ୟ,ଭାରତରେ ପ୍ରାୟ ୧.୫ ନିୟୁତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ରହିଛି। ଏଥିରେ ଲକ୍ଷ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି। କରୋନା ଲକ୍‌ଡାଉନ କାରଣରୁ ଏହି ଉଦ୍ୟୋଗଗୁଡିକ ବନ୍ଦ ରହିବାରୁ ସଂପୃକ୍ତ ଉଦ୍ୟୋଗୀମାନଙ୍କ ପାଖରେ ନଗଦ ଅର୍ଥର ଘୋର ଅଭାବ ଦେଖାଦେଇଛି। ସେହି ଆବଶ୍ୟକତା ପୂରଣ ପାଇଁ ବିଶ୍ୱବ୍ୟାଙ୍କ ଦେବାକୁ ଥିବା ଅର୍ଥ ବ୍ୟବହାର କରାଯିବ। ଏହି ଉଦ୍ୟୋଗରେ ସଂସ୍କାର ଆଣିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ମଧ୍ୟ ଏହି ଆର୍ଥିକ ସହାୟତା ତ୍ୱରାନ୍ୱିତ କରିବ। ଭାରତ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ଅତିରିକ୍ତ ସଚିବ ସମୀର କୁମାର ଖରେ ଏବଂ ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ଜୁନେଦ୍‌ ଅହମ୍ମଦ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି।

ଶ୍ରୀ ଖରେ କହିଛନ୍ତି ଯେ କରୋନା ମହାମାରୀ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଉପରେ ଗୁରୁତର ପ୍ରଭାବ ପକାଇଛି। ଅନେକ ବ୍ୟକ୍ତି ଜୀବିକା ଓ ନିଯୁକ୍ତି ହରାଇଛନ୍ତି। ଏହି ଉଦ୍ୟୋଗ ପାଇଁ ଦରକାର ହେଉଥିବା ନଗଦ ଅର୍ଥ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଉପାୟମାନ କରୁଛନ୍ତି। ତେବେ ଏହି କ୍ଷେତ୍ରକୁ ବ୍ୟାଙ୍କ ଓ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଋଣଦେବାକୁ କୁଣ୍ଠିତ ହେଉଥିବାରୁ ସରକାର ଏଥିରେ ହସ୍ତକ୍ଷେପ କରୁଛନ୍ତି। ଆବଶ୍ୟକସ୍ଥଳେ ଋଣ ପ୍ରଦାନ କ୍ଷେତ୍ରରେ ଉଦ୍ୟୋଗୀଙ୍କ ପାଇଁ ସରକାର ଗ୍ୟାରେଣ୍ଟର ହେବାର ବ୍ୟବସ୍ଥା କରିଛନ୍ତି। ଏହି ଉଦ୍ୟୋଗକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ସରକାର ସବୁମନ୍ତେ ଚେଷ୍ଟା ଚଳାଇଛନ୍ତି। ତେବେ ଯେଉଁ ଉଦ୍ୟୋଗଗୁଡିକ ଅପେକ୍ଷାକୃତ ଅଧିକ ସକ୍ଷମ ସ୍ଥିତିରେ ଅଛନ୍ତି ଏବଂ କିଛି ଋଣ ମିଳିଲେ ପୁଣି ସ୍ୱାଭାବିକଭାବେ ଉତ୍ପାଦନ କରିପାରିବେ; ସେଗୁଡିକୁ ପୁଣି ଚାଲୁ କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱବ୍ୟାଙ୍କରୁ ଏବଂ ଏହାର ଘରୋଇ ସହଯୋଗୀ ସଂସ୍ଥା ଆନ୍ତର୍ଜାତିକ ଅର୍ଥ ନିଗମ ଭାରତ ସରକାରଙ୍କ ଏହି ଉଦ୍ୟମକୁ ସମର୍ଥନ ଜଣାଇବା ସହ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅର୍ଥ ସହାୟତା ଯୋଗାଇ ଦେବାକୁ ରାଜି ହୋଇଛି।

ବିଶ୍ୱବ୍ୟାଙ୍କ ଏପର୍ଯ୍ୟନ୍ତ ଭାରତକୁ ୨.୭୫ ବିଲିୟନ ଡଲାର ଜରୁରୀ କୋଭିଡ ରେସପନ୍ସ ସହାୟତା କାର୍ଯ୍ୟକ୍ରମରେ ଯୋଗାଇଦେବାକୁ ସମ୍ମତି ପ୍ରଦାନ କରିଛି। ଏଥିରେ ଏମ୍‌ଏସ୍‌ଏମ୍‌ଇ ସହାୟତା ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ବିଶ୍ୱବ୍ୟାଙ୍କ ଭାରତକୁ ପ୍ରଥମେ ଏକ ବିଲିୟନ ଡଲାର ଜରୁରୀ ସହାୟତା ରାଶି ଘୋଷଣା କରିଥିଲା ଗତ ମେ’ ମାସରେ ଗରିବ ଲୋକଙ୍କ ପାଇଁ ଖାଦ୍ୟ, ଯୋଗାଣ ଏବଂ ନଗଦ ଟ୍ରାନ୍ସଫର ପରିମାଣ ବୃଦ୍ଧି ପାଇଁ ଏକ ବିଲିୟନ ଡଲାର ବିଶ୍ୱବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଭାରତ ଯେଉଁ ୭୫୦ ନିୟୁତ ଡଲାର ବିଶ୍ୱବ୍ୟାଙ୍କରୁ ପାଇବ ତାହା ପରିଶୋଧ କରିବା ପାଇଁ ୧୯ ବର୍ଷ ଧାର୍ଯ୍ୟ କରାଯାଇଛି ଓ  ଏଥିରେ ୫ ବର୍ଷର ରିହାତି ସମୟ ଅନ୍ତର୍ଭୁକ୍ତ।

Share this: