ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧୀ ପରିଯୋଜନା ମାଧ୍ୟମରେ ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଉତ୍ପାଦର ବିକ୍ରି ଶୁଭାରମ୍ଭ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନୌଷଧୀ ପରିଯୋଜନା ମାଧ୍ୟମରେ ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଔଷଧର ବିକ୍ରିବଟା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡାଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀ ଗୌଡ଼ା କହିଛନ୍ତି ଯେ ଏହିସବୁ ପୁଷ୍ଟିବର୍ଦ୍ଧକ ବା ନିୟୁଟ୍ରାସ୍ୟୁଟିକାଲ (Nutraceuticals) କରୋନା ମହାମାରୀ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହାକୁ ବ୍ୟବହାର କଲେ ଲୋକଙ୍କର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ। ଏସବୁ ସାମଗ୍ରୀର ମାନ ଦୃଷ୍ଟିରୁ ଅନ୍ୟାନ୍ୟ ଜିନିଷଠାରୁ ଉନ୍ନତ ଏବଂ ବଜାର ମୂଲ୍ୟଠାରୁ ୨୬ ଶତାଂଶ ଶସ୍ତା। ଦେଶରେ ଜନୌଷଧୀ କେନ୍ଦ୍ରର ଏକ ବିରାଟ ବ୍ୟବସ୍ଥା ରହିଥିବାରୁ ସବୁ ଜନୌଷଧୀ କେନ୍ଦ୍ର ମାଧ୍ୟମରେ ଏହିସବୁ ପ୍ରୋଟିନ ସାମଗ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୋଇପାରିବ।

ସରକାର ଏବେ ବିଭିନ୍ନ ପ୍ରକାର ପ୍ରୋଟିନ ସପ୍ଲିମେଣ୍ଟ (Protein Supplement), ମାଲ୍ଟଭିତ୍ତିକ ନିୟୁଟ୍ରେସନ ଡ୍ରିଙ୍କ (Nutrition Drink), ଇମ୍ୟୁନିଟି ବୁଷ୍ଟର (Immunity Booster)  ଆଦି ନିୟୁଟ୍ରାସ୍ୟୁଟିକାଲ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏହା ଲୋକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନରେ ସହାୟକ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶରେ ଏବେ ୬୫୦୦ରୁ ଅଧିକ ଜନୌଷଧୀ କେନ୍ଦ୍ର ରହିଛି ଏବଂ ସେଠାକୁ ପ୍ରତିଦିନ ୧୦ଲକ୍ଷରୁ ଅଧିକ ରୋଗୀ ଔଷଧ କିଣିଥାନ୍ତି। ଏହିସବୁ କେନ୍ଦ୍ରରେ ଶସ୍ତାରେ ଜେନେରିକ୍‌ (Generic ) ଔଷଧ ଯୋଗାଇ ଦିଆଯାଉଛି। ଏହି ଯୋଜନାଟି ଡାଇବେଟିସ୍‌, ବ୍ଲଡପ୍ରେସର ଓ ସାଇକୋଟ୍ରପିକ୍‌ ଭଳି ପୁରୁଣା ରୋଗ ଭୋଗୁଥିବା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେଉଛି।

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦ୍ୟମକ୍ରମେ ଏହି ଯୋଜନାର ପୁନର୍ବିନ୍ୟାସ କରାଯାଇଥିଲା। ଏଥିରେ ଔଷଧପତ୍ର ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ସଂଗ୍ରହ, ବିକ୍ରିବଟା, ପରିବହନ, ଆଇଟି ଓ ନୂଆ କେନ୍ଦ୍ର ଖୋଲିବା ଆଦି ବ୍ୟବସ୍ଥା ହୋଇଥିଲା। ୨୦୧୭ରେ ଜନୌଷଧୀ ଯୋଜନା ଏକ ନୂଆ ରୂପ ନେଇଥିଲା। ବର୍ତ୍ତମାନ ଦେଶର ୭୩୪ ଟି ଜିଲାରୁ ୭୩୨ଟିରେ  ୬,୫୮୭ ଟି ଜନୌଷଧୀ କେନ୍ଦ୍ର କାର୍ଯ୍ୟ କରୁଛି।

Also Read: କେବଳ ୪ଟି ବ୍ୟାଙ୍କ ହେବ ସରକାରୀ, ଅନ୍ୟ ସବୁ ହେବ ଘରୋଇକରଣ!

ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁସାରେ ଏହା କାର୍ଯ୍ୟ କରୁଛି। ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ନୂଆ ପୁଷ୍ଟିକର ସାମଗ୍ରୀ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବ। କରୋନା ମହାମାରୀ ସମୟରେ ଏଭଳି ସାମଗ୍ରୀର ବିଶେଷ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି  କହିଛନ୍ତି ଯେ ଲୋକଙ୍କୁ ଶସ୍ତା ଓ ଉଚ୍ଚମାନର ଜେନେରିକ୍‌ ଔଷଧ ଯୋଗାଇ ଦେବାରେ ଜନୌଷଧୀ କେନ୍ଦ୍ରଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ଏସବୁ କେନ୍ଦ୍ରର ପୁନର୍ବିନ୍ୟାସ ପରେ ଜେନେରିକ୍‌ ଔଷଧର ବିକ୍ରିବଟା ଓ ବ୍ୟବହାର ବିଶେଷ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଫାର୍ମାସ୍ୟୁଟିକାଲ ସଚିବ ଡ. ପି.ବି ବଘେଲା ଉଦ୍‌ବୋଧନ ଦେଇଥିଲେ।

Share this: