ଯଦି ୧୦ ଟି ରାଜ୍ୟରେ ଥିବା ଦେଶର ୮୦ ପ୍ରତିଶତ ସକ୍ରିୟ କରୋନା ସଂକ୍ରମିତ ରୋଗୀକୁ ମୁକାବିଲା କରିଦେବା ଆମେ ଜିତିବା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହ ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ବର୍ତ୍ତମାନର କରୋନା ମହାମାରୀର ସ୍ଥିତି ଏବଂ ତାହାର ମୁକାବିଲା କରିବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ମତ ବିନିମୟ କରିଥିଲେ। ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କ୍ଷେତ୍ରରେ ଟିମ୍ ଇଣ୍ଡିଆର ଟିମ୍ ୱାର୍କ ପ୍ରଦର୍ଶିତ ହୋଇଛି। ସମସ୍ତେ ମିଳିମିଶି ଉତ୍ତମ ସମନ୍ୱୟ ଓ ସହଯୋଗର ସହିତ ମହାମାରୀ ମୁକାବିଲାରେ ଲାଗିଛନ୍ତି, ଯାହା ଏକ ଉଲ୍ଲେଖନୀୟ କାର୍ଯ୍ୟ। କରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ହସପିଟାଲ ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ତଥା ଚାପ ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ସେ କହିଥିଲେ ଯେ ଆଜିର ବୈଠକରେ ସାମିଲ ହୋଇଥିବା ୧୦ ରାଜ୍ୟରେ ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୮୦ ଭାଗ ରୋଗୀ ଅଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୈନିକ ଏବେ ଦେଶରେ ପ୍ରାୟ ୭ଲକ୍ଷ ସ୍ୱାବ ପରୀକ୍ଷା ହେଉଛି ତଥା ଏହି ସଂଖ୍ୟା କ୍ରମଶଃ ବଢୁଛି। ଏହାଫଳରେ ଆକ୍ରାନ୍ତଙ୍କୁ ଆଗୁଆ ଚିହ୍ନଟ ଓ ରୋଗ ନିୟନ୍ତ୍ରଣରେ ଏହା ସହାୟକ ହେଉଛି। ସମଗ୍ର ବିଶ୍ୱରେ ଭାରତରେ କୋଭିଡ୍ ମୃତ୍ୟୁହାର ସବୁଠୁ କମ୍। ଏହି ହାର କ୍ରମାଗତଭାବେ କମିବାରେ ମଧ୍ୟ ଲାଗିଛି। ଆହୁରି ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ହାର ମଧ୍ୟ କ୍ରମଶଃ ହ୍ରାସ ପାଉଛି ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହେଉଛନ୍ତି।
ସେ କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳରେ ଲୋକଙ୍କ ବିଶ୍ୱାସ ବଢିଛି ଏବଂ କରୋନା ମୃତ୍ୟୁହାର ଏକ ଶତାଂଶରୁ ତଳକୁ ଆଣିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଖୁବ୍ ଶୀଘ୍ର ପୂରଣ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଆଲୋଚନାରୁ ଯାହା ଜଣାଗଲା ଯେ ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଂଗ ଏବଂ ତେଲଙ୍ଗାନାରେ ଆକ୍ରାନ୍ତଙ୍କ ପରୀକ୍ଷା ସୁବିଧା ବଢାଇବାର ଜରୁରୀ ଆବଶ୍ୟକତା ରହିଛି। ଏହି ଲଢେଇରେ କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ବ୍ୟବସ୍ଥା ସବୁଠୁ ସଫଳ ଅସ୍ତ୍ର। ଲୋକେ ଏ ସଂପର୍କରେ ସଚେତନ ଅଛନ୍ତି ଏବଂ ଏହି ଉଦ୍ୟମରେ ମଧ୍ୟ ସହାୟତା କରୁଛନ୍ତି। ଫଳରେ ଆମେ ସଫଳତାର ସହିତ ହୋମ୍ କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିପାରିଛୁ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆରୋଗ୍ୟ ସେତୁ ଆପ୍ ଗୁରୁତ୍ୱ ସଂପର୍କରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତ ଅନୁସାରେ ଆମେ ଯଦି ପ୍ରାରମ୍ଭିକ ୭୨ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିପାରିବା ତା’ହେଲେ ଭୂତାଣୁ ସଂକ୍ରମଣକୁ ରୋକିହେବ। ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଠାବକରି ସେମାନଙ୍କ ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ଏହାକୁ ଏକ ମନ୍ତ୍ରଭାବେ ଅନୁସରଣ କରିବା ଉଚିତ। ସେହିଭଳି ନିୟମିତ ହାତଧୋଇବା, ଦୁଇଗଜ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ପିନ୍ଧିବାକୁ ମଧ୍ୟ ସମାନ ଗୁରୁତ୍ୱର ସହ ପାଳନ କରିବାକୁ ସେ କହିଛନ୍ତି।
ଏହି ଅବସରରେ ଅଂଶଗ୍ରହଣକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ବାସ୍ତବ ସ୍ଥିତି ସଂପର୍କରେ କହିଥିଲେ। କରୋନା ବିରୋଧୀ ଲଢେଇର ସଫଳ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସେମାନେ ପ୍ରଶଂସା କରିଥିଲେ। ନିୟମିତଭାବେ ରାଜ୍ୟଗୁଡିକୁ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ଦିଗ୍ଦର୍ଶନ ଦେବା ସହିତ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଥିବାରୁ ମୁଖ୍ୟମନ୍ତ୍ରୀଗଣ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ଭାରତର ଉଦ୍ୟମ ଓ ଉପଲବ୍ଧିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିଲେ।