ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା : ପରବର୍ତ୍ତୀ କିସ୍ତି ପୂର୍ବରୁ ସରକାର କୃଷକମାନଙ୍କୁ ବାର୍ତ୍ତା
ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ ସରକାର ପ୍ରତିବର୍ଷ ତିନୋଟି ସମାନ କିସ୍ତିରେ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ମାଧ୍ୟମରେ କୃଷକମାନଙ୍କୁ ଏହି ରାଶି ପଠାନ୍ତି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ । କରୋନା ଭୂତାଣୁ ମହାମାରୀର ଏହି ସମୟରେ ଚାଷୀଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବାକୁ ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ କିସ୍ତି ଏପ୍ରିଲରେ ହିତାଧିକାରୀଙ୍କ ନିକଟକୁ ପଠାଇଥିଲେ।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିଯୋଜନା ଅନୁଯାୟୀ ସରକାର ଅଗଷ୍ଟ ୨ତାରିଖରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା କିସ୍ତି ପଠାଇବାକୁ ଯାଉଛନ୍ତି। ଅଗଷ୍ଟ କିସ୍ତି ପୂର୍ବରୁ ଏହି ଯୋଜନାର ସମସ୍ତ ହିତାଧିକାରୀଙ୍କ ମୋବାଇଲରେ ଏକ ବାର୍ତ୍ତା ପଠାଯାଇଛି। ହିତାଧିକାରୀଙ୍କ ସୁବିଧା ପାଇଁ ସରକାର ଏହି ବାର୍ତ୍ତା ପଠାଇଛନ୍ତି। ଏହି ବାର୍ତ୍ତା ସହିତ ହିତାଧିକାରୀଙ୍କ ଅନେକ ପ୍ରଶ୍ନ ଦୂର ହୋଇପାରିବ ।