Odisha Weather Report: ଆସୁଛି ଲଘୁଚାପ, ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା, ବାତ୍ୟା ନେଇ ମିଳିନି ସ୍ପଷ୍ଟ ଚିତ୍ର

Share this:

ଭୁବନେଶ୍ଵର (ବ୍ୟୁରୋ): Odisha Weather Report ଗତକାଲି କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଯାଇଛି। ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା (Cyclone) ପାଇଁ ଅନୁକୂଳ ରହିଛି। ହେଲେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ଠିକ୍‍ ଆକଳନ କରିହେବ। ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ। କେନ୍ଦ୍ର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ବାସ୍ତବ ଆକଳନ କରିହେବ।  

ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଆଶାନୀର ଗତିବିଧି ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତଥାପି ରାଜ୍ୟ ସରକାର ଏହାର ମୁକାବିଲା ଲାଗି ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଅଛନ୍ତି। ଏନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ମେ ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Read Also | Covid Cases Odisha: ଓଡିଶାରୁ ଆଜି ଆଉ ୧୦ କୋଭିଡ ଆକ୍ରାନ୍ତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *