ଓଡ଼ିଶାରେ କୋଇଲା ଖଣି ନିଲାମକୁ ବିରୋଧ

Share this:

ଭୁବନେଶ୍ୱର: ଜାତୀୟ ସମ୍ପଦ ରୂପେ ଗଚ୍ଛିତ ଥିବା ୪୧ଗୋଟି କୋଇଲା ଖଣିକୁ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ମାଲିକାନାରେ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ ନିଲାମ ଘୋଷଣା ଅଗଣତାନ୍ତ୍ରିକ, ଜନ ବିରୋଧୀ।ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶ କ୍ଷତି ହେବ ଏବଂ ଓଡ଼ିଶାରେ ଅତି କମରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଏହି  ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ ନିଲାମ ଦ୍ୱାରା ହେବ। ଏଥିମଧ୍ୟରୁ ଅନେକ କୋଲ ବ୍ଲକଗୁଡ଼ିକ ମଧ୍ୟରୁ ଅଧିକାଂଶ ଘଞ୍ଚ ସବୁଜ ବନାନୀ ମଧ୍ୟରେ ରହିଛି। ଓଡ଼ିଶାର ଅନଗୋଳ ଜିଲ୍ଲା  ଛେଣ୍ଡିପଦା ଅଞ୍ଚଳରେ ୩ଟିରୁ ୨ଟିରେ ଉର୍ବର କୃଷି ଜମି ତଳେ ରହିଛି। ସେ ୨ ଟି ହେଉଛି ମାଛକୁଟ ଅଞ୍ଚଳର। ଏହି ଖଣିଖନନ ଦ୍ୱାରା ଜଙ୍ଗଲ ଧ୍ୱଂସ ହେବ। ପରିବେଶ ପ୍ରଦୂଷିତ ହେବ ଏବଂ କୋଭିଡ଼ ପରି ସ୍ୱାସ୍ଥ୍ୟ ଜନିତ ବିପଦବେଳେ ସାଂଘାତିକ ଭାବେ ବିପତ୍ତି ବହୁଗୁଣିତ ହୋଇଯିବ। ଏହା ଦ୍ୱାରା ଆଦିବାସୀ ଓ ବନ୍ୟପ୍ରାଣୀଙ୍କ ପାଇଁ ବିନାଶ ହେବ। କେନ୍ଦ୍ରର ଏହି ନିଷ୍ପତ୍ତି ଦ୍ୱାରା ଆତ୍ମନିର୍ଭର ଭାରତ ଯୋଜନା ପ୍ରତି ଏକ ଛଳନା। ୪୭ ବର୍ଷର କୋଲ-ଇଣ୍ଡିଆ ଲିମିଟେଡ଼ ର ଅଧୀନସ୍ଥ ରାଷ୍ଟ୍ରର ଅତି ସଂମ୍ବେଦନଶୀଳ ପ୍ରାକୃତିକ ସମ୍ପଦ, ପ୍ରବେଶ ନିଷଧ ଘଞ୍ଚ ଜଙ୍ଗଲ ସହ ସମୃଦ୍ଧ କୋଇଲା କ୍ଷେତ୍ରକୁ ଦେଶୀ-ବିଦେଶୀ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିଦେବା ଅତି ଚିନ୍ତାଜନକ ନିଷ୍ପତ୍ତି ।


ଖଣିଜ ଆଇନ (ସଂଶୋଧନ) ଅଧିନିୟମ ୨୦୨୦ ଦ୍ୱାରା କୋଇଲା ଖନନ (ବିଶେଷ ପ୍ରାବଧାନ) ଅଧିନିୟମ ୨୦୧୫ ଏବଂ ୧୯୧୭ର ଖଣିଜ (ବିକାଶ ଏବଂ ନିୟମ) ଅଧିନିୟମର ସଂଶୋଧନର ଉଦ୍ଦେଶ୍ୟ ଥିଲା ନୀତିଗତଭାବେ ସଂଶୋଧନର ଶେଷ ପର୍ଯ୍ୟନ୍ତ ଉପଯୋଗ ଉପରେ ଥିବା ନିଷେଧକୁ କମାଇ ଦେବା ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ନିଲାମ ଭାଗଦେବାକୁ ଅନୁମତି ପ୍ରଦାନ। ୨୦୦୬ ଜଙ୍ଗଲ ଅଧିକାର ଆଇନ, ୧୯୯୬ର ପେସା ଆଇନ, ପରିବେଶ ସୁରକ୍ଷା ୧୯୮୬ ଏବଂ ୨୦୦୬ର ପରିବେଶ ପ୍ରଭାବ ଆକଳନ ଅଧିସୂଚନା ଏବଂ ୨୦୧୩ର ଭୂ-ଅଧିଗ୍ରହଣ (ଉଚିତ୍ କ୍ଷତିପୂରଣ ଥଇଥାନ) ଆଇନରେ ଥିବା ବିଭିନ୍ନ ପ୍ରାବଧାନ ଗୁଡ଼ିକୁ ଅବମାନନା କରାଯାଇଛି ବୋଲି ସେ କହିଛନ୍ତି।
ଓଡ଼ିଶାର ୯ଟି କୋଇଲା ଖଣି ମଧ୍ୟରୁ ୮ଟି ଅନୁଗୁଳ ଜିଲ୍ଲାର ଓ ଗୋଟିଏ ଝାରସୁଗୁଡା ଜିଲ୍ଲାର ୩୩ ହଜାର ହେକ୍ଟର ଜମିରେ ରହିଛି। ଏଠାରେ  ଥିବା ଚାଷ ଜମି ଓ ଜଙ୍ଗଲ ଉପରେ ହଜାର ହଜାର ପରିବାର ଜୀବୀକା ପାଉଛନ୍ତି। ବହୁ ଜନବସତି ଗ୍ରାମ ରହିଛି। ତାଲଚେର-ଅନୁଗୁଳ ଅଞ୍ଚଳ ଗତ ୩୦ବର୍ଷରୁ ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ରୂପେ ଘୋଷିତ। ବ୍ରାହ୍ମଣୀ ନଦୀ ମଧ୍ୟ ପ୍ରଦୂଷିତ ଏବଂ ଜଳର ପରିମାଣ ହ୍ରାସ ହେଇଛି। ପୁଣି ଖଣି ଖନନ ଦ୍ୱାରା ଶତାଧିକ ଗ୍ରାମର ପ୍ରଦୂଷଣର ଶିକାର ହେବାସହ ହଜାର ହଜାର ପରିବାର ବିସ୍ଥାପିତ ହେବେ ଏବଂ ଜୀବିକା ହରାଇବେ ବୋଲି ସେ  କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଟ ସାମ୍ବାଦିକ ରବି ଦାସ ଉପସ୍ଥିତ ରହି କୋଇଲାର ଘରୋଇକରଣ ଏବଂ ଆମ ରାଜ୍ୟର ୯ଟି ଖଣି ନିଲାମକୁ ବିରୋଧ କରି ଏହାର ପ୍ରତ୍ୟାହାର ପାଇଁ ଆହ୍ୱାନ କରିଛନ୍ତି।

Share this: