ହ୍ୟାଣ୍ଡ ସାନିଟାଇଜର ଓ ଫେସ୍ ମାସ୍କ ଜରୁରୀ ଦ୍ରବ୍ୟ ସୂଚୀରୁ ହଟିଲା
ନୂଆଦିଲ୍ଲୀ : ଗତ ମାର୍ଚ୍ଚ ମାସରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଓ ସାନିଟାଇଜରର ଅଭାବ ଦେଖାଯାଇଥିଲା। ଏହାର ଗୁରୁତ୍ୱକୁ ନେଇ କେନ୍ଦ୍ର ସରକାର ଏହି ଦୁଇଟି ଜିନିଷକୁ ଜରୁରୀ ଦ୍ରବ୍ୟ ଅଧିନିୟମ ଅନ୍ତର୍ଭୁକ୍ତ କରିଥିଲେ। ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ବର୍ତ୍ତମାନ ଜରୁରୀ ଦ୍ରବ୍ୟ ଅଧିନିୟମ ୧୯୫୫ ରୁ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ହଟାଇ ଦେଇଛି।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରର ମୂଲ୍ୟ କିମ୍ବା ଉପଲବ୍ଧତା ସମ୍ପର୍କରେ ରାଜ୍ୟରୁ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ରୁ କୌଣସି ଅଭିଯୋଗ ଆସିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଫେସ୍ ମାସ୍କ ଓ ସାନିଟାଇଜର ତିଆରି କରୁଥିବା କମ୍ପାନିମାନେ ନିଜ ହିସାବରେ ଏହାର ମୂଲ୍ୟ ନିରୂପିତ କରିପାରିବେ।