ଭେଣ୍ଟିଲେଟର ସାପୋର୍ଟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସଫଳ ହେଲା ମସ୍ତିଷ୍କ ଅସ୍ତ୍ରୋପଚାର
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ସଫଳତାର ସହ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି ଏବଂ ସେ ଭେଣ୍ଟିଲେଟରରେ ଅଛନ୍ତି। ସୋମବାର ସକାଳେ ତାଙ୍କର କୋଭିଡ -୧୯ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିୟମିତ ଯାଞ୍ଚ ସମୟରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା।
ସୂଚନାଯୋଗ୍ୟ ,ସୋମବାର ଶ୍ରୀ ମୁଖାର୍ଜୀ ଟ୍ୱିଟ୍ କରି କହିଥିଲେଯେ ,ତାଙ୍କର ଆଜି କୋଭିଡ୍ -୧୯ ପରୀକ୍ଷା ରିପୋର୍ଟ୍ ପଜିଟିଭ୍ ଆସିଛି। ସେ ହସ୍ପିଟାଲକୁ ଅଲଗା ଯାଞ୍ଚ ପାଇଁ ଆସିଥିବା ବେଳେ କରୋନା ଟେଷ୍ଟ କରିଥିଲେ। ଗତ ସପ୍ତାହରେ ଯେଉଁମାନେ ତାଙ୍କ ସହ ଯୋଗାଯୋଗ କରିଛନ୍ତି ସେମାନଙ୍କୁ ସେ ଅନୁରୋଧ କରୁଛନ୍ତି ଯେ ସେମାନେ ନିଜକୁ ଅଲଗା କରି କୋଭିଡ -୧୯ ପରୀକ୍ଷା କରାଇନିଅନ୍ତୁ।
ହସ୍ପିଟାଲ ଅଧିକାରୀମାନେ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତିଙ୍କ ସଫଳତାର ସହ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ କୋଭିଡ -୧୯ମାମଲାର ବୃଦ୍ଧି ପରେ ଲୋକଙ୍କ ସହ ତାଙ୍କର ସମ୍ପର୍କ କମ କରିଦେଇଥିଲେ। ତାଙ୍କ ବାସଭବନରେ ସେ ସମସ୍ତ ପ୍ରକାର ମିଟିଂ ଏବଂ ସାକ୍ଷାତ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ କେବଳ ଅଳ୍ପ ଲୋକଙ୍କୁ ଭେଟୁଥିଲେ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ଆରୋଗ୍ୟ କାମନା କରିଥିବାବେଳେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟ ନେତାମାନେ ଶ୍ରୀ ମୁଖାର୍ଜୀଙ୍କ ଶୀଘ୍ର ସ୍ୱାସ୍ଥ୍ୟ ପାଇଁ ଟ୍ୱିଟରରେ ପ୍ରାର୍ଥନା କରିଛନ୍ତି।