Breaking Newsଓଡ଼ିଶା କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ନିକଟତମ ଆତ୍ମୀୟଙ୍କୁ ମିଳିବ ମାସିକ ସହାୟତା July 17, 2020 MahimaLive Share this: ଭୁବନେଶ୍ଵର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି ତେବେ ନିକଟତମ ଆତ୍ମୀୟଙ୍କୁ ମାସିକ ସହାୟତା ମିଳିବ। କୋଭିଡ୍ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ସ୍ଵାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସିକ ୭,୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଅଙ୍ଗନବାଡ଼ି କର୍ମୀ ଜଣକ ଯଦି ବଞ୍ଚିଥାନ୍ତେ, ତାଙ୍କୁ ଯେବେ ୬୦ ବର୍ଷ ହୋଇଥାନ୍ତା, ଏହାକୁ ଦୃଷ୍ଟିରେ ରଖି, ସେ ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ କିମ୍ବା ନିକଟତମ ଆତ୍ମୀୟ ଏହି ସହାୟତା ପାଇବେ। ସେହିଭଳି କୋଭିଡ୍ ଯୁଦ୍ଧରେ କାମ କରୁଥିବାବେଳେ ଯଦି କେହି ଆଶାକର୍ମୀ ମୃତ୍ୟୁବରଣ କରନ୍ତି, ସେ କ୍ଷେତ୍ରରେ ତାଙ୍କ ସ୍ଵାମୀ କିମ୍ବା ନିକଟତମ ଆତ୍ମୀୟ ଉପରୋକ୍ତ ପ୍ରକାରେ ମାସିକ ୫ ହଜାର ଟଙ୍କା ଲେଖାଏଁ ସହାୟତା ପାଇପାରିବେ। ସୂଚନାଯୋଗ୍ୟ ,ପୂର୍ବରୁ ରାଜ୍ୟ ସରକାର ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସମେତ ସବୁ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି କୋଭିଡ୍ -୧୯ର ସଂକ୍ରମଣ ଓ କଟକଣା ସମୟରେ ରାଜ୍ୟବାସୀଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଟେଲି ମେଡ଼ିସିନ୍ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରାଯିବ। ରାଜ୍ୟର ୪୧ଟି ସ୍ଵାସ୍ଥ୍ୟ ପ୍ରତିଷ୍ଠାନ, ୭ଟି ସରକାରୀ ମେଡିକାଲ୍ କଲେଜ୍, ୩୦ଟି ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ଆସନ୍ତା ୨୦ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ସେବା ଦ୍ଵାରା ରୋଗୀମାନେ ସିଧାସଳଖ ଡାକ୍ତରଙ୍କ ସହ କଥା ହୋଇ ଚିକିତ୍ସା ପାଇପାରିବେ। ଜିଲ୍ଲା ହସ୍ପିଟାଲ୍ଗୁଡ଼ିକରେ ଏହି ସେବା ଓପିଡ଼ି ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓ ମେଡିକାଲ୍ କଲେଜ୍ଗୁଡ଼ିକରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ। FROM THE WEB Share this: