କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ; ରଜ ପର୍ବ ପାଳନରେ କଟକଣା ଜାରିକଲା ଅନଗୁଳ ଜିଲ୍ଲା ପ୍ରଶାସନ

Share this:

ସଂପ୍ରତି, ମହାମାରି କରୋନା ରାଜ୍ୟରେ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଓଡ଼ିଶାର ଗଣପର୍ବ ରଜ ପାଳନ ଉପରେ ଆଜି ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ କିଛି କଟକଣା ଜାରି କରାଯାଇଛି । ପାରମ୍ପାରିକ ଭାବେ ପାଳନ ହୋଇଆସୁଥିବା ଏହି ରଜ ପର୍ବରେ ସାମଜିକ ଦୂରତାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଉଛି । ଚଳିତ ମାସ 14ରୁ 16 ତାରିଖ ମଧ୍ୟରେ ପାଳନ ହେଉଥିବା ଏହି ପର୍ବ ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର କୌଣସି ସ୍ଥାନରେ ସମୂହ ଫକ୍ତି ଭୋଜନ, ସମୂହ ଦୋଳି ଖେଳ, କବାଡ଼ି ଖେଳ ଓ ସମୂହ ତାସ ଖେଳ ପ୍ରଭୃତି ବିଭିନ୍ନ ପାରମ୍ପାରିକ ସମୁହ ଖେଳ ଉପରେ କଟକଣା ଲଗାଯାଇଛି । ଏହା ଛଡ଼ା ସମୂହ ଦେବା, ଦେବୀ ପୂଜା ଓ ଧାର୍ମିକ ପୂଜା ଅନୁଷ୍ଠାନ ଏହି କଟକଣାର ଅନ୍ତର୍ଭୁକ୍ତ ଅଟେ । ସେହିପରି ହାଟ, ବଜାର ଓ ଦୋକାନ ଗୁଡ଼ିକରେ ଭିଡ଼ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି । ଏଥି ପାଇଁ ସମ୍ପୃକ୍ତ ବ୍ୟବସାୟୀ ମାନେ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଏଥିରେ ଖିଲାପ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଚେତାଇ ଦିଆଯାଉଛି । ସର୍ବ ସାଧାରଣ ସ୍ଥାନରେ ପାନ କିମ୍ବା ଗୁଟଖା ସେବନ କରି ଥୁକ ପକାଇବାକୁ ବାରଣ କରାଯାଇଛି । ଏହା ଆମ ଓଡ଼ିଆ ମାନଙ୍କର ଏକ ମହାନ ପର୍ବ। ସାଂପ୍ରତିକ ପରିସ୍ଥିତିରେ ସରକାର କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସାମାଜିକ ଦୁରତା ଉପରେ ଗୁରୁତ୍ବ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି  ଆମେ ସମସ୍ତେ ସରକାରଙ୍କ ନିୟମକୁ ମାନି ଘରେ ରହି ରଜ ପର୍ବ ପାଳନ କରିବା ।  ନିହାତି ଆବଶ୍ୟକ ହେଲେ ମାସ୍କ ପିନ୍ଧି ବାହାରକୁ ଆସିବା ଓ କୌଣସି ଜନ ସମାଗମ ସ୍ଥାନରେ ସମବେତ ନହେବାକୁ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Share this: