ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ୨ପାଇଲଟ୍ ସହିତ ୧୮ ଯାତ୍ରୀ ମୃତ
କେରଳ: ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ(IX-1344) ଶୁକ୍ରବାର ସନ୍ଧ୍ୟାରେ କେରଳର କୋଜିକୋଡେ ଠାରେ ଦୁର୍ଘଟଣାର ଶିକାର ହୋଇଛି। ପ୍ରବଳ ବର୍ଷା ହେତୁ ରନୱେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଅବତରଣ ସମୟରେ ବିମାନଟି ପ୍ରାୟ ୩୦ ଫୁଟ ଗଭୀର ଖାଲ ଭିତରକୁ ଖସି ପଡିଥିଲା। ଏହି ବିମାନରେ ମୋଟ ୧୯୧ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ୨ ପାଇଲଟ ସମେତ ୧୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୧୨୭ ଜଣ ଆହତ ହୋଇଛନ୍ତି। ବିମାନର ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହୋଇଥିଲା। ବିମାନଟି ଅବତରଣ କରୁଥିବା ରନୱେ ବହୁତ ଲମ୍ବା ନଥିଲା। କୁହାଯାଉଛି କି ଅବତରଣ ସମୟରେ ବିମାନର ଅଗ୍ରଭାଗ ମାଡ଼ ହୋଇଯିବା ପରେ ବିମାନ କ୍ଷତିଗ୍ରସ୍ତ ହୋଇଥିଲା।
ସୂଚନା ଅନୁସାରେ, ବୋଇଙ୍ଗ ୭୩୭ ବିମାନ ବନ୍ଦେ ଭରତ ଅଭିଯାନ ଅଧୀନରେ ଗଲ୍ଫ ଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିଥିଲା। ଶୁକ୍ରବାର ସନ୍ଧ୍ୟାରେ କୋଜିକୋଡେ ସ୍ଥିତ କାରିପୁର ବିମାନବନ୍ଦରରେ ଦୁର୍ଘଟଣା ଘଟି ଦୁଇ ଖଣ୍ଡରେ ଭାଙ୍ଗି ଯାଇଥିଲା। ପ୍ରଥମ ଭାଗରେ ଅଧିକ କ୍ଷତି ହୋଇଥିଲା ବିମାନରେ କରୋନା ମହାମାରୀ ହେତୁ ଦୁବାଇରେ ଫସି ରହିଥିବା ଭାରତୀୟମାନେ ଘରକୁ ଫେରୁଥିଲେ। ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଘଟଣା ଲାଗି ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଉଦ୍ଧାରକାର୍ଯ୍ୟ ଲାଗି ଏନଡିଆରଏଫ୍ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି କହିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଟ୍ବିଟ୍ କରି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।